କନକ ବ୍ୟୁରୋ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପୁରୀଗସ୍ତ ବେଳେ ଯେଉଁଭଳି ଭକ୍ତିଭାବର ପରିଚୟ ଦେଲେ ତାହାର ସାକ୍ଷୀ ରହିଛି ବଡ଼ଦାଣ୍ଡ । ଜଗତର ନାଥ ଜଗନ୍ନାଥଙ୍କ ଦର୍ଶନ ପାଇଁ ପାଦରେ ଚାଲି ଚାଲି ଯାଇଛନ୍ତି ଭାରତର ପ୍ରଥମ ନାଗରିକ ଦୌପ୍ରଦୀ ମୁର୍ମୁ । ସଂପୂର୍ଣ୍ଣ ସମର୍ପଣ ଭାବରେ ହାତ ଉପରକୁ ଟେକି ଭକ୍ତିରେ ଗଦଗଦ ହୋଇ ସିଂହଦ୍ୱାର ଅଭିମୁଖେ ରାଷ୍ଟ୍ରପତି ଚାଲୁଥାନ୍ତିି । ବଡ଼ଦାଣ୍ଡରେ ତାଙ୍କର ଗୋଟିଏ ଗୋଟିଏ ପାଦ ଆଗକୁ ବଢ଼ୁଥାଏ, ଜଗନ୍ନାଥଙ୍କ ପ୍ରାଣ କେନ୍ଦ୍ର ପୁରୀରେ ଯୋଡି ହୋଇ ଯାଉଥାଏ ଏକ ନୂଆ ଇତିହାସ । ଏହି ଅବିସ୍ମରଣୀୟ ଦୃଶ୍ୟ ଦେଖି ଫୁଲି ଉଠୁଥିଲା ବଡ଼ଦାଣ୍ଡରେ ଦୁଇ ପାଶ୍ୱର୍ରେ ଉପସ୍ଥିତ ଜନତାଙ୍କ ଛାତି । ସେମାନଙ୍କ ଆଡକୁ ହାତ ହଲାଇ ଲୋକଙ୍କ ଅଭିବାଦନକୁ ଗ୍ରହଣ କରିଥିଲେ ରାଷ୍ଟ୍ରପତି ।

Advertisment

ଭକ୍ତ ଓ ଭଗବାନଙ୍କ ମଧ୍ୟରେ ମିଳନ ପାଇଁ ବାଧା ସୃଷ୍ଟି କରିନଥିଲା ପ୍ରୋଟୋକଲ୍ । ଯଦିଓ ପୁଲିସ, ସୁରକ୍ଷା ହତଚକିତ ରହି ଯାଇଥିଲେ ଯେତେବେଳେ ବଡ଼ଦାଣ୍ଡରେ ରାଷ୍ଟ୍ରପତିଙ୍କ କାରକେଡ୍ ପହଁଚିବା ପରେ ଭକ୍ତ ସାଲବେଗ ପୀଠରୁ ଖାଲି ପାଦରେ ଓହ୍ଲାଇ ପଡ଼ିଥିଲେ ମହାମହିମ । ସାଙ୍ଗରେ ଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରାଷ୍ଟ୍ରପତିଙ୍କ ପାରିଷଦ ବର୍ଗ । ଦୌପ୍ରଦୀ ମୁର୍ମୁଙ୍କ ସହ ସମସ୍ତେ ଚାଲି ଚାଲି ଯାଇଥିଲେ ଶ୍ରୀମନ୍ଦିର । ବଡ଼ଦାଣ୍ଡରେ ହେଉଥିବା ସାଂସ୍କୃତିକ କାର୍ଯ୍ୟକ୍ରମରେ ନୃତ୍ୟଶିଳ୍ପୀମାନଙ୍କ ସହ ଫଟୋ ଉଠାଇଥିଲେ ଦ୍ରୌପଦୀ ମୁର୍ମୁ । କିଛି ସମୟ ପାଇଁ ସେମାନଙ୍କ ସହ କରିଥିଲେ ଭାବ ବିନିମୟ ।

ଅଢ଼େଇ କିଲୋମିଟର ଚାଲିବା ପରେ ଶ୍ରୀନଅର ନିକଟରେ ରାଷ୍ଟ୍ରପତିଙ୍କ ନଜର ପଡିଥିଲା କିଛି ସ୍କୁଲ ଛାତ୍ରଛାତ୍ରୀଙ୍କ ଉପରେ । ସେମାନଙ୍କୁ ଦେଖି ତାଙ୍କ ମୁହଁରେ ଫୁଟି ଉଠିଥିଲା ଶିକ୍ଷୟିତ୍ରୀ ସୁଲଭ ସ୍ନେହ ମମତା । ପିଲାମାନଙ୍କୁ ସହ ହାତ ମିଳାଇ ସେମାନଙ୍କ ସହ ଫଟୋ ଉଠାଇଥିଲେ ଦୌପ୍ରଦୀ ମୁର୍ମୁ ।

ଏହା ପରେ ଆସିଥିଲା ସେହି ପ୍ରତୀକ୍ଷିତ ମୁହୂର୍ତ । ଶ୍ରୀମନ୍ଦିର ପାଖରେ ପହଁଚିବା ପରେ ନୀଳଚକ୍ରକୁ ଦେଖି ଭାବବିହ୍ୱଳ ହୋଇ ପ୍ରଣାମ କରିବା ସହ ବଡ଼ଦାଣ୍ଡରେ ଆଣ୍ଠୁମାଡି ସାଷ୍ଟାଙ୍ଗ ପ୍ରଣିପାତ କରିଥିଲେ । ରାଷ୍ଟ୍ରପତିଙ୍କ ଭକ୍ତି ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ ସମସ୍ତେ । ସିଂହଦ୍ୱାରରେ ପହଞ୍ଚିବା ପରେ ଓଡ଼ିଆ ଘରର ବୋହୂ ଭଳି ଅରୁଣସ୍ତମ୍ଭ ସ୍ୱର୍ଶ କରି ଆଶୀର୍ବାଦ ନେଇଥିଲେ । ସିଂହଦ୍ୱାର ସାମ୍ନାରେ ରାଷ୍ଟ୍ରପତିଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ ଗଜପତି ମହାରାଜ । ବାଇଶି ପାହାଚ ଦେଇ ଗର୍ଭଗୃହକୁ ପ୍ରବେଶ ବେଳେ ପ୍ରତି ପାହାଚକୁ ଛୁଇଁ ମୁଣ୍ଡିଆ ମାରିଥିଲେ ମହାମହିମ । ସିଂହଦ୍ୱାର ସମ୍ମୁଖରେ ଓ ବାଇଚ ପାହାଚରେ ମୁଣ୍ଡିଆ ମାରିବା ଦୃଶ୍ୟ ସମସ୍ତଙ୍କୁ କରିଦେଇଛି ଅଭିଭୂତ ।

ଶ୍ରୀମନ୍ଦିରରେ ପ୍ରାୟ ୪୦ ମିନିଟ କାଳ ରହିଥିଲେ ରାଷ୍ଟ୍ରପତି । ଗର୍ଭଗୃହରେ ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ଏକ ଲକ୍ଷ ତୁଳସୀ ଲାଗି କରାଇବା ବେଳେ ହୋଇ ପଡିଥିଲେ ଭାବବିହ୍ୱଳ । ଭାରତର ସର୍ବୋଚ୍ଚ ପଦ ଅଳଙ୍କୃତ କରିବା ପରେ ପ୍ରଥମ ଥର ଓଡ଼ିଶା ଗସ୍ତରେ ଆସିଛନ୍ତି ରାଷ୍ଟ୍ରପତି ଦୌପ୍ରଦୀ ମୁର୍ମୁ । ମାତୃଭୂମିରେ ପାଦ ଦେବା ପରେ ସେ ଯେତିକି ବିଭୋର ହୋଇଉଠିଥିଲେ, ସେତିକି ଉକ୍ରଣ୍ଠାର ତାଙ୍କୁ ଅପେକ୍ଷା କରିଥିଲେ ରାଜ୍ୟବାସୀ । ଦିଲ୍ଲୀରୁ ତାଙ୍କ ବିମାନ ଭୁବନେଶ୍ୱରରେ ପହଁଚିବା ପରେ ତାଙ୍କୁ ଦିଆଯାଇଥିଲା ଗାର୍ଡ ଅଫ୍ ଅନର । ତାଙ୍କୁ ପାଛୋଟି ଆଣିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟପାଳ ଗଣେଶୀ ଲାଲ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ପହଁଚିଥିଲେ ବିମାନ ବନ୍ଦରରେ । ଏହି ମାଟିର ଝିଅ ତଥା ଦେଶର ମହାମହିମକୁ ଦିଆଯାଇଥିଲା ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ।