ସୁନାବେଶରେ ବିଭ୍ରାଟ : ଜଗନ୍ନାଥଙ୍କ ଭଙ୍ଗା କିରୀଟକୁ ନେଇ ଉଠିଲା ପ୍ରଶ୍ନ; ଭଣ୍ଡାର ମେକାପ କହିଲେ, ବେଶ ଲାଗି ବେଳେ ଭାଙ୍ଗି ଯାଇଥିଲା ବାମ ପାର୍ଶ୍ବର ତିନି ନମ୍ବର ପାଖୁଡ଼ା

251

କନକ ବ୍ୟୁରୋ : ସୁନାବେଶରେ ମହାପ୍ରଭୁ ଜଗନ୍ନାଥ ପିନ୍ଧିଲେ ଭଙ୍ଗା କିରୀଟ । ବେଶ ଓଲାଗି ବେଳେ ଏଭଳି ଚିତ୍ର ଦେଖିବାକୁ ମିଳିଛି । ମୁକୁଟର ବାମ ପାଖର ୩ ନମ୍ବର ପାଖୁଡ଼ା ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଥିଲା । ସୁନାବେଶ ବେଳେ ଏହା ଜଣା ପଡୁନଥିଲା । ଏହି ସ୍ଥାନ ଫୁଲ ଦ୍ୱାରା ସଜେଇ ହୋଇ ରହିଥିଲା । ହେଲେ ବେଶ ଓଲାଗି ବେଳେ ଏହା ସ୍ପଷ୍ଟ ଭାବେ ଜଣା ପଡିଯାଇଥିଲା । ଜଗନ୍ନାଥଙ୍କ ମୁକୁଟ ପୂର୍ବରୁ ଭଙ୍ଗା ଥିବା ସତ୍ୱେ ଏହାକୁ ଲାଗି କରାଯାଇଥିଲା ନା’ ପରେ ଭାଙ୍ଗି ଯାଇଥିଲା, ଏ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି ।

ତେବେ ଭଣ୍ଡାର ମେକାପ କହିଛନ୍ତି, କିରୀଟ ଆଣିବା ବେଳେ ଏହା ଭାଙ୍ଗିନଥିଲା, ପରେ ଏହା ଭାଙ୍ଗି ଯାଇଥିଲା । କିଛି ସେବାୟତଙ୍କ ମତରେ ଭଙ୍ଗା କିରୀଟ ପିନ୍ଧାଇବା ଠିକ ହେଲାନାହିଁ । ଏ ନେଇ ଦୃଷ୍ଟି ଦେବାକୁ ପରାମର୍ଶ ଦେଇଛନ୍ତି । ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ସେବୟତଙ୍କଠାରୁ ଭକ୍ତ, ଏହି ଘଟଣା ଜାଣିବା ପରେ ବିରୋଧର ସ୍ୱର ଉଠିଛି । କେଉଁ ପରିସ୍ଥିତିରେ ଏଭଳି ଘଟଣା ଘଟିଲା, ତାହାର ତଦନ୍ତ ଦାବି କରିଛନ୍ତି ଭକ୍ତ ମହଲ । ଯେଉଁଠି ମହାପ୍ରଭୁଙ୍କ ଅଳଙ୍କାର ମରାମତି ପାଇଁ ଶ୍ରୀମନ୍ଦିର ପ୍ରଶାସନ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି, ସେଠି ସୁନାବେଶରେ ଭଙ୍ଗା ସୁନା କିରୀଟ ଲାଗି ହେବା ଘଟଣାକୁ ଭକ୍ତ ମହଲ ବି ସହଜରେ ହଜମ କରିପାରୁନାହାନ୍ତି ।

ବୁଧବାର ଅପରାହ୍ଣରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସହ ବଡ଼ଠାକୁର ଶ୍ରୀବଳଭଦ୍ର ଓ ମା ସୁଭଦ୍ରାଙ୍କ ପାଇଁ ଏକକାଳୀନ ସୁବର୍ଣ୍ଣ ଅଳଙ୍କାର ଶ୍ରୀମନ୍ଦିର ରତ୍ନ ଭଣ୍ଡାରରୁ ଆସିଥିଲା । ଆସିବା ସମୟରେ ମହାପ୍ରଭୁଙ୍କ କିରୀଟ ସମ୍ପୂର୍ଣ ଅକ୍ଷତ ଥିଲା । ସୁନାର ଦୁଇଟି ହାତୀ ମୁଣ୍ଡ ଓ ୨୧ଟି ସୁନାର ପାଖୁଡା କିରୀଟର ଲାଗିଥିଲା । କିରୀଟର ଦୁଇ ପାର୍ଶ୍ଵରେ ଅର୍ଥାତ ପାଖୁଡ଼ାର ଶେଷ ଦୁଇ ପାର୍ଶ୍ବରେ ହାତୀ ମୁଣ୍ଡ ରହିଥିଲା । କିନ୍ତୁ ମହାପ୍ରଭୁଙ୍କୁ ଲାଗି ପରେ ସୁନାର ଦୁଇଟି ହାତୀ ମୁଣ୍ଡ ଓ ସୁନାର ୨୦ଟି ପାଖୁଡା ରହିଥିବା ଦେଖିବାକୁ ମିଳିଛି । ବାମ ପାର୍ଶ୍ୱରୁ ହାତୀ ମୁଣ୍ଡ ପରେ ସୁନାର ତୃତୀୟ ପାଖୁଡା ଗାଏବ ଥିବା ଦେଖିବାକୁ ମିଳିଛି । ଯାହା ଏବେ ବିରାଟ ପ୍ରଶ୍ନ ଠିଆ କରିଛି । କିରୀଟର ଏହି ଭଙ୍ଗା ସ୍ଥାନକୁ ଲୁଚାଇବା ପାଇଁ ଏଥିରେ ମଲ୍ଲି ଫୁଲର ମାଳ ଲଗାଯାଇଥିବା ଦେଖିବାକୁ ମିଳିଛି ।