ଶୀତତାପ ନିୟନ୍ତ୍ରୀତ କୋଠରୀରେ ରହୁଛନ୍ତି କୁକୁଡ଼ା । ମଣିଷ ବଦଳରେ କୁକୁଡ଼ାଙ୍କୁ ଖାଦ୍ୟ ଓ ପାନୀୟ ଯୋଗାଉଛି ମେସିନ୍

324

କନକ ବ୍ୟୁରୋ : ଅତ୍ୟାଧୁନିକ ପଦ୍ଧତିରେ କୁକୁଡ଼ା ଫାର୍ମ । ଶୀତତାପ ନିୟନ୍ତ୍ରୀତ କୋଠରୀ ଭିତରେ ରହୁଛନ୍ତି କୁକୁଡ଼ା । ଆଉ ମଣିଷ ବଦଳରେ ମେସିନ୍ କରୁଛି କାମ । ମେସିନ୍ ଦେଉଛି କୁକୁଡ଼ାଙ୍କୁ ଖାଦ୍ୟ, ପାନୀୟ । କେବଳ ଏତିକି ନୁହେଁ ସମ୍ପୂର୍ଣ୍ଣ ଶୀତତାପ ନିୟନ୍ତ୍ରୀତ ଏହି କୋଠରୀରେ ଲାଗିଛି ଅତ୍ୟାଧୁନିକ ସେନ୍ସର । କୁକୁଡ଼ା ଛୁଆଙ୍କୁ କେତେ ତାପମାତ୍ରା ଦରକାର ତାହା ମଧ୍ୟ ନିର୍ଦ୍ଧାରଣ କରୁଛି ମେସିନ୍ । ଏଭଳି ଏକ କୁକୁଡ଼ା ଫାର୍ମ କରି ଭଲ ରୋଜଗାର ଆଶା ରଖିଛନ୍ତି ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ତିରିକଣା ଗାଁର ଯୁବକ ଅରୁଣ କୁମାର ନାୟକ ।

ଅରୁଣ ତାଙ୍କ ଘର ନିକଟରେ ଥିବା ଏକ କଲେଜରେ ଲାବରୋଟରୀରେ ଟେକ୍ନିସିଆନ୍ ଭାବେ କାମ କରନ୍ତି । କିନ୍ତୁ ସେଥିରୁ ମିଳୁଥିବା ଦରମାରେ ପରିବାର ପ୍ରତିପୋଷଣ କରିବା ସମ୍ଭବ ହେଉନଥିବାରୁ ନୂଆ କିଛି କରିବା ପାଇଁ ଉଦ୍ୟମ କରିଥିଲେ । ୟୁଟ୍ୟୁବ୍ରୁ କୁକୁଡ଼ା ଚାଷ ପ୍ରଣାଳୀ ବିଷୟରେ ଶିକ୍ଷିବା ପରେ ଏହି ଚାଷ କରିବା ପାଇଁ ମନସ୍ତ କରିଥିଲେ । ନିଜର ସଂଚିତ ଅର୍ଥ ଓ ବ୍ୟାଙ୍କରୁ କିଛି ରୁଣ ନେଇ ଉନ୍ନତମାନର ଫାର୍ମ କରିଛନ୍ତି ଅରୁଣ ।

ଅରୁଣଙ୍କ ବାପା ଜଣେ ପାନ ଚାଷୀ । ଚାଷ କାମରୁ ସମୟ ମିଳିରେ ସେ ମଧ୍ୟ କୁକୁଡ଼ା ଫାର୍ମରେ କାମ କରନ୍ତି । ନୂଆକରି ଏଭଳି ଏକ ଫାର୍ମ ପ୍ରତିଷ୍ଠା କରାଯାଇଥିବାରୁ ସ୍ଥାନୀୟ ଅଂଚଳର ଲୋକମାନେ କୁକୁଡ଼ା ଚାଷ ବିଷୟରେ ଜାଣିବା ପାଇଁ ଫାର୍ମରେ ଭିଡ଼ ଜମାଉଛନ୍ତି ।