କେବଳ କ୍ଷେତରୁ କୋବି ତୋଳିବା ପାଇଁ ୬୩ ଲକ୍ଷ ଟଙ୍କା ଦରମା ଦେବ କମ୍ପାନୀ । ମାଲାମାଲ କରିଦେବ ଏମିତି ଚାକିରି ।

393

କନକ ବ୍ୟୁରୋ : କୋବି ତୋଳିଲେ ୬୩ ଲକ୍ଷ ଦରମା । ମାଲାମାଲ କରିଦେବ ଏମିତି ଚାକିରି । ଆପଣ, କ୍ଷେତରେ କୋବି ଚାଷ ନିଶ୍ଟୟ ଭାବେ ଦେଖିଥିବେ । ଚାଷୀଟିଏ କଠିନ ପରିଶ୍ରମ କରି ଚାଷ କରେ, ଆଉ ଫସଲ ଅମଳ କରି ତାକୁ ବଜାରରେ ବିକ୍ରି କରିଥାଏ । କିନ୍ତୁ ଥରେ ଭାବନ୍ତୁ ତ, ଏହି ପୂରା ପ୍ରକ୍ରିୟା ଭିତରେ ଚାଷୀଟିର କେତେ ଟଙ୍କା ଖର୍ଚ୍ଚ ହୋଇଥାଏ, ଆଉ ଫସଲ ଅମଳ ପରେ ତାକୁ କେତେ ଟଙ୍କା ଲାଭ ମିଳେ । ଯଦି ଆମେ ପତ୍ର କୋବି କଥା କହିବା, ତେବେ ବଜାରରୁ ତାହା ଆପଣ କେଜି ପିଛା ୩୦ରୁ ୫୦ ଟଙ୍କା ଦରରେ କିଣିଥାନ୍ତି । ଆଉ ଚାଷୀଟିଏ ହୁଏତ ପୂରା ଫସଲରୁ ୧୦ରୁ ୧୫ ହଜାର ଟଙ୍କା ଲାଭ କରିଥାଏ ।

ଆପଣ ଭାବୁଥିବେ, ଆମେ ଆପଣଙ୍କୁ ଆଜି ଏହି କୋବି କଥା କାହିଁକି କହୁଛୁ । କାରଣ କୋବିକୁ ନେଇ ସାମ୍ନାକୁ ଆସିଛି ଏକ ଆଶ୍ଚର୍ଯ୍ୟ କରିଦେବା ଭଳି ଖବର । ୟୁନାଇଟେଡ୍ କିଙ୍ଗଡମର ଏକ ଫାର୍ମିଂ କମ୍ପାନୀ ପକ୍ଷରୁ ଅନଲାଇନରେ ଏକ ବିଜ୍ଞାପନ ଦିଆଯାଇଛି । ଯେଉଁଥିରେ ବର୍ଷତମାମ କ୍ଷେତରୁ କୋବି ଏବଂ ବ୍ରୋକୋଲି ତୋଳିବା ପାଇଁ ଏକ ଚାକିରି ପଦବୀ ସୃଷ୍ଟି କରାଯାଇଛି । ଆଉ ଏହି ଚାକିରି ପାଇଁ କେତେ ଟଙ୍କା ଦରମା ରହିଛି, ଯଦି ତାହା ଆପଣ ଜାଣିବେ, ତେବେ ଆପଣଙ୍କ ହୋସ୍ ଉଡିଯିବ । ତେବେ ଆସନ୍ତୁ ଜାଣିବା ଏହି ଚାକିରି ବିଷୟରେ ପୂରା ତଥ୍ୟ ।

ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁଯାୟୀ, କ୍ଷେତରୁ କୋବି ତୋଳିବା କାମ ପାଇଁ ଜଣଙ୍କୁ ଘଂଟାକୁ ୩୦ ପାଉଣ୍ଡ ଅର୍ଥାତ ଭାରତୀୟ ମୁଦ୍ରାରେ ୩୦୦୦ ଟଙ୍କାରୁ ଅଧିକ ଟଙ୍କା ଦରମା ଆକାରରେ ମିଳିବ । ତେବେ ବର୍ଷକୁ ଏହି କାମ ପାଇଁ ୬୨ ହଜାର ୪୦୦ ପାଉଣ୍ଡ ଅର୍ଥାତ ଭାରତୀୟ ମୁଦ୍ରାରେ ୬୩ ଲକ୍ଷ ୧୧ ହଜାର ୬୪୧ ଟଙ୍କା ଦରମା ମିଳିବ । ତେବେ ଏହି କୋବି ଏବଂ ବ୍ରୋକୋଲି ତୋଳିବା କାମ ବର୍ଷ ତମାମ କରିବାକୁ ପଡିବ ।

ଏବେ ଆପଣ ଭାବୁଥିବେ, ଏଭଳି କାମ ପାଇଁ କାହିଁକି ଏତେ ଟଙ୍କାର ଦରମା ମିଳିବ । ଏହା ପଛର କାରଣ ଆସନ୍ତୁ ଜାଣିବା । ୟୁନାଇଟେଡ୍ କିଙ୍ଗଡମରେ ବର୍ତମାନ ୱାର୍କର୍ସଙ୍କ ସଂଖ୍ୟା କମ ରହିଛି । ଆଉ ଏଭଳି ସ୍ଥିତିରେ କାମ ପାଇଁ ୱାର୍କର୍ସଙ୍କ ଆଗରେ କିଛି ଏଭଳି ଆକର୍ଷଣୀୟ ସାଲାରୀ ଅଫର ରଖୁଛନ୍ତି କମ୍ପାନୀ । ଆଉ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ, ଡ୍ରାଇଭରଙ୍କଠୁ ଆରମ୍ଭ କରି ପେଟ୍ରୋଲ ପମ୍ପରେ କାମ କରୁଥିବା କର୍ମଚାରୀଙ୍କ ପର୍ଯ୍ୟନ୍ତ, ସବୁଥିରେ ୱାର୍କର୍ସଙ୍କର ଅଭାବ ରହିଥିବାରୁ, କର୍ମଚାରୀଙ୍କ ଦରମା ପାଖାପାଖି ୭୫ ପ୍ରତିଶତ ବଢାଇ ଦିଆଯାଇଛି ।