କନକ ବ୍ୟୁରୋ : ଅତି ସୁଲଭ ମୂଲ୍ୟରେ ସେବା ଯୋଗାଇ ବ୍ୟବସାୟରେ ତିଷ୍ଠି ରହିବା ସମ୍ଭବ ନହେବାରୁ ନିକଟରେ ଦେଶର ପ୍ରମୁଖ ଟେଲିକମ୍ କଂପାନିଗୁଡ଼ିକ ମୋବାଇଲ୍ ରିଚାର୍ଜ ମୂଲ୍ୟରେ ୨୦-୨୫% ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଫଳରେ ତିନି ମାସିଆ ରିଚାର୍ଜ ଦାମ୍ ୭୦୦ ଟଙ୍କାରୁ ଅଧିକ ହୋଇଯାଇଛି। ପ୍ରିପେଡ୍ କ୍ଷେତ୍ରରେ ସର୍ବନିମ୍ନ ରିଚାର୍ଜ ମୂଲ୍ୟ ୯୯ ଟଙ୍କାରେ ପହଞ୍ଚିଛି। ଆଗାମୀ ଦିନରେ ବ୍ରଡ୍ବ୍ୟାଣ୍ଡ୍ ମଧ୍ୟ ମହଙ୍ଗା ହେବାକୁ ଯାଉଛି। ଏହି କ୍ଷେତ୍ରର ଏକ କଂପାନିର ସହ ପ୍ରତିଷ୍ଠାତା ଏଭଳି ଆଭାସ ପ୍ରଦାନ କରିଛନ୍ତି।
ତାଙ୍କ ମତରେ ଗ୍ରାହକ ପିଛା ଯେଉଁ ରାଜସ୍ବ ମିଳୁଛି ସେଥିରେ ସଂଶୋଧନ ଆବଶ୍ୟକ। ଗ୍ରାହକ ହାସଲ କରିବା ଲାଗି ଯେଉଁଭଳି ପ୍ରତିଯୋଗିତା ଚାଲିଛି ସେଥିରେ ଏତେ କମ୍ ଟଙ୍କାରେ ସେବା ଯୋଗାଇବା କଷ୍ଟକର ହେଉଛି। ବ୍ୟାବସାୟିକ ଦୃଷ୍ଟିକୋଣରୁ ତିଷ୍ଠି ରହିବାକୁ ହେଲେ ବ୍ରଡ୍ବ୍ୟାଣ୍ଡ୍ ଟାରିଫ୍ ମୂଲ୍ୟରେ ୧୫-୨୦ ପ୍ରତିଶତ ବୃଦ୍ଧି ଆଣିବା ଜରୁରୀ। ବଜାରରେ ପ୍ରତିଯୋଗିତା ଚାଲିଥିବାରୁ ଗ୍ରାହକମାନଙ୍କୁ ଓଟିଟି ପ୍ଲାଟଫର୍ମଗୁଡ଼ିକୁ ବିନା ମୂଲ୍ୟରେ ପ୍ରଦାନ କରିବାକୁ ପଡ଼ୁଛି। ସେ ବାବଦରେ ବ୍ରଡବ୍ୟାଣ୍ଡ୍ କଂପାନିଗୁଡ଼ିକ ଯେଉଁ ଖର୍ଚ୍ଚ କରୁଛନ୍ତି ତାହା ସଂସ୍ଥା ଉପରେ ଚାପ ସୃଷ୍ଟି କରୁଛି। ଦେଶର ଯଦି କୌଣସି ବଡ଼ କଂପାନି ଦାମ୍ ବଢ଼ାଇବା ଆରମ୍ଭ କରିବ ତେବେ ଅନ୍ୟମାନେ ତାହାକୁ ଅନୁସରଣ କରିବେ ବୋଲି ଆଶା କରାଯାଉଛି। ତେବେ କୌଣସି ବଡ଼ ସଂସ୍ଥା ବ୍ରଡ୍ବ୍ୟାଣ୍ଡ୍ ଦାମ୍ ବଢ଼ାଇବା ବିଷୟରେ ଏପର୍ଯ୍ୟନ୍ତ କିଛି ସୂଚନା ଦେଇନାହାନ୍ତି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/12/9-14.jpg)