ଜାଲିଆନାୱାଲାବାଗ ହତ୍ୟାକାଣ୍ଡକୁ ଆଜି ୧୦୦ ବର୍ଷ ପୁରିଲା ! ଆଜିର ଦିନରେ ୩୭୯ ନିରୀହଙ୍କ ରକ୍ତରେ ହୋଲି ଖେଳିଥିଲା ଜେନେରାଲ୍ ଡାୟାର୍ ।

487

ଆଜି ଏପ୍ରିଲ୍ ୧୩ ତାରିଖ , ୨୦୧୯ । ଆଜକୁ ୧୦୦ ବର୍ଷ ପୂର୍ବେ ଏପ୍ରିଲ୍ ୧୩ , ୧୯୧୯ ରେ ଏଭଳି କିଛି ହୋଇଥିଲା ଯେଉଁଥିରେ ସମ୍ପୁର୍ଣ୍ଣ ଦେଶର ଆତ୍ମା କାନ୍ଦି ଉଠିଥିଲା । ଜାଲିୱାଲାବାଗ୍ ହତ୍ୟାକାଣ୍ଡକୁ ୧୦୦ ବର୍ଷ ପୂର୍ତ୍ତି ହୋଇଯାଇଥିଲେ ମଧ୍ୟ ଏହି ବିଭତ୍ସ ହତ୍ୟାକାଣ୍ଡର ଚିତ୍ର ଆଜି ପର୍ଯ୍ୟନ୍ତ ଇତିହାସର କଳା ଦିବସ ରୁପେ ସାଇତା ହୋଇରହିଛି । ଏହି ହତ୍ୟାକାଣ୍ଡର ମୁଖ୍ୟ ଦୋଷୀ ଥିଲେ ବ୍ରିଗେଡିୟର୍ ଜେନେରାଲ୍ ରେଜିନାଲ୍ଡ ଡାୟାର୍ ଏବଂ ଲେଫ୍ଟିନାଣ୍ଟ୍ ଗଭର୍ଣ୍ଣର ମାଇକେଲ୍ ଓ ଡାୟାର । ୧୯୨୭ରେ ଗମ୍ଭୀର ରୋଗ କାରଣରୁ ରେଜିନାଲ୍ଡ ଡାୟାରଙ୍କ ମୃତ୍ୟୁ ହୋଇଯାଇଥିଲା । କିନ୍ତୁ ମାଇକେଲ୍ ଡ୍ରାୟାର ଜିବିତ ଥିଲେ ଏବଂ ବ୍ରିଟେନ୍ ଫେରି ଆସିଥିଲେ । କିନ୍ତୁ ଜଣେ ଯୁବକ ୨୧ ବର୍ଷ ପରେ ମଧ୍ୟ ତାଙ୍କ ପିଛା କରୁଥିଲେ ଏବଂ ଏକ ଜନଗହଳି ପୂର୍ଣ୍ଣ ହଲରେ ତାଙ୍କୁ ଗୁଳି ମାରି ଜାଲିୱାନାବାଗ୍ ହତ୍ୟାକାଣ୍ଡର ପ୍ରତିଶୋଧ ନେଇଥିଲେ । ସେ ଯୁବକ ଜଣକ ଥିଲେ ଉଦ୍ଧମ ସିଂହ ।

 

ଜାଲିୱାଲାବାଗ୍ ହତ୍ୟାକାଣ୍ଡ ବ୍ରିଟିଶ୍ ଇତିହାସର ସେହି ବଦନାମ୍ ଦାଗ ଯାହାର ଚର୍ଚ୍ଚା ମାତ୍ରେ ଆଜି ବି ଇଂରେଜଙ୍କ ମୁଣ୍ଡ ତଳକୁ ନଇଁଯାଏ । ବ୍ରିଟେନ୍ ପ୍ରଧାନମନ୍ତ୍ରୀ ଥେରେସା ମେନେ ଏପ୍ରିଲ୍ ୧୦ ତାରିଖରେ ଏହି ଘଟଣା ପାଇଁ ପଶ୍ଚାତାପ ପ୍ରକଟ କରିଥିଲେ । ୧୯୧୯ ମସିହା ଏପ୍ରିଲ୍ ୧୩ ତାରିଖ ବୈଶାଖୀ (ଶିଖ୍ ଧର୍ମାବଲମ୍ବୀଙ୍କ ପର୍ବ) ସମୟରେ ପଞ୍ଜାବ ସମେତ ଭାରତର ଭିନ୍ନ ଭିନ୍ନ ସ୍ଥାନରୁ ଶ୍ରଦ୍ଧାଳୁ ବୈଶାଖୀ ପାଳନ କରିବା ପାଇଁ ଅମୃତସର ପହଂଚିଥିଲେ । ଅମୃତସରରେ ଗୋଟିଏ ଦିନ ପୂର୍ବରୁ ହିଁ ବ୍ରିଟିଶ୍ ସରକାର କର୍ଫୁ ଲଗାଇ ଦେଇଥିଲେ । ସରକାର ଘୋଷଣା କରିଥିଲେ ଯେ ଲୋକମାନେ କେଉଁଠି ଏକାଠି ରହିପାରିବେ ନାହିଁ । କିନ୍ତୁ ବୈଶାଖୀ ଦିନ ସ୍ୱର୍ଣ୍ଣ ମନ୍ଦିରରେ ଦର୍ଶନ ପରେ ଶ୍ରଦ୍ଧାଳୁ ଜାଲିୱାନାବାଗ୍ ଠାରେ ମିଶିଥିଲେ । କିଛି ସମୟ ମଧ୍ୟରେ ସେଠାରେ ହଜାର ସଂଖ୍ୟକ ଭିଡ଼ ଏକାଠି ହୋଇଥିଲା ।

ଉକ୍ତ ସମୟରେ ଜେନେରାଲ୍ ଡାୟାର୍ କୌଣସି ଚେତାବନୀ ନ ଦେଇ କେବଳ ଫାୟାର୍ ବୋଲି କହିଥିଲେ । ଏହାପରେ ଚାଲିଥିଲା ଆଖିବୁଜା ଗୁଳିବର୍ଷଣ । କେହି କିଛି ବୁଝିବା ପୂର୍ବରୁ ନିମିଶକେ ବୋହିଗଲା ରକ୍ତର ନଦୀ । ଗୁଳିରୁ ବଂଚିବା ପାଇଁ ମହିଳାମାନେ ସେଠାରେ ଥିବା ଗୋଟିଏ କୂଅକୁ ଡେଇଁ ପଡିଥିଲେ । ଫାୟାରିଙ୍ଗ୍ ବନ୍ଦ ହେବା ପରେ ଏହି କୂଅରୁ ୧୨୦ ଟି ଶବ ବାହାର କରାଯାଇଥିଲା । କିଛି ଲୋକ କାନ୍ଥ ଡେଇଁ ବାହାରକୁ ଯିବାକୁ ଚେଷ୍ଟା କରିଥିଲେ କିନ୍ତୁ ଗୁଳିରୁ ବଂଚିବା ତାଙ୍କ ପାଇଁ କଷ୍ଟ ହୋଇଗଲା । ଆଜି ପର୍ଯ୍ୟନ୍ତ ଗୁଳିର ଚିହ୍ନ ସେଠାକାର କାନ୍ଥରେ ରହିଛି ।

ଇଟାର କାନ୍ଥରେ ୧୦୦ ବର୍ଷ ପୂର୍ବେ ବାଜିଥିବା ଏହି ଗୁଳିର ଚିହ୍ନ ଧିରେ ଧିରେ କ୍ଷୟ ହେବାକୁ ଲାଗିଲାଣି । ୧୦ ମିନିଟ୍ ପର୍ଯ୍ୟନ୍ତ ଚାଲିଥିବା ଏହି ଲୋମଟାଙ୍କୁରା ଘଟଣାରେ ୧୬୫୦ ରାଉଣ୍ଡ ଗୁଳି ବର୍ଷା ହୋଇଥିଲା । ବ୍ରିଟିସ୍ ସରକାର ମୁତାବକ ଏହି ହତ୍ୟାକାଣ୍ଡରେ ୩୭୯ ଜଣ ଲୋକ ଇହଲୀଳା ସମ୍ଭରଣ କରିଥିବା ବେଳେ ୧୨୦୦ ଲୋକ ଗୁରୁତର ଆହତ ହୋଇଥିଲେ । ମୃତକଙ୍କ ମଧ୍ୟରେ ବୃଦ୍ଧ,ମହିଳା,ଶିଶୁ,ଯୁବକ ସବୁବର୍ଗର ଲୋକ ଥିଲେ ।