ତାଲିବାନର ସର୍ବୋଚ୍ଚ ନେତାଙ୍କୁ ହତ୍ୟା, ଉପ-ପ୍ରଧାନମନ୍ତ୍ରୀ ବନ୍ଦୀ! ବ୍ରିଟେନ ମାଗାଜିନ୍ ଦେଲା ସାଂଘାତିକ ତଥ୍ୟ, ଜାଣନ୍ତୁ ସତ କଣ ମିଛ କଣ?

196

କନକ ବ୍ୟୁରୋ : ଆଫଗାନିସ୍ତାନକୁ ତାଲିବାନ ଦଖଲ କରିଛି ସତ କିନ୍ତୁ ଏବେ ଭୟଙ୍କର ସଙ୍କଟ ଦେଇ ଗତି କରୁଛି ତାଲିବାନ । ଏପରିକି ଆଫଗାନିସ୍ତାନକୁ ଏବେ ତାଲିବାନ ନୁହେଁ ବରଂ ପାକିସ୍ତାନ ନିୟନ୍ତ୍ରଣ କରୁଥିବା କୁହାଯାଉଛି । କାରଣ ତାଲିବାନ ମୁଖ୍ୟ ତଥ୍ୟ ତାଲିବାନର ସର୍ବୋଚ୍ଚ ନେତା ହୈବତୁଲ୍ଲା ଅଖୁନ୍ଦଜାଦାର ମୃତ୍ୟୁ ହୋଇଥିବା କୁହାଯାଉଛି । ତାଲିବାନର ଉପ ପ୍ରଧାନମନ୍ତ୍ରୀ ମୁଲ୍ଲା ବରାଦର ପାକିସ୍ତାନ କବଜାରେ ଥିବା ଜଣାପଡ଼ିଛି । ବରାଦରଙ୍କୁ କାନ୍ଦାହାରରେ ବନ୍ଦୀ କରି ରଖାଯାଇଥିବା କୁହାଯାଉଛି । ବରାଦର ଗୁରୁତର ହୋଇଥିବା ଖବର ପ୍ରଚାରିତ ହୋଇଥିଲା । ଏହାକୁ ଗୁଜବ ପ୍ରମାଣିତ କରିବାକୁ ଯାଇ ତାଙ୍କର ଏକ ଭିଡିଓ ପ୍ରସାରିତ କରାଯାଇଥିଲା । ଏହା ପରଠାରୁ ତାଙ୍କୁ ଆଉ ଦେଖିବାକୁ ମିଳୁନାହିଁ ।

ସରକାର ଗଠନ ନେଇ କାନ୍ଦାହାରରେ ଆଲୋଚନା ଚାଲିଥିବା ବେଳେ ବରାଦର ଓ ହକ୍କାନୀ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା । କଥାବାର୍ତା ବେଳେ ହକ୍କାନୀ ଗୋଷ୍ଠୀର ନେତା ଖଲିଲୁର ରେହମାନ୍ ବରାଦରଙ୍କୁ ଆକ୍ରମଣ କରିଥିବା କୁହାଯାଉଛି । ଏହା ପରେ ଉଭୟ ଗୋଷ୍ଠୀର ସମର୍ଥକଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା । ଏହା ପରେ ବରାଦରଙ୍କୁ ବନ୍ଦୀ କରାଯାଇଥିବା ଚର୍ଚ୍ଚା ହେଉଛି । ସେପଟେ ତାଲିବାନ ମୁଖ୍ୟ ହୈବତୁଲ୍ଲା ଅଖୁନ୍ଦଜାଦା ଏବେ ନିଖୋଜ । ତାଙ୍କୁ ଦେଶର ସର୍ବୋଚ୍ଚ ଆଧ୍ୟାତ୍ମିକ ନେତା ଘୋଷଣା କରାଯାଇଥିଲା । ହେଲେ ତାଙ୍କର କୌଣସି ଖୋଜଖବର ନାହିଁ । ତାଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି । ଅଖୁନ୍ଦଜାଦାଙ୍କ ଖୋଜଖବର ନାହିଁ, ବରାଦର କାନ୍ଦାହାରରେ ବନ୍ଦୀ, ଏପରି ସ୍ଥଳେ ତାଲିବାନ ଏବେ ମୁରବୀହୀନ । ଆଫଗାନିସ୍ତାନରୁ ଆମେରିକା ସେନା ହଟାଇ ନେବା ପରେ ତାଲିବାନ ନେତାମାନେ କ୍ଷମତା ଦଖଲ କରିଥିଲେ । ବିଭିନ୍ନ ପର୍ଯ୍ୟାୟର ଆଲୋଚନା ପରେ ସରକାର ଗଠନ ମଧ୍ୟ ଘୋଷଣା ହୋଇଥିଲା । ହେଲେ ସରକାର ଗଠନକୁ ନେଇ ତାଲିବାନ ଭିତରେ ଗୋଷ୍ଠୀ ବିବାଦ ଉଗ୍ର ରୂପ ଧାରଣ କରିଛି ।

ଏହି ଗୋଷ୍ଠୀ ସଂଘର୍ଷ ସମୟରେ ପାକିସ୍ତାନୀ ଗୁଇନ୍ଦା ସଂସ୍ଥାର ମୁଖ୍ୟ ଫୈଜ ହମିଦ୍ କାବୁଲରେ ଥିଲେ। ସେ ହସ୍ତକ୍ଷେପ କରି ହକ୍କାନୀ ଗୋଷ୍ଠୀକୁ ସମର୍ଥନ ଜଣାଇଥିଲେ । ସୂଚନାଯୋଗ୍ୟ ଯେ ବରାଦର ୮ ବର୍ଷ ଧରି ପାକିସ୍ତାନ ଜେଲରେ ଥିଲେ। ଦୋହା ଆଲୋଚନାରେ ତାଲିବାନର ପ୍ରତିନିଧିତ୍ବ କରିବା ଲାଗି ଆମେରିକାର ତତ୍କାଳୀନ ରାଷ୍ଟ୍ରପତି ଟ୍ରମ୍ପଙ୍କ ପରାମର୍ଶ କ୍ରମେ ପାକିସ୍ତାନ ତାଙ୍କୁ ମୁକ୍ତ କରିଥିଲା । ଦୋହା ଆଲୋଚନା ପରେ ସଙ୍କେତ ମିଳିଥିଲା ଯେ ତାଙ୍କୁ ତାଲିବାନ ସରକାରରେ ପ୍ରଧାନମନ୍ତ୍ରୀ କରାଯିବ । କିନ୍ତୁ ହକ୍କାନୀ ଗୋଷ୍ଠୀର ବିରୋଧ ପରେ ତାଙ୍କୁ ଉପପ୍ରଧାନମନ୍ତ୍ରୀ କରାଯାଇଥିଲା । ମୁଲ୍ଲା ହୁସେନ ଅଖୁନ୍ଦଙ୍କୁ ପ୍ରଧାନମନ୍ତ୍ରୀ କରାଯାଇଥିଲା । ଅଖୁନ୍ଦ ପ୍ରଧାନମନ୍ତ୍ରୀ ଥିଲେ ମଧ୍ୟ ତାଙ୍କୁ କୌଣସି କ୍ଷମତା ଦିଆଯାଉନାହିଁ ।

ସବୁ କ୍ଷମତା ଉପଭୋଗ କରୁଛନ୍ତି ଆଭ୍ୟନ୍ତରୀଣ ବ୍ୟାପାର ମନ୍ତ୍ରୀ ସିରାଜୁଦ୍ଦିନ ହକ୍କାନୀ । ସେ ହେଉଛନ୍ତି ହକ୍କାନୀ ଗୋଷ୍ଠୀର ପ୍ରଭାବଶାଳୀ ନେତା । ତାଙ୍କ ଜରିଆରେ ପାକିସ୍ତାନ ଶାସନ ଚଳାଇଥିବା କୁହାଯାଉଛି । ତେବେ ସବୁଠାରୁ ଉଲ୍ଲେ୍ଖନୀୟ କଥା ହେଲା ଯେ ତାଲିବାନର ମୁଖ୍ୟ ହୈବତୁଲ୍ଲା ଅଖୁନଜାଦା ଏବେ ନିଖୋଜ । ତାଙ୍କୁ ଦେଶର ସର୍ବୋଚ୍ଚ ଆଧ୍ୟାତ୍ମିକ ନେତା ଘୋଷଣା କରାଯାଇଥିଲେ ମଧ୍ୟ ତାଙ୍କର କୌଣସି ଖୋଜଖବର ନାହିଁ । କୁହାଯାଉଛି ‌ଯେ ତାଙ୍କର ମୃତ୍ୟୁ ଘଟିଛି। କିନ୍ତୁ ଏହି ଖବର‌ କେତେ ସତ ତାହା ଜଣାପଡ଼ୁନାହିଁ ।