କନକ ବ୍ୟୁରୋ : କରୋନା ଭାଇରସ୍ ବ୍ରିଟେନ୍ରେ ୪୧ ହଜାରରୁ ଅଧିକ ଲୋକଙ୍କ ଜୀବନ ନେଲାଣି। ରଏଟର୍ସ୍ ତଥ୍ୟ ଅନୁଯାୟୀ ବ୍ରିଟେନ୍ ୟୁରୋପ୍ରେ ସର୍ବାଧିକ କ୍ଷତିଗ୍ରସ୍ତ ରାଷ୍ଟ୍ର। ଇଂଲଣ୍ଡ୍ ଏବଂ ୱେଲ୍ସରୁ ସଂଗୃହିତ ତଥ୍ୟ ଆଧାରରେ ବ୍ରିଟେନ୍ରେ ମୃତ୍ୟୁସଂଖ୍ୟା ୪୧ ହଜାର ୩୦୦ ଅତିକ୍ରମ କରିଯାଇଛି। ୟୁରୋପୀୟ ରାଷ୍ଟ୍ର ଭାବେ ବ୍ରିଟେନ୍ରେ ସବୁଠୁ ଅଧିକ ଲୋକଙ୍କ କରୋନାରେ ମୃତ୍ୟୁ ହୋଇଥିବା ବେଳେ ଆମେରିକା ପଛକୁ ବ୍ରିଟେନ୍ରେ ମୃତ୍ୟୁସଂଖ୍ୟା ଅଧିକ ରହିଛି। ଇଂଲଣ୍ଡ୍, ୱେଲ୍ସ ଏବଂ ଉତ୍ତର ଆୟରଲାଣ୍ଡ୍ରେ ଯେଉଁ ମୃତ୍ୟୁ ସାର୍ଟିଫିକେଟ୍ରେ କୋଭିଡ୍-୧୯ ରହୁଛି ସେହି ତଥ୍ୟ ଆଧାର କରି ରଏଟର୍ସ ଏହି ଆକଳନ କରିଛି।
ଜନ୍ସନ୍ ସରକାର କହିଛନ୍ତି, ପ୍ରତିଦିନ ବ୍ରିଟେନ୍ରେ ମୃତ୍ୟୁସଂଖ୍ୟା କମୁଛି ଏବଂ ସପ୍ତାହକ ମଧ୍ୟରେ ସ୍ଥିତି ନିୟନ୍ତ୍ରଣକୁ ଆସିଯିବ। ତେବେ ବ୍ରାଜିଲ୍ରେ ଲଗାତାର ୪ ଦିନ ଧରି ୩୦ ହଜାରରୁ ଅଧିକ ସଂକ୍ରମଣ ମାମଲା ଚିହ୍ନଟ ହେଉଛି। ଗତ ୯ ତାରିଖ ଦିନ ବ୍ରାଜିଲ୍ରେ ୩୨ହଜାରରୁ ଅଧିକ ମାମଲା ଥିବା ବେଳେ ଆଜି ପୁଣି ବ୍ରାଜିଲ୍ରେ ରେକର୍ଡ ୩୨ ହଜାର ୯୧ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ ବ୍ରାଜିଲ୍ରେ ୧୨୭୨ ଜଣଙ୍କ ମୃତ୍ୟୁ ହୋଇଛି।
ବ୍ରାଜିଲ୍ରେ ମୃତ୍ୟୁସଂଖ୍ୟା ୩୮ ହଜାର ୫୦୦ରେ ପହଞ୍ଚିଥିବା ବେଳେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୭ ଲକ୍ଷ ୪୨ ହଜାର ୮୪ରେ ପହଞ୍ଚିଛି। ସେହିପରି ଆମେରିକାରେ ଗତ ୨୪ ଘଣ୍ଟା ମଧ୍ୟରେ ପୁଣି ୨୫ ହଜାର ନୂଆ ମାମଲା ଚିହ୍ନଟ ହୋଇଛି । ଆମେରିକାରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୨୦ ଲକ୍ଷ ୪୫ ହଜାର ୭୧୫ରେ ପହଞ୍ଚିଛି ଏବଂ ୧ ଲକ୍ଷ ୧୪ ହଜାର ୧୫୧ ଜଣଙ୍କ ମୃତ୍ୟୁ ହୋଇଛି। ବିଶ୍ବବ୍ୟାପୀ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୭୩ ଲକ୍ଷ ୪୨ ହଜାର ୩୫୯ରେ ପହଞ୍ଚିଥିବା ବେଳେ ୪ ଲକ୍ଷ ୧୪ ହଜାର ୧୨୪ ଜଣଙ୍କ ମୃତ୍ୟୁ ହୋଇଛି।