ସରକାର ଲଗାଇଲେ ୫ ପ୍ରତିଶତ ଜିଏସଟି, କମ୍ପାନୀ ବଢାଇଦେଲା ୫୦ ପ୍ରତିଶତ ଦାମ । ଏବେ ୧୦ ଟଙ୍କାର ପ୍ୟାକେଟ ଦହିକୁ ୧୫ ଟଙ୍କାରେ ବିକ୍ରି

341

କନକ ବ୍ୟୁରୋ : ସରକାର ଯେତେବେଳେ ପ୍ୟାକେଟ ଦୁଗ୍ଧ ଜାତୀୟ ଖାଦ୍ୟ ସାମଗ୍ରୀ ଉପରେ ୫ ପ୍ରତିଶତ ଜିଏସଟି ଲଗାଇଲେ ଏହାପରେ ଉତ୍ପାଦନକାରୀ କମ୍ପାନୀ ମାନେ ସେମାନଙ୍କ ମନଇଚ୍ଛା ଦରବୃଦ୍ଧି କରିବାରେ ଲାଗିପଡିଲେ । ଆପଣ କେବେ ଆଶା କରିଥିଲେ କି ୧୦ ଟଙ୍କାର ପ୍ୟାକେଟ ଦହି ଏବେ ୧୫ ଟଙ୍କାରେ ବିକ୍ରି ହେବ । ଏହା ଆପଣଙ୍କ ପକେଟକୁ ତ ନିଶ୍ଚିତ ବାଧିବ ହେଲେ ଥରେ ଚିନ୍ତା କରନ୍ତୁ ତ ଜିଏସଟି ଆଳରେ ଉତ୍ପାଦନକାରୀ କମ୍ପାନୀମାନେ କିଭଳି ଲୁଟ ଚଳାଇଛନ୍ତି ।

କହିରଖୁ କେନ୍ଦ୍ର ସରକାର ଗତମାସରେ ପ୍ରଥମଥର ପାଇଁ ଦୁଗ୍ଧ ଜାତୀୟ ପ୍ୟାକେଟ ସାମଗ୍ରୀକୁ ଜିଏସଟି ପରିସରଭୂକ୍ତ କରିଥିଲେ । ଏହା ଜୁଲାଇ ୧୮ ତାରିଖରୁ ସାରା ଦେଶରେ ଲାଗୁ ହୋଇଛି । ସରକାର ପ୍ୟାକେଟ ଦୁଗ୍ଧ ଜାତୀୟ ସାମଗ୍ରୀ ଉପରେ ୫ ପ୍ରତିଶତ ଜିଏସଟି ଲଗାଇଛନ୍ତି । ହେଲେ ଏବେ ଉତ୍ପାଦନକାରୀ କମ୍ପାନୀମାନେ ଜିଏସଟି ଆଳରେ ୧୦ ଟଙ୍କାର ପ୍ୟାକେଟ ଦହିକୁ ୧୫ ଟଙ୍କାରେ ବିକ୍ରି କରିବା ଆରମ୍ଭ କରିଛନ୍ତି ।

ସୂଚନା ମୁତାବକ ଏବେ ଦେଶରେ ଅନେକ କମ୍ପାନୀ ପ୍ୟାକେଟ କ୍ଷୀର ସମେତ ପ୍ୟାକେଟ ଦହି ମଧ୍ୟ ବିକ୍ରି କରୁଛନ୍ତି । ଏହି କମ୍ପାନୀମାନଙ୍କ ମଧ୍ୟରୁ ବ୍ରିଟାନିଆ ସବୁଠାରୁ ଆଗରେ ରହିଛି । କମ୍ପାନୀ ତରଫରୁ ଭାରତୀୟ ବଜାରରେ ୮୦ ଗ୍ରାମରୁ ଆରମ୍ଭ କରି ୪୦୦ ଗ୍ରାମ ପର୍ଯ୍ୟନ୍ତ ପ୍ୟାକେଟ ଦହି ବିକ୍ରି କରୁଛି । ବ୍ରିଟାନିଆର ୮୦ ଗ୍ରାମ ପ୍ୟାକେଟ ଦହି ଜିଏସଟି ଲାଗୁ ହେବା ପୂର୍ବରୁ ୧୦ ଟଙ୍କାରେ ବିକ୍ରି ହେଉଥିଲା । ୫ ପ୍ରତିଶତ ଜିଏସଟି ଯୋଡାଗଲେ ଏହାର ଦାମ ୧୦ ଟଙ୍କା ୫୦ ପଇସା ହେବା କଥା । ହେଲେ ଜିଏସଟି ଆଳରେ କମ୍ପାନୀ ଏବେ ୮୦ ଗ୍ରାମର ଦହି ପ୍ୟାକେଟକୁ ୧୫ ଟଙ୍କାରେ ବିକ୍ରି କରୁଛି । ଏହାର ସିଧା ପ୍ରଭାବ ଖାଉଟିଙ୍କ ଉପରେ ପଡୁଛି ।

କେବଳ ବ୍ରିଟାନିଆ ନୁହେଁ ସୁଧା କମ୍ପାନୀ ପକ୍ଷରୁ ୧୫୦ ମିଲିଗ୍ରାମର ଲସି ପ୍ରଥମେ ୧୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ଏବେ ୧୨ ଟଙ୍କା ହୋଇଛି । ସେହିଭଳି ମେଙ୍ଗୋ କମ୍ପାନୀର ୧୫୦ ଗ୍ରମା ପ୍ୟାକେଟ ଲସି ୧୦ ଟଙ୍କାରୁ ୧୨ ଟଙ୍କାକୁ ବୃଦ୍ଧି ପାଇଛି । ଏସବୁ ଉପରେ ସରକାର ନଜର ଦେବାକୁ ଖାଉଟିମାନେ ଦାବି କରିଛନ୍ତି ।