ବିଶ୍ୱର ଚିନ୍ତା ବଢାଇଲା ବ୍ରିଟେନର କରୋନା ନୂଆ ଷ୍ଟ୍ରେନ୍ । ପୁରୁଣା ଅପେକ୍ଷା ଅଧିକ ମାରାତ୍ମକ । ୭୦ ପ୍ରତିଶତରୁ ଅଧିକ ବେଗରେ ସଂକ୍ରମିତ ହେଉଛି ଭୂତାଣୁର ନୂଆ ରୂପ ।

1,600

କନକ ବ୍ୟୁରୋ : ଇଂଲଣ୍ଡବାସୀଙ୍କୁ ସ୍କଟଲାଣ୍ଡକୁ ପ୍ରବେଶ ଉପରେ କଟକଣା ଏବଂ ୱେଲ୍ସରେ ଆଉଏକ ଲକଡାଉନ ଘୋଷଣା ଭିତରେ କରୋନାକୁ ନେଇ ଯେଉଁ ନୂଆ ତଥ୍ୟ ସାମ୍ନାକୁ ଆସିଛି ତାହା, ସମଗ୍ର ବିଶ୍ୱର ଚିନ୍ତା ବଢାଇ ଦେଇଛି । ବ୍ରିଟେନର ସ୍ୱାସ୍ଥ୍ୟ ସଚିବ ମ୍ୟାଟ ହ୍ୟାନକକ ସ୍ୱୀକାର କରିଛନ୍ତି ଯେ, ଏଠାରେ କରୋନାର ସଂକ୍ରମଣ ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି । କାରଣ କରୋନା ଭୂତାଣୁର ନୂଆ ଷ୍ଟ୍ରେନ ବା ପ୍ରକାର ସାମ୍ନାକୁ ଆସିଛି । ଯାହା ବୂତାଣୁର ପୂରୁଣା ପ୍ରକାର ଅପେକ୍ଷା ଅଧିକ ମାରାତ୍ମକ ଓ ୭୦ ପ୍ରତିଶତ ଅଧିକ ବେଗରେ ସଂକ୍ରମିତ ହେଉଛି ।

ଭୂତାଣୁର ନୂଆ ପ୍ରକାର: ବଢିଲା ବ୍ରିଟେନର ଚିନ୍ତା
– ଲଣ୍ଡନ ଓ ଦକ୍ଷିଣ-ପୂର୍ବ ଇଂଲଣ୍ଡରେ ଲକଡାଉନ ଘୋଷଣା କରିଛନ୍ତି ବୋରିସ ଜନସନ୍
– ଖ୍ରୀଷ୍ଟମାସ ପାଳନକୁ ଅଳ୍ପଦିନ ଥିବାବେଳେ ଆୟୋଜନକୁ ବାତିଲ କରାଯାଇଛି
– ଇଂଲଣ୍ଡରୁ କୌଣସି ବ୍ୟକ୍ତିଙ୍କ ପ୍ରବେଶ ଉପରେ କଟକଣା ଲଗାଇ ଦେଇଛି ସ୍କଟଲ୍ୟାଣ୍ଡ

ସାରା ବିଶ୍ୱରେ ପ୍ରଥମ ଦେଶ ଭାବେ ବ୍ରିଟେନରେ ଆରମ୍ଭ ହୋଇଥିଲା କୋଭିଡ ଟିକାକରଣ । ଆମେରିକାର ଫାଇଜର ଟିକାକୁ ନେଇ ଦେଶରେ ସମୁହ ଟିକାକରଣ ଆରମ୍ଭ ହୋଇଥିବାବେଳେ ଏପର୍ଯ୍ୟନ୍ତ ପ୍ରାୟ ୩ ଲକ୍ଷ ୫୦ ହଜାର ଲୋକଙ୍କୁ ଟିକାର ପ୍ରଥମ ଡୋଜ୍ ଦିଆଯାଇଛି । ତଥାପି ଲଣ୍ଡନ ସମେତ ଦକ୍ଷିଣ-ପୂର୍ବ ଇଂଲଣ୍ଡରେ ଟାୟାର-୪ କୋଭିଡ କଟକଣା ଜାରି କରାଯାଇଛି ।

ଏହା ସଂପୂର୍ଣ୍ଣ ଲକଡାଉନ ସହିତ ସମାନ । ଅର୍ଥାତ ବିମାନ, ଟ୍ରେନ ଓ ଅନ୍ୟାନ୍ୟ ଯାନବାହାନ ଚଳାଚଳ ବନ୍ଦ ରହିଛି । ସଂପୂର୍ଣ୍ଣ ଟିକାକରଣ ନହେବା ଯାଏଁ ଏସବୁ ଅଂଚଳରେ ଲୋକଙ୍କ ଚଳପ୍ରଚଳ ଉପରେ କଟକଣା ଜାରି ରହିବ । ଚଳିତମାସ ଶେଷ ଯାଏଁ ଲକଡାଉନ କଟକଣା ଜାରି ରହିବା ଅନୁମାନ କରାଯାଉଛି ।