ଚିନ୍ତା ବଢାଇଲା ବ୍ରିଟେନ ଷ୍ଟ୍ରେନ । ରାଜ୍ୟରେ ଆଉଜଣେ ଲଣ୍ଡନ ଫେରନ୍ତା ପଜିଟିଭ ଚିହ୍ନଟ । କୋଭିଡ ହସ୍ପିଟାଲରେ ଭର୍ତି , ୨୦ ତାରିଖରେ ଆସିଥିଲେ ଭୁବନେଶ୍ୱର

114

କନକ ବ୍ୟୁରୋ : ପୁରୁଣା କରୋନା ସଂକ୍ରମଣ ଟିକେ ହ୍ରାସ ପାଇବା ବେଳକୁ ପୁଣି ଚିନ୍ତା ବଢାଇଲାଣି ବ୍ରିଟେନରେ ସୃଷ୍ଟି ହୋଇଥିବା କରୋନାର ନୂଆ ଷ୍ଟ୍ରେନ । ଏହାକୁ ନେଇ ଭାରତ ସରକାର ଚିନ୍ତାରେ ଥିବା ବେଳେ ଓଡିଶା ରାଜ୍ୟକୁ ଆସୁଥିବା ବ୍ରିଟେନ ଫେରନ୍ତାଙ୍କ ଉପରେ କଡା ନଜର ରଖିଛନ୍ତି ରାଜ୍ୟ ସରକାର । ଗତ ୨ ସପ୍ତାହ ମଧ୍ୟରେ ଓଡିଶାକୁ ବ୍ରିଟେନରୁ ୬୧ ଜଣ ଫେରିଥିବା ବେଳେ ସେମାନଙ୍କ ମଧ୍ୟରୁ କେବଳ ଭୁବନେଶ୍ୱର ଫେରିଛନ୍ତି ୨୫ ଜଣ । ମୋଟ ବ୍ରିଟେନ ଫେରନ୍ତାଙ୍କ ମଧ୍ୟରେ ରହିଛନ୍ତି ୧୨ ଜଣ ମହିଳା ଓ ଶିଶୁ । ସେମାନଙ୍କୁ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ରେସ କରିବାକୁ ଚେଷ୍ଟା ଚଳାଇଥିବା ବେଳେ ଭୁବନେଶ୍ୱର ଫେରିଥିବା ଜଣେ ବ୍ରିଟେନ ଫେରନ୍ତାଙ୍କ ଠାରେ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଛି । ଏଭଳି ସ୍ଥିତିରେ ବେସ୍ ସଜାଗ ହୋଇଛି ସ୍ୱାସ୍ଥ୍ୟ ବିଭାଗ । ପଜିଟିଭ୍ ଚିହ୍ନଟ ହୋଇଥିବା ବ୍ୟକ୍ତିଙ୍କୁ ଏକ ଘରୋଇ କୋଭିଡ୍ ହସ୍ପିଟାଲରେ ରଖି ଚିକିତ୍ସା କରାଯାଉଛି ।
କହିରଖୁ କି କିଛି ସପ୍ତାହ ହେବ ରାଜ୍ୟରେ କରୋନା ଗ୍ରାଫ୍ ବେସ୍ ତଳକୁ ଖସୁଥିବାର ଦେଖିବାକୁ ମିଳିଛି । ଏହାରି ମଧ୍ୟମରେ ବି କରୋନା ସଂକ୍ରମଣରେ ହେଉଥିବା ମୃତ୍ୟୁ ବେସ୍ କମ୍ ହୋଇଛି । ଏନେଇ ଲୋକମାନେ ଟିକେ ଆସ୍ୱସ୍ଥି ଅନୁଭବ କରୁଥିବା ବେଳେ ପୁଣି କରୋନାର ନୂଆ ଷ୍ଟ୍ରେନ୍ ରାଜ୍ୟବାସୀଙ୍କ ଚିନ୍ତା ବଢାଇଛି । ଏନେଇ ସରକାର ବିଶେଷ ତତ୍ପର ଥିବା ଭଳି ଜଣାପଡୁଛି । ହେଲେ ଲୋକମାନେ ପୂର୍ବଭଳି କୋଭିଡ୍ କଟକଣା ମାନି ଚଳିବାକୁ ସରକାରଙ୍କ ପକ୍ଷରୁ ଅନୁରୋଧ କରାଯାଇଛି ।