ବ୍ରିଟେନରେ ତେଲକୁ ନେଇ ଗମ୍ଭୀର ସ୍ଥିତି : ଡ୍ରାଇଭରଙ୍କ ଘୋର ଅଭାବ କାରଣରୁ ପେଟ୍ରୋଲ ପମ୍ପରେ ପହଞ୍ଚିପାରୁନି ଟ୍ୟାଙ୍କର

୨୨ ପ୍ରତିଶତ ପେଟ୍ରୋଲ ପମ୍ପରେ ନାହିଁ ତେଲ; ବଢ଼ୁଛି ଅସନ୍ତୋଷ, ଲୋକଙ୍କ ରାସ୍ତା ଅବରୋଧ

127

କନକ ବ୍ୟୁରୋ : ବିଟ୍ରେନରେ ତେଲକୁ ନେଇ ଗମ୍ଭୀର ସ୍ଥିତି ସୃଷ୍ଟି ହୋଇଛି । ସପ୍ତାହରୁ ଅଧିକ ସମୟ ବିତିଯିବା ପରେ ମଧ୍ୟ ବିଶେଷ ସୁଧାର ନ ଆସିବାରୁ ଜନଅନ୍ତୋଷ ଦେଖିବାକୁ ମିଳିଛି । ଭୟଙ୍କର ତୈଳ ସଙ୍କଟ ଯୋଗୁଁ ବିଭିନ୍ନ ସ୍ଥାନରେ ଲୋକମାନେ ରାସ୍ତା ଅବରୋଧ କରିଛନ୍ତି । ବିଭିନ୍ନ ସ୍ଥାନରେ ବିଭ୍ରାଟ ସୃଷ୍ଟି କରୁଥିବା ୩୮ ଲୋକଙ୍କୁ ସ୍ଥାନୀୟ ପୋଲିସ ଗିରଫ କରିଛି । ବିଟ୍ରେନରେ ଥିବା ଅନେକ ପେଟ୍ରୋଲ ପମ୍ପ ଏବେ ବି ବନ୍ଦ ରହିଛି । ଯେଉଁ କେତୋଟି ପେଟ୍ରୋଲ ପମ୍ପ ଖୋଲୁଛି, ସେଥିରେ ଗାଡି ଗୁଡିକ ଲମ୍ବା ଧାଡି ଦେଖିବାକୁ ମିଳୁଛି ।

ଦେଶରେ ଡ୍ରାଇଭରଙ୍କ ଘୋର ଅଭାବ ଥିବାରୁ ଏଭଳି ସ୍ଥିତି ଉପୁଜୁଥିବା ଜଣାପଡିଛି । ତେବେ ଟ୍ୟାଙ୍କର ଗୁଡିକ ସଠିକ୍ ସମୟରେ ପେଟ୍ରୋଲ ପମ୍ପରେ ପହଂଚି ପାରୁନାହିଁ ବୋଲି ବୋରିସ୍ ଜନସନଙ୍କ ସରକାର କହିଛନ୍ତି । କେତେକ ପେଟ୍ରୋଲ ପମ୍ପରେ ଡ୍ରାଇଭର ମାନେ ଗଣ୍ଡଗୋଳ କରୁଥିବା ବେଳେ ଆଉ କେତେକ ସ୍ଥାନରେ ପୁରୁଣା ବୋତଲରେ ଲୋକେ ତେଲ ମହଜୁଦ କରି ରଖୁଛନ୍ତି । ତୈଳ ସଂଙ୍କଟକୁ ନେଇ ବିଟ୍ରେନ ଅର୍ଥମନ୍ତ୍ରୀ ଋଷି ସୁନାକ୍ କହିଛନ୍ତି, ପ୍ରତିକାର ପଦକ୍ଷେପ ସ୍ୱରୁପ ଅତିରିକ୍ତ ଡ୍ରାଇଭରଙ୍କୁ ସାମିଲ କରାଯାଇଛି । ସ୍ଥିତିରେ ସୁଧାର ଆଣିବା ଲାଗି ସେନା ବାହିନୀର ଯବାନଙ୍କୁ ମୁତୟନ କରାଯାଇଛି ।

ରଏଟର୍‌ରେ ପ୍ରକାଶିତ ଖବର ଅନୁଯାୟୀ ଏବେବି ଲଣ୍ଡନ ଓ ଦକ୍ଷିଣ ଇଂଲଣ୍ଡରେ ୨୪ରୁ ଅଧିକ ଗ୍ୟାସ୍‌ ଷ୍ଟେସନ ବନ୍ଦ ରହିଛି । ଏହି ଦୁଇ ସ୍ଥାନରେ ୨୨% ପେ‌ଟ୍ରୋଲ୍ ପମ୍ପ୍‌ରେ ତେଲ ନାହିଁ ବେଲି ପେଟ୍ରୋଲ୍ ରିଟେଲର୍‌ ସଂଘ ପକ୍ଷରୁ କୁହାଯାଇଛି। ସ୍ଥିତି ସ୍ବାଭାବିକ ହେବାକୁ ଆହୁରି ୧୦ ଦିନ ସମୟ ଲାଗିବ ବୋଲି ସଂଘର ଇଡି ଗର୍ଡନ୍ ବାଲ୍‌ମର୍‌ କହିଛନ୍ତି । ତୈଳ ସଙ୍କଟ ଲାଗି ରହିଥିବାରୁ ବ୍ରିଟେନ୍‌ର ଘୁଷୁରି ଚାଷୀମାନେ ବେଶ ଚିନ୍ତିତ ହୋଇପଡ଼ିଛନ୍ତି । କଂଶେଇ ଓ କଂଶେଇଖାନାର ଅଭାବ ଥିବାରୁ ଫାର୍ମଗୁଡ଼ିକରେ ଥିବା ୧୦ ହଜାର ଘୁଷୁରିଙ୍କୁ ହତ୍ୟା କରିବାକୁ ସେମାନେ ଧମକ ଦେଇଛନ୍ତି । ବ୍ରିଟେନ୍‌ର ସ୍ଥିତି ଆହୁରି ଗମ୍ଭୀର କରିଛି ଜନ ଅସନ୍ତୋଷ ।