ବ୍ରିଟେନରେ ଭୟଙ୍କର ସ୍ଥିତି । ଖାଲି ପଡିଛି ପେଟ୍ରୋଲ ପମ୍ପ, ସୁପରମାର୍କେଟରୁ ଖାଲି ହାତରେ ଫେରୁଛନ୍ତି ଲୋକେ ।

2,086

କନକ ବ୍ୟୁରୋ : ବ୍ରିଟେନରେ ଏବେ ପେଟ୍ରୋଲ ସଙ୍କଟ ଦେଖିବାକୁ ମିଳିଛି । ଅଧିକାଂଶ ପେଟ୍ରୋଲ ପମ୍ପ ଏବେ ସମ୍ପୂର୍ଣ୍ଣ ଖାଲି ପଡିଛି । ଆଉ ଯେଉଁଠି ପେଟ୍ରୋଲ ମିଳୁଛି ସେଠାରେ ଭିଡ଼ ଅସମ୍ଭାଳ । ହଜାର ହଜାର ଲୋକ ପେଟ୍ରୋଲ ପମ୍ପରେ ଭିଡ଼ କରୁଥିବାର ଦେଖିବାକୁ ମିଳୁଛି । ଯାହା ପୁଣିଥରେ ବ୍ରିଟେନରେ କରୋନା ବ୍ୟାପିବାର ବଡ କାରଣ ହୋଇପାରେ । ତେଣୁ ଏସବୁକୁ ଦୃଷ୍ଟିରେ ରଖି ପେଟ୍ରୋଲ ପମ୍ପରେ ସେନା ଯବାନଙ୍କୁ ମୁତୟନ କରିବାକୁ ପ୍ରଧାନମନ୍ତ୍ରୀ ବୋରିସ ଜନସନ ବିଚାର କରୁଥିବା ନେଇ ଖବର ପ୍ରକାଶ ପାଇଛି । ଲୋକଙ୍କ ଭିଡ ନିୟନ୍ତ୍ରଣ କରିବାକୁ ପେଟ୍ରୋଲ ପମ୍ପରେ ସେନା ମୁତୟନ କରାଯିବ ।

ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ବିଟ୍ରେନରେ ଗତ କିଛି ଦିନ ହେବ ପେଟ୍ରୋଲର ଭୟଙ୍କର ଅଭାବ ଦେଖିବାକୁ ମିଳିଛି । ସ୍ଥିତି ଏମିତି ହୋଇଛି ଯେ, ୯୦ ପ୍ରତିଶତ ପେଟ୍ରୋଲ ପମ୍ପରେ ତେଲ ନାହିଁ । ଯେଉଁଥିପାଇଁ ଲୋକେ ଆଗୁଆ ଆବଶ୍ୟକତା ଠାରୁ ଅଧିକ ପେଟ୍ରୋଲ କିଣିବା ପାଇଁ ବିଭିନ୍ନ ପେଟ୍ରୋଲ ପମ୍ପରେ ଭିଡ଼ ଜମାଉଛନ୍ତି । ଯାହାକୁ ନିୟନ୍ତ୍ରଣ କରିବା ପୋଲିସ ପକ୍ଷେ ସମ୍ଭବ ହେଉନାହିଁ, ତେଣୁ ସେନାର ସହାୟତା ନେବାକୁ ପ୍ରଧାନମନ୍ତ୍ରୀ ଅଣ୍ଟା ଭିଡ଼ିଥିବା କୁହାଯାଉଛି ।

ବ୍ରିଟେନରେ ହଠାତ୍ ଏମିତି ପେଟ୍ରୋଲ ସଙ୍କଟ ଦେଖା ଦେବା ପଛର ସବୁଠୁ ବଡ କାରଣ ହେଉଛି ଡ୍ରାଇଭରଙ୍କ ଅଭାବ । ଯେଉଁଥିପାଇଁ ପେଟ୍ରୋଲ ସପ୍ଲାଏ ଚେନ୍ ସମ୍ପୂର୍ଣ୍ଣ ଭୁଷୁଡି ପଡିଛି । ରିଫାଇନାରୀରୁ ପେଟ୍ରୋଲ ପମ୍ପ ପାଖରେ ପେଟ୍ରୋଲ ପହଞ୍ଚାଇବାକୁ ମଧ୍ୟ ଡ୍ରାଇଭର ମିଳୁନାହାନ୍ତି । ଯାହାର ପ୍ରଭାବରେ ପେଟ୍ରୋଲ ପମ୍ପ ଖାଲି ପଡୁଛି । କେବଳ କିଛି ସ୍ଥାନରେ ନୁହେଁ ପୂରା ବ୍ରିଟେନରେ ଏବେ ଏଭଳି ସ୍ଥିତି ଉପୁଜିଛି । ଲୋକେ ପେଟ୍ରୋଲ ପାଇଁ ପରସ୍ପର ସହ ଝଗଡା କରୁଛନ୍ତି । ସରକାର ପେଟ୍ରୋଲ ସଙ୍କଟକୁ ନେଇ କହିଛନ୍ତି, ଦେଶରେ ଯେଉଁ ଅବସ୍ଥା ରହିଛି ଗଣମାଧ୍ୟମ ତାହାକୁ ଅଧିକ କରି ଦେଖାଉଛି । ଆଉ ଏହି ସଙ୍କଟକୁ ଦୂର କରିବାକୁ ବୋରିସ ସରକାର ଟ୍ରକ ଡ୍ରାଇଭରଙ୍କ ପାଇଁ ଅସ୍ଥାୟୀ ଭିସା ଜାରି କରିପାରନ୍ତି । ଯାହାଦ୍ୱାରା ଟ୍ରକ ଚାଳକ ଓ ଶ୍ରମିକଙ୍କ ସଙ୍କଟ ଦୂର କରାଯାଇପାରିବ । ତେଣୁ ଖୁବଶୀଘ୍ର ୫୦୦୦ ବିଦେଶୀ ଡ୍ରାଇଭରଙ୍କ ପାଇଁ ଜରୁରୀକାଳୀନ ଭିସା ଜାରି କରିବାକୁ ଅନୁମତି ଦେଇପାରନ୍ତି ବ୍ରିଟେନ ସରକାର ।

କେବଳ ପେଟ୍ରୋଲ ପମ୍ପ ନୁହେଁ ବରଂ ବଡ ବଡ ସୁପରମାର୍କେଟରେ ମଧ୍ୟ ସମାନ ଅବସ୍ଥା । ସୁପରମାର୍କେଟକୁ ଠିକ୍ ସମୟରେ ସାମଗ୍ରୀ ପହଞ୍ଚୁନଥିବାରୁ ଲୋକଙ୍କୁ ଖାଲି ହାତରେ ଫେରିବାକୁ ପଡୁଛି । ପୂର୍ବରୁ ଟ୍ରକ ଡ୍ରାଇଭରଙ୍କ ଅଭାବ ନେଇ ସରକାରଙ୍କୁ ଚେତାଇ ଦିଆଯାଇଥିଲେ ମଧ୍ୟ ସରକାର ଏହାକୁ ଏତେଟା ଗୁରୁତ୍ୱ ଦେଇନଥିଲେ । ଏବେ ଦେଶରେ ୧ ଲକ୍ଷରୁ ଅଧିକ ଡ୍ରାଇଭରଙ୍କର ଆବଶ୍ୟକତା ରହିଛି । ଯାହାଦ୍ୱାରା ପେଟ୍ରୋଲ ପମ୍ପ ଓ ସୁପରମାର୍କେଟର ଡିମାଣ୍ଡ ପୂରା କରାଯାଇପାରିବ ।