ପେଟ୍ରୋଲ ପାଇଁ ବ୍ରିଟେନରେ ହାହାକାର । ଲମ୍ବା ଲମ୍ବା ଲାଇନରେ ଛିଡା ହେଲେ ମିଳୁଛି ମାତ୍ର କେଇ ଲିଟର ପେଟ୍ରୋଲ, ନ ପାଇଲେ ହେଉଛି ଗଣ୍ଡଗୋଳ ।

269

କନକ ବ୍ୟୁରୋ : ପେଟ୍ରୋଲ ସଙ୍କଟ ଏବେ ବ୍ରିଟେନକୁ ବେହାଲ କରି ଦେଇଛି । ପେଟ୍ରୋଲ ଲିଟର ପାଇଁ ଲୋକଙ୍କୁ ଲମ୍ବା ଲମ୍ବା ଲାଇନରେ ଛିଡା ହେବାକୁ ପଡୁଛି । କାହାକୁ ମିଳୁଛି ତୁ ପୁଣି କାହାକୁ ମିଳୁନି । ପେଟ୍ରୋଲ ପମ୍ପରେ ଭିଡ଼ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଲୋକେ ସକାଳ ପ୍ରହରରୁ ପେଟ୍ରୋଲ ପାଇଁ ଗଲେ ବି ଖାଲି ହାତରେ ଫେରିବାକୁ ପଡୁଛି । ଯିଏ ପାଇଲା ସିଏ ଖୁସ, ଆଉ ଯିଏ ନ ପାଇଲା ସେ ମନଦୁଃଖରେ ଫେରୁଛି । କିଛି ପେଟ୍ରୋଲ ପମ୍ପରେ ପେଟ୍ରୋଲ ପାଇଁ ଲୋକଙ୍କ ମଧ୍ୟରେ ଲଢେଇ ଲାଗୁଥିବାର ଦେଖିବାକୁ ମିଳୁଛି । ଏପରିକି ପେଟ୍ରୋଲ ପମ୍ପର କର୍ମଚାରୀ ଓ ଡ୍ରାଇଭରଙ୍କ ମଧ୍ୟରେ ଝଗଡା ଲାଗୁଥିବାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ।

ଏଭଳି ପେଟ୍ରୋଲ ସଙ୍କଟ ଭିତରେ ଲୋକଙ୍କୁ ନିୟନ୍ତ୍ରଣ କରିବାକୁ ଖୁବଶୀଘ୍ର ପେଟ୍ରୋଲ ପମ୍ପରେ ସେନାକୁ ମୁତୟନ କରିବାକୁ ସରକାର ଯୋଜନା କରୁଥିବା କୁହାଯାଉଛି । କାରଣ ପେଟ୍ରୋଲ ପାଇଁ ବିଭିନ୍ନ ସ୍ଥାନରେ ହିଂସାତ୍ମକ ପରିସ୍ଥିତି ସୃଷ୍ଟି ହେବାର ଯଥେଷ୍ଟ ସମ୍ଭାବନା ରହିଛି । ତେଣୁ କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବା ପୂର୍ବରୁ ସେନା ମୁତୟନ କରି ଏହାକୁ ନିୟନ୍ତ୍ରଣ କରିବାକୁ ଯୋଜନା କରାଯାଉଛି ।

ବ୍ରିଟେନରେ ଏଭଳି ପରିସ୍ଥିତି ଉପୁଜିବାର ମୁଖ୍ୟ କାରଣ ଡ୍ରାଇଭରଙ୍କ ସଙ୍କଟ ବୋଲି କୁହାଯାଉଛି । କାରଣ ବ୍ରିଟେନରେ ଯେତିକି ସଂଖ୍ୟକ ଡ୍ରାଇଭର ଆବଶ୍ୟକ ତାହା ଠାରୁ ଯଥେଷ୍ଟ କମ ସଂଖ୍ୟକ ଡ୍ରାଇଭର ଅଛନ୍ତି । ୟୁରୋପୀୟ ସଂଘରୁ ବ୍ରିଟେନ ବାହରି ଆସିବା ପରେ ଏଭଳି ସ୍ଥିତି ଦେଖାଦେଇଛି । ଅଧିକାଂଶ ଡ୍ରାଇଭର ବ୍ରିଟେନ ଛାଡି ଦେଇଛନ୍ତି । ଯେଉଁଥିପାଇଁ ପରିବହନ କ୍ଷେତ୍ରରେ ବଡଧରଣର ସଙ୍କଟ ଦେଖିବାକୁ ମିଳିଛି । ଆଉ ଏହି ସଙ୍କଟକୁ ଦୂର କରିବାକୁ ବ୍ରିଟେନକୁ ଲକ୍ଷାଧିକ ସଂଖ୍ୟାରେ ଡ୍ରାଇଭର ଆବଶ୍ୟକ ବୋଲି କୁହାଯାଉଛି । ଯାହା ତତକ୍ଷଣାତ ସମ୍ଭବପର ନୁହେଁ । ତେବେ ସରକାରଙ୍କ କହିବା ଅନୁଯାୟୀ, ଲୋକେ ପେଟ୍ରୋଲ ଅଭାବ ଖବର ଶୁଣିବା କ୍ଷଣି ଘରକୁ ଆବଶ୍ୟକତା ଠାରୁ ଅଧିକ ପେଟ୍ରୋଲ ନେଉଛନ୍ତି । ଯାହାଦ୍ୱାରା ଏଭଳି ମନୁଷ୍ୟକୃତ ସଙ୍କଟ ଦେଖିବାକୁ ମିଳୁଛି ।