କୋଭିସିଲ୍ଡ ଟିକାର ଦୁଇଟି ଡୋଜ ଭିତରେ ବ୍ୟବଧାନକୁ ୧୨ରୁ ୧୮ ସପ୍ତାହ ବଢାଇ ଦେଲା ଭାରତ : ହେଲେ ଇଂଲଣ୍ଡ କମାଇଲା ଦ୍ୱିତୀୟ ଡୋଜ୍ ଟିକାର ଅବଧି

ଭାରତରେ ଦ୍ରୁତ ସଂକ୍ରମିତ ହେଉଥିବା ବି.୧.୬୧୭ ଭୂତାଣୁକୁ ଦେଖି ପଦକ୍ଷେପ ନେଇଥିବା ସୂଚନା

457

କନକ ବ୍ୟୁରୋ : ପ୍ରଥମ ଡୋଜ୍ ଟିକା ନେବାର କେତେଦିନ ପରେ ନେବେ ଦ୍ୱିତୀୟ ଡୋଜ୍ । ଏହାକୁ ନେଇ ଏକ ବଡ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି । କାରଣ ଗତ ଗୁରୁବାର କୋଭିସିଲ୍ଡ ଟିକାର ପ୍ରଥମ ଡୋଜ୍ ନେବାର ୧୨ରୁ ୧୮ ସପ୍ତାହ ପରେ ଦ୍ୱିତୀୟ ଡୋଜ୍ ନେବାପାଇଁ ସାନି ନିର୍ଦ୍ଦେଶନାମା ଜାରି କରିଛନ୍ତି ଭାରତ ସରକାର । ପୂର୍ବରୁ ଏଥିପାଇଁ ୬ରୁ ୮ ସପ୍ତାହ ସମୟ ଦିଆଯାଇଥିଲା । ନିୟମ ବଦଳିବା ପରେ କୋ-ୱିନ ପୋର୍ଟାଲରେ ମଧ୍ୟ ଏହି ସମୟ ବ୍ୟବଧାନକୁ ବଦଳାଇ ଦିଆଯାଇଛି । ଅର୍ଥାତ ପ୍ରଥମ ଡୋଜ୍ ନେବାର ୮୪ ଦିନ ପରେ ଦ୍ୱିତୀୟ ଡୋଜ୍ ନେବା ପାଇଁ ପଞ୍ଜିକରଣ କରିପାରିବେ ।

ହେଲେ ଆଶ୍ଚର୍ଯ୍ୟଜନକ ଭାବେ ଇଂଲଣ୍ଡ ସରକାର ଦୁଇଟି ଡୋଜ୍ ମଧ୍ୟରେ ବ୍ୟବଧାନକୁ କମାଇ ଦେଇଛନ୍ତି । ଆଷ୍ଟ୍ରାଜେନେକା ଏବଂ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ପକ୍ଷରୁ ବିକଶିତ କୋଭିସିଲ୍ଡ ଟିକାର ପ୍ରଥମ ଡୋଜ୍ ନେବାର ୧୨ ସପ୍ତାହ ପରେ ଦ୍ୱିତୀୟ ଡୋଜ୍ ନେବାପାଇଁ ଇଂଲଣ୍ଡରେ ନିୟମ ରହିଥିଲା । ହେଲେ ଏବେ ଏହାକୁ କମାଇ ୮ ସପ୍ତାହ କରି ଦିଆଯାଇଛି ।

ଆହୁରି ଆଶ୍ଚର୍ଯ୍ୟଜନକ କଥାହେଲା ଭାରତରେ ଦ୍ରୁତ ସଂକ୍ରମିତ ହେଉଥିବା କରୋନାର ନୂଆ ଭୂତାଣୁ ବି.୧.୬୧୭କୁ ଦେଖି ଏହିଭଳି ସତର୍କତା ଗ୍ରହଣ କରାଯାଇଥିବା କହିଛନ୍ତି ଇଂଲଣ୍ଡ ପ୍ରଧାନମନ୍ତ୍ରୀ ବୋରିସ ଜନସନ୍ । ତେଣୁ ପ୍ରକୃତରେ କେତେଦିନର ବ୍ୟବଧାନରେ ଦ୍ୱିତୀୟ ଡୋଜି ଟିକାନେଲେ ଏହା ଅଧିକ ପ୍ରଭାବୀ ହେବ, ତାକୁ ନେଇ ଦ୍ୱନ୍ଦ୍ୱ ଦେଖାଦେଇଛି ।