ବିଶ୍ୱରେ ପ୍ରଥମ କୋଭିଡ୍ ଟିକା ଆଣିବାକୁ ଯାଉଛି ଫାଇଜର । ଆସନ୍ତା ୭ ତାରିଖରେ ବ୍ରିଟେନରେ ଆରମ୍ଭ ହେବ ଟିକାକରଣ ।

732

କନକ ବ୍ୟୁରୋ : ପ୍ରଥମ ଥର ପାଇଁ ଅନୁଭବ ହେଉଛି ଯେ, କରୋନା ବିରୋଧୀ ଲଢ଼େଇ ନିର୍ଣ୍ଣାୟକ ମୋଡରେ ପହଞ୍ଚିଛି । ବିଶ୍ୱର ପ୍ରଥମ କୋଭିଡ୍ ଟିକା ଆଣିବାକୁ ଯାଉଛି ଆମେରିକାର ଫାଇଜର କମ୍ପାନୀ । ପ୍ରଥମ ରାଷ୍ଟ୍ର ଭାବେ ବ୍ରିଟେନ ଫାଇଜର ନିର୍ମିତ କୋଭିଡ୍ ଭ୍ୟାକସିନକୁ ବ୍ୟବହାର ପାଇଁ ଅନୁମତି ଦେଇଛି । ଡିସେମ୍ବର ୭ରୁ ସେଠାରେ ଆରମ୍ଭ ହେବାକୁ ଯାଉଛି ଟିକାକରଣ । ଫାଇଜର କମ୍ପାନୀର ସିଇଓ କହିଛନ୍ତି, ଏହି ଘଟଣା ବିଶ୍ୱରେ ଇତିହାସ ସୃଷ୍ଟି କରିବାକୁ ଯାଉଛି । କମ୍ପାନୀ ଆହୁରି ମଧ୍ୟ କହିଛି, ଟିକା ଉପରେ ବିଶ୍ୱାସ ରଖନ୍ତୁ ।

ନିର୍ଣ୍ଣାୟକ ମୋଡରେ କୋଭିଡ୍ ବିରୋଧୀ ଲଢ଼େଇ । ପ୍ରଥମ କୋଭିଡ୍ ଟିକା ପ୍ରସ୍ତୁତ କଲା ଫାଇଜର୍ । ବିଶ୍ୱର ପ୍ରଥମ ଦେଶ ଭାବେ ଅନୁମତି ଦେଲା ବ୍ରିଟେନ୍ । ଏହି ଖବର ଏଇଥିପାଇଁ ଏକ ବଡ ଖବର ଯେହେତୁ ସାରା ବିଶ୍ୱର ଦୁଇ ଶହରୁ ଅଧିକ ଦେଶ ଏହି ଭଳି ଏକ ଟିକା ପାଇଁ ଅପେକ୍ଷା ରଖିଛନ୍ତି । କରୋନା ମହାମାରୀ ଏତେ ବଡ କ୍ଷତି ପହଞ୍ଚାଇବ ବୋଲି ବୋଧେ କେହି କେବେ ଅନୁମାନ କରିନଥିବେ । ଆଉ ଏହାର ଏକମାତ୍ର ସମାଧାନ ହେଉଛି, ଟିକା ।

ଆମେରିକାର ମଲ୍ଟିନ୍ୟାସନାଲ ଫାର୍ମାସ୍ୟୁଟିକାଲ କମ୍ପାନୀ ଫାଇଜର ଓ ଜର୍ମାନୀର ବାୟୋଟେକ୍ନୋଲୋଜି କମ୍ପାନୀ ବାୟୋ-ଏନ-ଟେକ୍ ପ୍ରସ୍ତୁତ କରିଥିବା ଏହି ଭ୍ୟାକସିନ୍ ଇତିହାସ ସୃଷ୍ଟି କରିବାକୁ ଯାଉଛି । କାରଣ ଯେଉଁ ମହାମାରୀ ଦୁଇ ଶହରୁ ଅଧିକ ଦେଶକୁ ସାଂଘାତିକ ଭାବେ ପ୍ରଭାବିତ କରିଛି, ଏବଂ ସମସ୍ତେ ଏକ ପ୍ରକାର ତ୍ରାହି ତ୍ରାହି ଡାକୁଛନ୍ତି, ସେତେବେଳେ ଏହି ଭ୍ୟାକସିନ ୯୫ ପ୍ରତିଶତ ଗ୍ୟାରେଂଟି ଦେଇ ବଜାରରେ ପ୍ରବେଶ କରିବାକୁ ଯାଉଛି । କମ୍ପାନୀ କହିଛି, ଏହି ଅନୁମତି ଆମର ଲକ୍ଷ୍ୟ ଥିଲା, ଏବଂ ଏଥିପାଇଁ ଆମେ ଦୀର୍ଘ ସମୟ ଧରି କାମ କରୁଥିଲୁ । ଆମେ ପ୍ରଥମରୁ ହିଁ କହିଥିଲୁ ଶେଷରେ ବିଜ୍ଞାନ ହିଁ ଜିତିବ । ଏମଏଚଆରଏ ଠିକ୍ ସମୟରେ ଆକଳନ କରି ଅନୁମତି ପାଇଁ ସହଯୋଗ କରିଥିବାରୁ ବହୁତ ଧନ୍ୟବାଦ ।

ବ୍ରିଟେନର ଇଣ୍ଡିପେଣ୍ଡେଂଟ ମେଡିସିନ ଆଣ୍ଡ ହେଲଥ କେୟାର ପ୍ରଡକ୍ଟ ରେଗୁଲେଟୋରୀ ଏଜେନ୍ସିର ସୁପାରିଶ ଆଧାରରେ ବ୍ରିଟେନ ସରକାର ଏହି ଟିକାକୁ ବ୍ୟବହାର ପାଇଁ ଅନୁମତି ଦେଇଛନ୍ତି । ଆସନ୍ତା ଡିସେମ୍ବର ୭ ତାରିଖରୁ ବ୍ରିଟେନରେ ଟିକାକରଣ ଆରମ୍ଭ ହେବ ।

କରୋନା ରୋକିବାରେ ଏହି ଟିକା ୯୫ ପ୍ରତିଶତ ଫଳପ୍ରଦ ବୋଲି ଶେଷ ପର୍ଯ୍ୟାୟ ପରୀକ୍ଷଣ ପରେ ରିପୋର୍ଟ ପ୍ରକାଶ କରିଥିଲା ଫାଇଜର କମ୍ପାନୀ । କମ୍ପାନୀ ପକ୍ଷରୁ ଦିଆଯାଇଥିବା ତଥ୍ୟ ଅନୁସାରେ ଫାଇଜର, ‘ଏମଆରଏନଏ’ ନାମକ ଏକ ସ୍ୱତନ୍ତ୍ର ପଦ୍ଧତିରେ ଟିକା ପ୍ରସ୍ତୁତ କରିଛି । ଏହି ପଦ୍ଧତିରେ ଜଣଙ୍କ ଦେହରେ ଏମଆରଏନଏକୁ କୋଡିଂ କରିଥାନ୍ତି ବିଶେଷଜ୍ଞ । ତାପରେ ଏହି ଏମଆରଏନଏ ଟିକା ଆକାରରେ ଦିଆଯାଇଥାଏ । ଏହି ଟିକା କରୋନା ଭୂତାଣୁ ଦ୍ୱାର ସୃଷ୍ଟି ହୋଇଥିବା ସ୍ପାଇକ୍ ପ୍ରୋଟିନକୁ ନଷ୍ଟ କରେ ଓ ଆଂଟିବଡି ସୃଷ୍ଟି କରିଥାଏ । ଫଳରେ ଟିକା ନେବା ପରେ ଯଦି ଜଣେ କରୋନା ଭୂତାଣୁ ସଂସ୍ପର୍ଶରେ ଆସନ୍ତି, ତେବେ ଶରୀରରେ ସୃଷ୍ଟି ହୋଇଥିବା ଆଂଟିବଡି ଏହାକୁ ମୁକାବିଲା କରିବାରେ ସଫଳ ହୋଇଥାଏ ।

ତେବେ ଏହା ଭାରତରେ ବ୍ୟବହାର ହୋଇପାରିବ କି ନାହିଁ, ଏ ନେଇ ବଡ଼ ପ୍ରଶ୍ନଚିହ୍ନ ଲାଗିଛି । କାରଣ ଫାଇଜର ଟିକାକୁ ରଖିବା ଓ ପରିବହନ ପାଇଁ ମାଇନସ୍ ୭୦ ଡିଗ୍ରୀ ସେଲସିୟସ୍ ତାପମାତ୍ରା ଆବଶ୍ୟକ । ଭାରତରେ ଏଭଳି କୋଲ୍ଡ ଚେନ୍ ପ୍ରସ୍ତୁତ କରିବା ସମ୍ଭବ ନୁହେଁ ବୋଲି କୁହାଯାଉଛି । କରୋନା ଭୂତାଣୁ ଚିହ୍ନଟ ହେବାର ପାଖାପାଖି ଏକ ବର୍ଷ ପରେ ଏହାର ଟିକା ଆସିବାକୁ ଯାଉଛି । ଏତେ କମ୍ ସମୟରେ ଏକ ମହାମାରୀର ଟିକା ଆସିବା ବିଶ୍ୱ ଇତିହାସରେ ବୋଧ ହୁଏ ପ୍ରଥମ ଘଟଣା ।