ଭାରତ ଚାପରେ ନରମିଲା ବ୍ରିଟେନ, ଜୟଶଂକରଙ୍କ ଆଲୋଚନା ପରେ କୋଭିସିଲ୍ଡକୁ ମଞ୍ଜୁରୀ

97

କନକ ବ୍ୟୁରୋ : ଭାରତର ଚାପ ଆଗରେ ଶେଷରେ ନରମ ଅଭିମୁଖ୍ୟ ଦେଖାଇଲା ବ୍ରିଟେନ । ବହୁ ବାଦ ବିବାଦ ପରେ କୋଭିଡ-୧୯ ଟିକା କୋଭିସିଲ୍ଡକୁ ବ୍ରିଟେନ ସରକାର ମଞ୍ଜୁରୀ ପ୍ରଦାନ କରିଛନ୍ତି । ବ୍ରିଟେନ ସରକାର ତାଙ୍କ ନିଷ୍ପତ୍ତି ବଦଳାଇ ଏକ ନିର୍ଦ୍ଦେଶନାମା ଜାରି କରିଛି ।

ସୂଚନା ଥାଉକି ଭାରତର ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଂକର ବ୍ରିଟେନର ତାଙ୍କ ସମକକ୍ଷଙ୍କ ନିକଟରେ କୋଭସିଲ୍ଡକୁ ମାନ୍ୟତା ଦେବା ପ୍ରସଙ୍ଗ ଉଠାଇଥିଲେ । ଜୟଶଂକର କହିଥିଲେ କି କୋଭିସିଲ୍ଡ ଟିକାକୁ ମାନ୍ୟତା ନଦେବା ଏକ ଭେଦଭାବ ପୂର୍ଣ୍ଣ ନୀତି । ଏହାପରେ ବ୍ରିଟେନ ତରଫରୁ ଏହି ସମସ୍ୟାର ତୁରନ୍ତ ସମାଧାନ ପାଇଁ ଆଶ୍ୱାସନା ଦେଇଥିଲେ ।

ବ୍ରିଟେନ ଯାତ୍ରା ପ୍ରସଙ୍ଗରେ ବର୍ତମାନ ବ୍ରିଟେନ ସରକାର ୩ ସ୍ତରର ସୂଚୀ ପ୍ରସ୍ତୁତ କରିଛନ୍ତି । ବିପଦର ପୃଷ୍ଟଭୂମି ଦେଖି ବ୍ରିଟେନ ସରକାର ଅଲଗା ଅଲଗା ଦେଶ ପାଇଁ ସୂଚୀ ପ୍ରସ୍ତୁତ କରିଛନ୍ତି । ଅକ୍ଟୋବର ୪ ତାରିଖ ଠାରୁ ଏସବୁ ଭିନ୍ନ ଭିନ୍ନ ସୂଚୀର ପରିସମାପ୍ତି କରି କେବଳ ଗୋଟି ସୂଚୀ ମୁତାବକ ଅନ୍ୟ ଦେଶର ଲୋକମାନେ ବ୍ରିଟେନ ଯାତ୍ରା କରିପାରିବେ । ନାଲି ସୂଚୀ ଥିବା ଦେଶର ଲୋକମାନେ କେବଳ ବ୍ରିଟେନ ଯାତ୍ରା କରିପାରିବେ ନାହିଁ ।

 

କହିରଖୁ କି ଯେଉଁ ଦେଶର ଟିକାକୁ ବ୍ରିଟେନ ମଞ୍ଜୁରୀ ଦେଇଥିଲା, ସେହି ଦେଶମାନଙ୍କ ତାଲିକାରେ ଭାରତ ଥିଲା । ତେଣୁ ଭାରତୀୟ ଲୋକମାନେ କୋଭିସିଲ୍ଡର ଉଭୟ ଡୋଜ ନେଇଥିଲେ ବି ସେମାନଙ୍କୁ ବ୍ରିଟେନରେ ୧୦ ଦିନ ପାଇଁ ସଂଗରୋଧ କେନ୍ଦ୍ରରେ ରହିବା ନେଇ ବ୍ରିଟେନ ସରକାର ଏକ ନିର୍ଦ୍ଦେଶନାମା ଜାରି କରିଥିଲେ । ଏନେଇ ଭାରତର ବୈଦେଶିକମନ୍ତ୍ରୀ ବ୍ରିଟେନ ବୈଦେଶିକମନ୍ତ୍ରୀଙ୍କ ସହ ଆଲୋଚନା ପରେ ଏହି ସମସ୍ୟାର ସମାଧାନ ହୋଇ ପାରିଛି ।