ଚରମସୀମାରେ ପହଞ୍ଚିଲା ଆମେରିକା ଓ ଇରାନ ତିକ୍ତତା । ଯୁଦ୍ଧ ଜାହାଜ ପଠାଇବାକୁ ଘୋଷଣା କଲା ବ୍ରିଟେନ୍ ।

4,012

କନକ ବ୍ୟୁରୋ : ଇରାନର କୁର୍ଦ୍ଦଶ ଫୋର୍ସର ମୁଖ୍ୟ କାସିମ ସୁଲେମାନୀକୁ ଆମେରିକା ହତ୍ୟା କରିବା ପରେ ମଧ୍ୟପ୍ରାଚ୍ୟ କ୍ଷେତ୍ରରେ ସ୍ଥିତି ଗମ୍ଭୀର ହୋଇଛି । ଏପରିକି ଯେକୌଣସି ମୁହୂର୍ତ୍ତରେ ଯୁଦ୍ଧ ହୋଇପାରେ ବୋଲି କୁହାଯାଉଛି । ପ୍ରତିଶୋଧ ପରାୟଣ ହୋଇ ଇରାନ ଆମେରିକାର ଦୁଇଟି ମିଲିଟାରୀ ବେସ ଉପରେ ରକେଟ ଆକ୍ରମଣ କରିଥିବା ବେଳେ ଇରାନକୁ ଖୋଲା ଚେତାବନୀ ଦେଇଛନ୍ତି ଟ୍ରମ୍ପ । ଆଉ ଏସବୁ ଭିତରେ ମଧ୍ୟପ୍ରାଚ୍ୟ କ୍ଷେତ୍ରକୁ ଯୁଦ୍ଧ ଜାହାଜ ପଠାଇବାକୁ ଘୋଷଣା କରିଛି ବ୍ରିଟେନ୍ ।

ଆମେରିକା ଓ ଇରାନ ମଧ୍ୟରେ ବଢୁଥିବା ତିକ୍ତତା ଯେ କୌଣସି ମୁହୂର୍ତ୍ତରେ ଯୁଦ୍ଧର ରୂପ ନେବାକୁ ଥିବାରୁ ବ୍ରିଟେନ ଆଗୁଆ ପଦକ୍ଷେପ ସ୍ୱରୂପ ଷ୍ଟ୍ରେଟ ଅଫ୍ ହୋମ୍ୟୁଜ ଜଳପଥକୁ ଯୁଦ୍ଧପୋତ ପଠାଇବାକୁ ଘୋଷଣା କରିଛି । ବ୍ରିଟିଶ ନାଗରିକଙ୍କ ସୁରକ୍ଷା ଓ ଷ୍ଟ୍ରେଟ ଅଫ୍ ହୋମ୍ୟୁଜ ଜଳପଥ ଦେଇ ଆସୁଥିବା ଜାହାଜ ଗୁଡିକର ସୁରକ୍ଷା ପାଇଁ ସରକାର ଏଭଳି ନିଷ୍ପତି ନେଇଥିବା କୁହାଯାଇଛି ।

ତେବେ ଅନ୍ୟ ଇରୋପୀୟ ଦେଶ ଗୁଡିକ ଶାନ୍ତି ରକ୍ଷା କରିବାକୁ ଦୁଇ ଦେଶକୁ ଅପିଲ କରିଛନ୍ତି । ସେହିଭଳି ଚୀନ୍ କହିଛି, ଆମେରିକା ନିଜ ସେନାକୁ ନିୟନ୍ତ୍ରଣରେ ରଖିବା ଆବଶ୍ୟକ । କୌଣସି ପରିସ୍ଥିତିରେ ଆମେରିକା ସେନାର ଦୁଃସାହସକୁ ସହ୍ୟ କରାଯିବ ନାହିଁ । ସେହିଭଳି ଫ୍ରାନ୍ସ ରାଷ୍ଟ୍ରପତି ଦୁଇ ଦେଶକୁ ଶାନ୍ତି ରକ୍ଷା କରିବାକୁ ଅପିଲ କରିଛନ୍ତି । ସେହିଭଳି ସିରିୟା ଆମେରିକାର ଏଭଳି ଆକ୍ରମଣକୁ ନିନ୍ଦା କରିଛି । ଏପରିକି ଇରାକରେ ଦେଖାଦେଉଥିବା ଅସ୍ଥିରତା ପାଇଁ ଆମେରିକାକୁ ଦାୟୀ କରିଛି ସିରିୟା ।

ଏସବୁ ଭିତରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଖୋଲା ଚେତାବନୀ ଦେଇ କହିଛନ୍ତି, ଆମେରିକୀୟ ସେନା ଇରାନର ୫୨ଟି ସ୍ଥାନକୁ ଚିହ୍ନଟ କରିଛି । ଆଉ ଯଦି ଇରାନ ଆମେରିକାର କୌଣସି ସମ୍ପତ୍ତି ବା ନାଗରିକ ଉପରେ ଆକ୍ରମଣ କରେ ତେବେ ଏହି ସବୁ ଠିକଣା ଉପରେ ଜୋରଦାର ଓ ବିଧ୍ୱଂସକ ଆକ୍ରମଣ କରିବ । ଆମେରିକା ଆଉ କାହାର ଧମକକୁ ବରଦାସ୍ତ କରିବନି । ଟ୍ରମ୍ପ ନିଜ କଥାକୁ ଅଧିକ ପ୍ରଭାବଶାଳୀ ଭାବେ ଦର୍ଶାଇବା ପାଇଁ ନିଜ ଟୁଇଟରରେ କ୍ୟାପିଟାଲ ଅକ୍ଷରର ବ୍ୟବହାର କରିଛନ୍ତି । ସେ ଲେଖିଛନ୍ତି ଇରାନ ଉପରେ ଖୁବଶୀଘ୍ର ଜୋରଦାର ଆକ୍ରମଣ କରାଯିବ । ଟ୍ରମ୍ପ କହିଛନ୍ତି କି ଆମେରିକା ନାଗରିକଙ୍କର ଯଦି କିଛି ବି କ୍ଷତି ହେଲା ତେବେ ବିଶ୍ୱବାସୀ ଦେଖିନଥିବା ଏମିତି ଏକ ଅସ୍ତ୍ର ପ୍ରୟୋଗ ହେବ ଯାହା ଇରାନକୁ ବରବାଦ କରିଦେବ । ଯୁଦ୍ଧ ହେଲେ ଏମିତି ଏକ ବ୍ରହ୍ମାସ୍ତ୍ର ପ୍ରୟୋଗ କରାଯିବ । ଯାହା କ୍ଷଣିକରେ ଇରାନକୁ ସମୂଳେ ଧ୍ୱଂସ କରିଦେବ ।