ଉଦିୟମାନ ଉଦୟ, ମୁହଁରେ ମହାଭାରତ… ଟିଭିରେ ହିନ୍ଦୀ ମହାଭାରତ ଦେଖି ଓଡିଆରେ ଅନୁବାଦ କଲେ ୧୨ ବର୍ଷ କୁନି ପୁଅ । ଗୋଟିଏ ମାସରେ ୨୫୦ ପୃଷ୍ଠାର ଭାଷାନ୍ତର କରି କମ୍ ବୟସରେ କମାଲ କଲେ ଯାଜପୁର ବଡଚଣାର ଉଦୟ ।

545

କନକ ବ୍ୟୁରୋ: ବିଦ୍ୟା ଅଟଇ ମହାଧନ ବାଳକେ କର ଉପାର୍ଜନ । କରୋନା କାଳରେ ଓଡିଆର ଏହି ଉକ୍ତିକୁ ପ୍ରମାଣିତ କରିଛନ୍ତି ଯାଜପୁର ବଡଚଣା ବ୍ଲକ ଖରମଙ୍ଗୀ ଗାଁର କୁନି ପୁଅ ଉଦୟ । ଖେଳିବା ବୁଲିବା ବୟସରେ ଗୁଗୁଲରୁ ହିନ୍ଦୀ ମହାଭାରତ ପଢି ନିଜସ୍ୱ ଢଙ୍ଗରେ ଅନୁବାଦ କରିଛନ୍ତି ୧୨ ବର୍ଷ ବୟସର ଉଦୟ ।

ଚନ୍ଦ୍ରକାନ୍ତ ସାହୁ ଓ ଜୟଶ୍ରୀ ସାହୁଙ୍କ ପୁଅ ଉଦୟ କୁନି ପିଲା ସତ, କିନ୍ତୁ ଅନ୍ୟ ପିଲାଙ୍କ ଠାରୁ ଭିନ୍ନ ତାଙ୍କ ରୁଚି । ଖରମଙ୍ଗୀ ଅରବିନ୍ଦ ପୂର୍ଣାଙ୍ଗ ଶିକ୍ଷାକେନ୍ଦ୍ରରେ ସପ୍ତମ ଶ୍ରେଣୀରେ ପାଠ ପଢୁଥିବା ଉଦୟ ମାସେ ଭିତରେ ହିନ୍ଦୀ ମହାଭାରତକୁ ପଢି ଓଡିଆରେ ନିଜସ୍ୱ ଢଙ୍ଗରେ ଅନୁବାଦ କରି ଚର୍ଚ୍ଚାକୁ ଆସିଛନ୍ତିି ।

ମହାମାରୀ କରୋନ ଯୋଗୁଁ ସ୍କୁଲ ବନ୍ଦ ଥିବା ବେଳେ ଉଦୟ ପ୍ରଥମେ ଟିଭିରେ ମହାଭାରତ ଦେଖିଥିଲେ, ପରେ ପୌରାଣିକ ଚରିତ୍ର ଓ ଘଟଣାବଳୀ ପ୍ରତି ତାଙ୍କର ଆଗ୍ରହ ବଢିଥିଲା । ଏହାପରେ ସେ ଗୁଗୁଲରୁ ହିନ୍ଦୀ ମହାଭାରତକୁ ଡାଉନଲୋଡ କରି ପ୍ରତିଦିନ ଦେଖନ୍ତି ଆଉ ସେଥିରୁ ଯାହା ବୁଝନ୍ତି ତାକୁ ନିଜେ ଢଙ୍ଗରେ ଅନୁବାଦ କରନ୍ତି । ଆଉ ମାସେ ଭିତରେ ୨୫୦ ପୃଷ୍ଠା ମହାଭାରତ ଲେଖାବାରେ ସକ୍ଷମ ହୋଇଛନ୍ତି ଉଦୟ ।

ତେବେ ପିଲାଦିନରୁ ଉଦୟଙ୍କର ଆଧ୍ୟାତ୍ମିକ ଚିନ୍ତନ ଥିବା ଯୋଗୁଁ ସେ ପୌରାଣିକ ଚରିତ୍ରଗୁଡିକୁ ବେଶ ପସନ୍ଦ କରନ୍ତି । ଟିକିଏ ସମୟ ମିଳିଲେ ଉଦୟ ଚିତ୍ରକଳା ଓ ବିଭିନ୍ନ ସୌକିନ କଳାକୃତିର ନିର୍ମାଣ କରନ୍ତି । ତୁଳସୀ ଦୁଇପତ୍ରରୁ ବାସିବା ପରି କୁନି ପୁଅ ଉଦୟଙ୍କ ଏହି ଅଭିନବ ପ୍ରୟାସ ଭବିଷ୍ୟତରେ ତାଙ୍କୁ ଅନେକ ସଫଳତା ଆଣିଦେବ ବୋଲି ଆଶା କରାଯାଏ ।