କନକ ବ୍ୟୁରୋ : ଭାରତୀୟ କୁସ୍ତିସଂଘର ବ୍ରିଜଭୂଷଣ ଶରଣ ସିଂଙ୍କ ନିକଟତର କୁହାଯାଉଥିବା ସଂଜୟ ସିଂ ଅଧ୍ୟକ୍ଷ ହେବା ପରେ ବିବାଦ ବଢିବାରେ ଲାଗିଛି । ଜଣେ ଜଣେ କୁସ୍ତିଯୋଦ୍ଧା ସଂଜୟ ସିଂଙ୍କୁ ବିରୋଧ କରୁଛନ୍ତି । ସାକ୍ଷୀ ମଲ୍ଲିକ କୁସ୍ତିରୁ ସନ୍ନ୍ୟାସ ନେବାକୁ ଘୋଷଣା କରିଛନ୍ତି, ପୁଣି ବଜରଙ୍ଗ ପୁନିଆ ପଦ୍ମଶ୍ରୀ ପୁରସ୍କାର ଫେରାଇ ଦେଇଛନ୍ତି । ଏସବୁ ପରେ କେନ୍ଦ୍ର ସରକାର କୁସ୍ତିସଂଘକୁ ନିଲମ୍ବନ କରିଛି । ଏହାପରେ ଭାରତୀୟ କୁସ୍ତିସଂଘର ପୂର୍ବତନ ଅଧ୍ୟକ୍ଷ ବ୍ରିଜଭୂଷଣ ସିଂ ସରକାରଙ୍କ କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି କୁସ୍ତିସଂଘରୁ ସନ୍ନ୍ୟାସ ଘୋଷଣା କରିଛନ୍ତି । ଏନେଇ ଏକ ସାମ୍ବାଦିକ ସମ୍ମିଳନୀ କରି ସେ କହିଛନ୍ତି କି, ମୁଁ କୁସ୍ତିସଂଘରୁ ସନ୍ନ୍ୟାସ ନେଇସାରିଛି , ଏବେ ସରକାରଙ୍କ ନିଷ୍ପତ୍ତି ଉପରେ ଯାହା କହିବାର ଅଛି ତାହା ନୂଆ ସଂଘ କରିବ । ମୋର କୁସ୍ତିସଂଘ ସହ କୌଣସି ନେଣଦେଣ ନାହିଁ , ମୁଁ ସାଂସଦ ଅଛି, ଏବେ ମୁଁ ମୋ କାମ ଉପରେ ଫୋକସ କରିବି ବୋଲି ସେ କହିଛନ୍ତି ।
ସଂଜୟ ସିଂ କୁସ୍ତିସଂଘର ଅଧ୍ୟକ୍ଷ ହେବା ପରେ କୁସ୍ତିଯୋଦ୍ଧାମାନେ ଅଭିଯୋଗ କରିଥିଲେ । ଏହାପରେ ଯୁବ ଓ କ୍ରୀଡା ବ୍ୟାପାର ମନ୍ତ୍ରଣାଳୟ ଡିସେମ୍ବର ୨୧ ତାରିଖରେ ନବ ଗଠିତ କୁସ୍ତିସଂଘକୁ ନିଲମ୍ବିତ କରିଥିଲେ । ଏହାପରେ ବ୍ରିଜଭୂଷଣ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଭେଟିଥିଲେ । ଏବଂ ଭେଟ ପରେ ନୂଆ ଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ ।
ବ୍ରିଜଭୂଷଣ କହିଛନ୍ତି କି, ଖେଳ ବାତାବରଣ ପୁଣି ଆରମ୍ଭ ହେଉ ବୋଲି ଗୋଣ୍ଡାରେ ନ୍ୟାସନାଲ ଚାମ୍ପିଅନସିପ୍ ପୁଣି ଆରମ୍ଭ କରାଯାଇଥିଲା । ସରକାର ଫେଡେରେସନ ଉପରେ ପ୍ରତିବନ୍ଧକ ଲଗାଇବା ବଦଳରେ ଚମ୍ପିଆନସିପକୁ ନିଜ ତତ୍ୱାବଧାନରେ କରାନ୍ତୁ । ଫଳରେ ଖେଳାଳୀମାନଙ୍କର କ୍ଷତି ହେବ ନାହିଁ । ପୂର୍ବରୁ ମୋର କୁସ୍ତିସଂଘ ଉପରେ ଦବଦବା ଥିଲା ଓ ଆଗକୁ ରହିବ, ମାତ୍ର ଏ ପୋଷ୍ଟର ଲଗାଯିବା ଫଳରେ ମୋର କିଛି କ୍ଷତି ହେବନାହିଁ ବୋଲି ସେ କହିଛନ୍ତି ।