ବିପଦସଙ୍କୁଳ ଧର୍ମଶାଳାର କବାଟବନ୍ଧ ବ୍ରାହ୍ମଣୀ ସେତୁ : ମରାମତି ଦାବିରେ ନଭେମ୍ବର ୨ରୁ ବ୍ରାହ୍ମଣୀ ସୁରକ୍ଷା ମଂଚର ଆନ୍ଦୋଳନ

29

କନକ ବ୍ୟୁରୋ : ବିପଦସଙ୍କୁଳ ଅବସ୍ଥାରେ ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନ ମଣ୍ଡଳୀର କବାଟବନ୍ଧ ବ୍ରାହ୍ମଣୀ ସେତୁ । ଘଡାଇଙ୍କ ନେତୃତ୍ୱରେ ବ୍ରାହ୍ମଣୀ ସୁରକ୍ଷା ମଂଚର ଆନ୍ଦୋଳନ ପାଇଁ ସଜବାଜ । ନଭେମ୍ବର ୨ତାରିଖରୁ ତିନୋଟି ନିର୍ବାଚନ ମଣ୍ଡଳୀର ଲୋକେ ହେବେ ସାମିଲ । ଜିଲ୍ଲାପାଳ କହିଲେ ଡିପିଆର ପ୍ରସ୍ତୁତି ଚାଲିଛି । ଖୁବ୍ ଶୀଘ୍ର ତ୍ୱରାନ୍ୱିତ ହେବ ସେତୁ ମରାମତି କାର୍ଯ୍ୟ ।

ଯାଜପୁର ଜିଲ୍ଲା ଧର୍ମଶାଳା ଦେଇ ଯାଇଥିବା ୨ ଶହ ନମ୍ବର ଜାତୀୟ ରାଜପଥର ବ୍ରାହ୍ମଣୀ ସେତୁ । ସୁକିନ୍ଦା, ଧର୍ମଶାଳା, ବଡଚଣା ତିନୋଟି ନିର୍ବାଚନ ମଣ୍ଡଳୀ ଲୋକଙ୍କ ଲାଇଫ୍ ଲାଇନ୍ କୁହାଯାଉଥିବା ଏ ପୋଲ, ଏବେ ଯାତ୍ରୀଙ୍କ ପାଇଁ ଯନ୍ତ୍ରଣା ପାଲଟିଛି । ଗୋଟିଏ ପଟେ ଶିଳ୍ପନଗରୀ କଳିଙ୍ଗନଗର ଏବଂ ଅନ୍ୟପଟେ ବନ୍ଦର ନଗରୀ ପାରାଦିପ, ମଝିରେ ଜିଲ୍ଲାର ପ୍ରବେଶ ଦ୍ୱାର ଚଣ୍ଡିଖୋଲ । ୬୦ ବର୍ଷତଳର ପୋଲର ଅବସ୍ଥା ଅତି ଦୟନୀୟ । କେଉଁଠି ପୋଲର ବାଡ ଭାଙ୍ଗିଯାଇଛି ତ କେଉଁଠି ବିରାଟ ବିରାଟ ଫାଟ, ଯାତ୍ରୀମାନଙ୍କୁ ମରଣ ମୁହଁକୁ ଟାଣି ନେଉଛି । କେତେବେଳେ ଦୁର୍ଘଟଣା ଘଟିବ ତାହା କହି ହେବନି ।

ବ୍ରାହ୍ମଣୀ ସେତୁ ଦେଇ ପ୍ରତିଦିନ ଶହଶହ ବସ୍ ଟ୍ରକ, ଛୋଟ ଛୋଟ ଗାଡି ଯା’ଆସ କରୁଛି । କେବଳ ଏତିକୁ ନୁହେଁ, ଏହି ପୋଲ ଦେଇ କଳିଙ୍ଗନଗରରୁ ପାରାଦ୍ୱୀପକୁ କଂଚାମାଲ ପରିବହନ ହୋଇଥାଏ । ପୋଲଟି ବିପଦପୂର୍ଣ୍ଣ ଅବସ୍ଥାରେ ଥିବା ବେଳେ ଏହାର ମରାମତି ପାଇଁ ଜାତୀୟ ରାଜପଥ କର୍ତୃପକ୍ଷ ଆନ୍ତରିକତା ଦେଖାଉନଥିବାରୁ ଅସନ୍ତୋଷ ତେଜୁଛି । ସ୍ଥାନୀୟ ଲୋକେ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଘଡାଇଙ୍କ ନେତୃତ୍ୱରେ ନଭେମ୍ବର ୨ରୁ ବ୍ରାହ୍ମଣୀ ସେତୁ ବଂଚାଅ ନାମରେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି । ଆନ୍ଦୋଳନ ଚେତାବନୀ ମିଳିବା ପରେ ପ୍ରତିକ୍ରିୟା ରଖି ଯାଜପୁର ଜିଲ୍ଲାପାଳ କହିଛନ୍ତି, ଡିପିଆର ପ୍ରସ୍ତୁତି ସରିବା ପରେ ପୋଲ ମରାମତି କାମ ହେବ ।

ଯାଜପୁର ଜିଲ୍ଲାର ବରିଷ୍ଠ ନେତା ପ୍ରଫୁଲ୍ଲ ଘଡାଇଙ୍କ ନେତୃତ୍ୱରେ ବ୍ରାହ୍ମଣୀ ସେତୁ ବଂଚାଅ ଆନ୍ଦୋଳନ ଉଗ୍ରରୂପ ନେବାକୁ ଯାଉଥିବା ବେଳେ ଜାତୀୟ ରାଜପଥ କର୍ତୃପକ୍ଷ ପୋଲ ମରାମତି ଦିଗରେ କି ପଦକ୍ଷେପ ନେଉଛନ୍ତି ତାହା ସମୟ କହିବ ।