କନକ ବ୍ୟୁରୋ : ଝଡ ଚାଲିଯାଇଛି କିନ୍ତୁ ଚିହ୍ନ ରହିଯାଇଛି । ତିତିଲିକୁ ତିନି ବର୍ଷ ପରେ ବି ମୁକୁଳାପଡିଛି ଭାଙ୍ଗି ଯାଇଥିବା ଝୁଲା ପୋଲ । ପ୍ରଶାସନିକ ବାବୁଙ୍କ ଅଣଦେଖା ଯୋଗୁଁ ମରାମତି ନହୋଇ ମୋହନା ବାଲି ପଙ୍କ ନଦୀରେ ଝୁଲୁଛି ପୋଲର ଭାଗ୍ୟ । ଫଳରେ ଯାତାୟାତ ପାଇଁ ନାନା ଅସୁବିଧା ଭୋଗୁଛନ୍ତି ୬ଟି ପଞ୍ଚାୟତର ଲୋକେ ।
ବାତ୍ୟା ତିତିଲିରେ ଭାସି ଯାଇଥିଲା ଝୁଲା ପୋଲ । ଏହାରି ଭିତରେ ତିତିଲିକୁ ୩ ବର୍ଷ ପୁରି ସାରିଛି, କିନ୍ତୁ ପୁନର୍ବାର ନିର୍ମାଣ ହୋଇ ପାରିନାହିଁ ପୋଲ । ଫଳରେ ପୋଲ ଉପରେ ନିର୍ଭର କରି ଯାତାୟାତ କରୁଥିବା ଆଦିବାସୀ ଅଧୂଷିତ ୬ଟି ପଞ୍ଚାୟତର ଲୋକେ ଗମନାଗମନ କ୍ଷେତ୍ରରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
ଜଗପତି ଜିଲ୍ଲା ମୋହନା ବ୍ଲକର ବାଲିପଙ୍କ ନଦୀରେ ଝୁଲୁଛି ଭଙ୍ଗା ଝୁଲା ପୋଲର ଭାଗ୍ୟ । ୧ କୋଟି ବ୍ୟୟରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ୨୦୧୫ ମସିହାରେ ତିଆରି ହୋଇଥିବା ପୋଲଟି ଏବେ ସୁପ୍ତ ଅବସ୍ଥାରେ ପଡିରହିଛି । ବାତ୍ୟା ତିତିଲିରେ ପୋଲଟି ଭାଙ୍ଗି ଯାଇଥିବା ବେଳେ ଏଯାଏଁ ଏହାର ମରାମତି କରାଯାଉ ନାହିଁ । ଲୋକଙ୍କ ସମସ୍ୟା ଦୃଷ୍ଟିରେ ରଖି ପୋଲ ମରାମତି କରିବା ବଦଳରେ ‘ପୋଲ ଭାଙ୍ଗିଯାଇଛି ସାବଧାନ’ଲେଖି କାମ ସାରିଦେଇଛି ପ୍ରଶାସନ । ଫଳରେ ନଦୀରେ ଭଭୟ ପଟେ ରହୁଥିବା ମୋହନା ବ୍ଲକର ୬ଟି ପଞ୍ଚାୟତର ଲୋକଙ୍କ ଦୁର୍ଦ୍ଦଶା ବଢିଯାଇଛି ।