ସ୍ୱାଧୀନତାର ୭ ଦଶନ୍ଧି ପରେ ମଧ୍ୟ ଗାଁକୁ ନାହିଁ ପୋଲ । ଅସ୍ଥାୟୀ କାଠପୋଲରେ ବିପଦପୂର୍ଣ୍ଣ ଯାତାୟତ କରୁଛନ୍ତି ଲୋକେ ।

71

କନକ ବ୍ୟୁରୋ : ସ୍ୱାଧୀନତାର ୭ଦଶନ୍ଧି ପରେ ବି ଗାଁକୁ ନାହିଁ ଭଲ ରାସ୍ତା । ଜଙ୍ଗଲରୁ କାଠ ସଂଗ୍ରହ କରି ଅସ୍ଥାୟୀ ପୋଲ ନିର୍ମାଣ କଲେ ଲୋକେ । ଗଜପତି ଜଳଙ୍ଗ ପଞ୍ଚାୟତର ଡ଼ୁମ୍ବା ଗାଁରୁ ଆସିଛି ଏଭଳି ଖବର । ପୋଲଟିଏ ପାଇଁ ବାରମ୍ବାର ଦାବି ହେଲେ ମଧ୍ୟ ଶୁଣୁନି ପ୍ରଶାସନ । ଯାତାୟତ ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ ।

ନାଳ ଉପରେ କାଠ ପୋଲ । ତଳେ ବହୁଛି ପାଣିର ପ୍ରଖର ସ୍ରୋତ । ଆଉ ବିପଦ ସଂକୁଳ ଅବସ୍ଥାରେ ଯାତାୟତ କରୁଛନ୍ତି ପିଲାଠୁ ବୟସ୍କ । ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ଡୁମ୍ବା ଗାଁରେ ଦେଖିବାକୁ ମିଳିଛି ଏଭଳି ଚିତ୍ର । ଯାତାୟତ ଏବଂ ଜୀବିକା ନିର୍ବାହ କରିବା ପାଇଁ ଏଠି ଭରସା ପାଲଟିଛି କାଠପୋଲ । ପ୍ରତିବର୍ଷ ବର୍ଷା ଆସିଲେ ଘରୁ ବାହାରି ପାରନ୍ତି ନାହିଁ ଏଠାକାର ବାସିନ୍ଦା । ପରିବାର ପ୍ରତିପୋଷଣ କରିବା କଷ୍ଟକର ହୋଇପଡ଼େ । ତେଣୁ ଯାତାୟତ ପାଇଁ ଗାଁ ଲୋକ ଜଙ୍ଗଲରୁ କାଠ ସଂଗ୍ରହ କରି ନିଜେ ଶ୍ରମ ଦାନ କରି ଅସ୍ଥାୟୀ ପୋଲଟିଏ ମିର୍ମାଣ କରିଛନ୍ତି ।

ବିପଦ ସଂକୁଳ କାଠପୋଲ ଦେଇ ପ୍ରତିଦିନ ସ୍କୁଲକୁ ଯାତାୟତ କରନ୍ତି ଛାତ୍ରଛାତ୍ରୀ । ଏପରିକି ରୋଗୀ, ଗର୍ଭବତୀ ମହିଳା, ବୃଦ୍ଧ ବୃଦ୍ଧାଙ୍କୁ ମଧ୍ୟ ଏହି କାଠ ପୋଲ ଦେଇ ଡ଼ାକ୍ତରଖାନା ନେବାକୁ ପଡ଼େ । ବ୍ରିଜ ସମସ୍ୟା ନେଇ ବାରମ୍ବାର ପ୍ରଶାସନ ଦ୍ୱାରସ୍ଥ ହୋଇଛନ୍ତି ଗାଁଲୋକେ । ହେଲେ ଏଥିପ୍ରତି କେହି ଦୃଷ୍ଟି ଦେଉନଥିବା ଅଭିଯୋଗ ହୋଇଛି । ସେପଟେ ବିଜୁ ସେତୁ ଯୋଜନାରେ ନିର୍ମାଣ ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗକୁ କୁହାଯାଇଥିବା କହିଛନ୍ତି ରାୟଗଡ଼ ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀ । ସରକାରୀ ସହାୟତାରେ ପୋଲଟିଏ ନିର୍ମାଣ କରାଗଲେ ଲୋକମାନଙ୍କୁ ଏହି ବିପଦପୂର୍ଣ୍ଣ ଯାତ୍ରାରୁ ମୁକ୍ତି ମିଳିପାରନ୍ତା । ତେବେ ଦେଖିବାକୁ ବାକି ରହିଲା ଏହି ଗାଁକୁ କେବେ ମିଳୁଛି ସରକାରୀ ସହାୟତା ।