ଉପନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ତିର୍ତ୍ତୋଲରେ ରାଜନୈତିକ ଲଢ଼େଇ ଜୋର । କାଲି ଦୁଇଟି ସେତୁର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ । ବିଜେଡି ଶିବିରରେ ଉତ୍ସାହ, କଂଗ୍ରେସ ଓ ବିଜେପି କହିଲେ, ସରକାରଙ୍କ ନିର୍ବାଚନୀ ଚାଲ୍ ।

113

କନକ ବ୍ୟୁରୋ: ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀରେ ୨ଟି ଜଇପୁର-କଟିକଟା ଓ ତିର୍ତ୍ତୋଲ-ପୋଷଲ ହାଇଲେଭଲ୍ ସେତୂର ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ଏହାକୁ ନେଇ ବିଜେଡି ନେତା ଖୁସି ମନାଉଥିବା ବେଳେ କଂଗ୍ରେସ ଓ ବିଜେପି ଏହାକୁ ବିଜେଡିର ନିର୍ବାଚନୀ ଚାଲ୍ ବୋଲି କହି ବିରୋଧ କରିଛନ୍ତି । ପ୍ରକୃତରେ ଆବଶ୍ୟକତା ଥିବା କୋଟକଣା-ବାନାମ୍ବର ସେତୂ ନକରି ନିର୍ବାଚନକୁ ଆଖିରେ ରଖି ତରବରିଆ ଭାବେ ବିଜେଡି ଭୋଟ୍ ହାତେଇବାକୁ ଏଭଳି କରିଥିବା ବିଜେପି ଓ କଂଗ୍ରେସ ନେତା ଅଭିଯୋଗ କରି ବିଜେଡି ଉପରେ ବର୍ଷିଛନ୍ତି । ଅନ୍ୟ ଦୁଇ ସେତୂ ସମେତ କୋଟକଣା ବାନାମ୍ବର ସେତୂ ଗତକାଲି ମୁଖ୍ୟମନ୍ତ୍ରୀ ଘୋଷଣା ନକଲେ ଆନ୍ଦୋଳନକୁ ଓହ୍ଲାଇବାକୁ ଆଜି ସାମ୍ବାଦିକ ସମ୍ମିଳନୀରେ ଚେତାବନୀ ଦେଇଛନ୍ତି ଦୁଇ ଦଳର ନେତା ।

ତିର୍ତ୍ତୋଲ ଉପ ନିର୍ବାଚନ ଆଗରୁ ତିର୍ତ୍ତୋଲରେ ୨ ସେତୁର ଭିତ୍ତି ପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭୋଟ ହାତେଇବା ପାଇଁ ଏହା ବିଜେଡିର ଚକ୍ରାନ୍ତ ବୋଲି କହିଛନ୍ତି ବିରୋଧୀ କଂଗ୍ରେସ ଓ ବିଜେପି । ବିରୋଧୀଙ୍କ କହିବା କଥା, ତାରପୁର ଓ ତିର୍ତ୍ତୋଲରେ ମହାନଦୀ ଉପରେ ଦୁଇଟି ପୋଲ ଥିବା ବେଳେ ଏହାର ମଧ୍ୟ ଭାଗ ତଥା କୋଟକଣା-ବାନାମ୍ବରରେ ସେତୁଟିଏ ପାଇଁ ୨୦ ବଷ ହେବ ଦାବି ହେଉଛି । ଏଥିପାଇଁ ନଜର ଦେଉନଥିବା ରାଜ୍ୟ ସରକାର ଭୋଟକୁ ନଜରରେ ରଖି ତରବରିଆ ଭାବେ ଜଇପୁର-କଟିକଟା ଓ ତିର୍ତ୍ତୋଲ-ପୋଷଲରେ ସେତୁ ନିର୍ମାଣ ପାଇଁ ଘୋଷଣା କରିଛନ୍ତି ।

ବିଜେଡିର ଚକ୍ରାନ୍ତ ଲୋକ ବୁଝି ସାରିଛନ୍ତି । ସେତୁ ଶିଳାନ୍ୟାସ କରି ଭୋଟ୍ ହାତେଇବା ସହଜ ହେବ ନାହିଁ ବୋଲି କହିଛନ୍ତି ବିଜେପି ଜିଲ୍ଲା ସଭାପତି ସତ୍ୟବ୍ରତ ମହାପାତ୍ର । ନୂଆ ଦୁଇଟି ସେତୁ ସହ ମୁଖ୍ୟମନ୍ତ୍ରୀ କୋଟକଣା-ବାନାମ୍ବର ସେତୁ ଘୋଷଣା ନକଲେ ଜୋରଦାର ଆନ୍ଦୋଳନ କରାଯିବ ବୋଲି ସ୍ଥାନୀୟ ବାସିନ୍ଦା ଚେତାବନୀ ଦେଇଛନ୍ତି ।