କନକ ବ୍ୟୁରୋ : ୧୬ ନମ୍ବର ଜାତୀୟ ରାଜପଥର ଯାଜପୁର ରସୁଲପୁର ବ୍ଳକ ଛକ ନିକଟରେ ବ୍ରିଜ୍ ଭୁଶୁଡ଼ି ପଡ଼ିଛି । ବାଲେଶ୍ୱରରୁ କଟକ ଆସିବା ରୁଟର କୁଆଖିଆ ଛକ ଆଡ଼କୁ ପୋଲର ଶେଷ ପିଲାର ଯୋଡ଼ ନିକଟରୁ ଖସିଯାଇଛି । ଫଳରେ ଅଳ୍ପକେ ବର୍ତ୍ତି ଯାଇଛି ଏକାଧିକ ବସ ଓ ଟ୍ରକ୍ । ମାତ୍ର ୧୫ ବର୍ଷର ଏହି ପୋଲ ଭୁଶୁଡ଼ିବାକୁ ନେଇ ସାଧରଣରେ ପ୍ରତିକ୍ରିୟା ପ୍ରକାଶ ପାଇଛି ।

Advertisment

ନିମ୍ନମାନର କାମ ହୋଇଥିବା ଅଭିଯୋଗ ହୋଇଛି । ସ୍ଥାନୀୟ ଠିକାଦାର ମାନଙ୍କୁ ଦାୟୀ କରି ଘଟଣା ସ୍ଥଳରେ ଉତେଜନା ପ୍ରକାଶ ପାଇଛି । ଯଦି କୌଣସି ଅଘଟଣ ଘଟି ଥାଆନ୍ତା ତାହେଲେ ଏଥିପାଇଁ କିଏ ଦାୟୀ ହୋଇଥାଆନ୍ତା ବୋଲି ଲୋକେ କହିଛନ୍ତି । ପୋଲଟି ୭ରୁ ୮ଫୁଟ୍ ତଳକୁ ଦବିଯାଇଛି । ଗୋଟିଏ ପଟେ ଏବେ ଉଭୟ ପଟର ଗାଡ଼ି ଯାଆସ୍ କରୁଛନ୍ତି । ଫଳରେ ଜାତୀୟ ରାଜପଥରେ ପ୍ରବଳ ଜାମ ହୋଇଛି ।

ରାଜପଥରେ ଏଭଳି ବ୍ରିଜ୍ ଭୁଶୁଡ଼ିବାକୁ ନେଇ ପ୍ରବଳ ପ୍ରତିକ୍ରିୟା ପ୍ରକାଶ ପାଇଛି । ବ୍ରିଜ୍ ଭୁଶୁଡ଼ିବାକୁ ନେଇ ସ୍ପଷ୍ଟୀକରଣ ରଖିଛନ୍ତି ଜାତୀୟ ରାଜପଥ ପ୍ରକଳ୍ପ ନିର୍ଦ୍ଦେଶକ ଜି.ପି ବର୍ମା । ବ୍ରିଜ୍ରେ ନିର୍ମାଣଗତ ତ୍ରୁଟି ରହିଥିବା ସେ କହିଛନ୍ତି । ବିଶେଷଜ୍ଞ ଟିମ୍ ଅଧିକ ତଦନ୍ତ ପାଇଁ ଘଟଣାସ୍ଥଳକୁ ଆସିଛନ୍ତି । ଚୂଡାନ୍ତ ରିପୋର୍ଟ ପରେ ଭୁଶୁଡ଼ିବାର କାରଣ ଜଣାପଡ଼ିବ । ୨୦୦୮ରେ ବ୍ରିଜର ନିର୍ମାଣକାମ ହୋଇଥିଲା, ୫୦ ବର୍ଷ ସୁରକ୍ଷିତ ରହିବା କଥା । ହେଲେ ୧୫ ବର୍ଷ ପରେ ବ୍ରିଜଟି ଭୁଶୁଡ଼ିଲା ।