କନକ ବ୍ୟୁରୋ : ଦିନେ ଦୁଇଟି ବ୍ଲକର ୮ରୁ ଅଧିକ ପଂଚାୟତ ପାଇଁ ଲାଇଫ୍ ଲାଇନ ପାଲଟିଥିବା ପୋଲ ଏବେ ବିପଦସଂକୁଳ ହୋଇପଡିଛି । ମୟୂରଭଂଜ ଉଦଳା ବ୍ଲକ ଅଧିନରେ ଥିବା ଗଡାପୋଲ ଅବସ୍ଥା ଏବେ ଏମିତି ହୋଇଛି ଯେ, କେତେବେଳେ ଅଘଟଣ ନଘଟିବ ତାହା କହିହେବ ନାହିଁ । ଉଦଳା ବ୍ଲକର କୋଚିଳାଡିହା, ରାଢୋ ପଂଚାୟତରୁ ଗୋପବନ୍ଧୁନଗର ବ୍ଲକର ଜୟପୁର, ବରଡିହି, ଭଣ୍ଡଗାଁ ଭଳି ଅନେକ ପଂଚାୟତକୁ ସଂଯୋଗ କରୁଛି ଟାଙ୍ଗଣା ନଦୀ ଉପରେ ଥିବା ଗଡ଼ାପୋଲ । ପୋଲର ଅବସ୍ଥା ଅତ୍ୟନ୍ତ ଶୋଚନୀୟ । ଗୋଟିଏ ପାଖ ଦବି ଯାଇଛି । ପୋଲ ତଳେ ଥିବା ହୋମ ପାଇପ୍ କେଉଁଠି ଫାଟିଯାଇଛି ତ ପୁଣି କେଉଁଠି ପ୍ଲାଷ୍ଟର ଛାଡିଯାଇଛି । ମୋଟାମୋଟି ଭାବେ ପୋଲଟି ଫାଟି ଅାଁ କରିଛି । ସପ୍ତାହେ ତଳେ ପୋଲର ଭଙ୍ଗା ଅଂଶକୁ ଜାଣି ନପାରି ଜଣେ ବ୍ୟକ୍ତି ପୋଲରୁ ତଳକୁ ଖସି ପ୍ରାଣ ହରାଇଛନ୍ତି ।

Advertisment

ପୋଲଟି ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନରେ ରହିଛି । ପ୍ରତି ମୂହୂର୍ତରେ ବିପଦକୁ ଆମନ୍ତ୍ରଣ କରୁଥିବା ବେଳେ ବିଭାଗ କେବଳ ବ୍ୟାନର ଟିଏ ମାରି କାମ ସାରି ଦେଇଛି । ଲୋକମାନେ ଭୟଭିତ ଅବସ୍ଥାରେ ପୋଲ ଉପରେ ଯାତାୟତ କରୁଥିବା ବେଳେ ଗ୍ରାମ୍ୟ ଉନ୍ନୟନ ବିଭାଗର ଏସଡିଓ ଏନେଇ କ୍ୟାମେରା ସାମ୍ନାରେ ମୁହଁ ଖୋଲିବାକୁ ନାରାଜ ।

ଏହି ପୋଲକୁ ଦେଖିବା ପରେ ପ୍ରଶ୍ନ ଉଠେ, ବିପଦ ସଙ୍କୁଳ ପୋଲର ମରାମତି କରିବାରେ ବିଭାଗ କାହିଁକି ବିଳମ୍ବ କରୁଛି? ସପ୍ତାହେ ପୂର୍ବରୁ ଗୋଟିଏ ଜୀବନ ନେଇଥିବା ପୋଲରେ କିଛି ବଡ ଅଘଟଣକୁ ବିଭାଗ ଅପେକ୍ଷା କରିଛି କି?