କନକ ବ୍ୟୁରୋ : ସାଧାରଣତଃ ଯାତାୟତରେ ସୁବିଧା ନିମନ୍ତେ ମଣିଷ ପାଇଁ ବ୍ରିଜ ନିର୍ମାଣ ହୋଇଥାଏ । କିନ୍ତୁ ମାଙ୍କଡଙ୍କ ପାଇଁ ବ୍ରିଜ ନିର୍ମାଣ ହୋଇଥିବା କେବେ ଶୁଣିଛନ୍ତି । ତେବେ ବ୍ରାଜିଲରେ ସରକାର ମାଙ୍କଡଙ୍କ ପାଇଁ ଏମିତି ଏକ ସ୍ପେଶାଲ ବ୍ରିଜ ନିର୍ମାଣ କରିଛନ୍ତି ଯାହା ମାଧ୍ୟମରେ ବେଶ ସହଜରେ ଓ ସୁବିଧାରେ ରାସ୍ତା ପାର କରିପାରିବେ । ରିଓ ଡି ଜେନେରିଓ ଅଞ୍ଚଳରେ ଏହି ବ୍ରିଜର ନିର୍ମାଣ କରାଯାଇଛି । ବ୍ରିଜର ଦୁଇ ପାଶ୍ୱର୍ରେ ଜଙ୍ଗଲ ରହିଛି । ଆଉ ଅଧିକାଂଶ ସମୟରେ ରାସ୍ତା ପାର କରୁଥିବା ବେଳେ ଅନେକ ପଶୁ ଦୁର୍ଘଟଣାର ଶିକାର ହୋଇ ମୃତ୍ୟୁମୁଖରେ ପଡିଥାନ୍ତି ।

Advertisment

ବ୍ରାଜିଲର ଆଣ୍ଟଲାଟିକ ଜଙ୍ଗଲରେ ଅନେକ ପ୍ରକାର ଜୀବଜନ୍ତୁ ବାସ କରିଥାନ୍ତି । କିନ୍ତୁ ଏହି ଜଙ୍ଗଲ ମଝିରେ ହାଇୱେ ରହିଥିବାରୁ ଏଠାରେ ରାସ୍ତା ପାର କରୁଥିବା ବେଳେ ଅନେକ ଜୀବଜନ୍ତୁ ଦୁର୍ଘଟଣାର ଶିକାର ହୋଇଥାନ୍ତି । କିଛି ପଶୁଙ୍କର ଜୀବନ ଚାଲିଯାଏ ତ ପୁଣି କିଛି ଜୀବଜନ୍ତୁ ଗୁରୁତର ଆହତ ହୋଇଥାନ୍ତି । କେବଳ ଯେ ପଶୁପକ୍ଷୀ ଦୁର୍ଘଟଣାର ଶିକାର ହୋଇଥାନ୍ତି ତାହା ନୁହେଁ ବରଂ ଯାତ୍ରୀ ମଧ୍ୟ ଦୁର୍ଘଟଣାର ଶିକାର ହୋଇଥାନ୍ତି ।

ତେବେ ଏହି ବ୍ରିଜ ସ୍ୱତନ୍ତ୍ର ପ୍ରଜାତିର ମାଙ୍କଡଙ୍କ ପାଇଁ ନିର୍ମାଣ କରାଯାଇଥିଲା । କାରଣ ଏଠାରେ ଏହି ପ୍ରଜାତିର ମାଙ୍କଡ ଅଧିକ ସଂଖ୍ୟାରେ ରାସ୍ତା ଏପାରିରୁ ସେପାରିକୁ ଯାଇଥାନ୍ତି । କେବଳ ମାଙ୍କଡ ନୁହଁନ୍ତି ବରଂ ପଶୁ ମଧ୍ୟ ଏହି ବ୍ରିଜ ଉପରେ ଚଳପ୍ରଚଳ କରିଥାନ୍ତି ।

୨୦୧୮ରେ ଏକ ଅଜଣା ରୋଗ କାରଣରୁ ଏହି ସ୍ୱତନ୍ତ୍ର ପ୍ରଜାତିର ମାଙ୍କଡଙ୍କ ମଧ୍ୟରୁ ୩୨% ମାଙ୍କଡଙ୍କ ମୃତ୍ୟୁ ହୋଇଥିଲା । ଏବେ ଏଠାରେ ମାତ୍ର ୨୫୦୦ ଗୋଲଡେନ ଲାୟନ ଟେମରିନ୍ ପ୍ରଜାତିର ମାଙ୍କଡ ରହିଛନ୍ତି । ତେଣୁ ଏମାନଙ୍କ ସୁରକ୍ଷା ପାଇଁ ସ୍ୱତନ୍ତ୍ର ଭାବେ ଏହି ବ୍ରିଜର ନିର୍ମାଣ କରାଯାଇଛି । ଏବେ ଏଠାରେ ଥିବା ମାଙ୍କଡଙ୍କ ପାଇଁ ୨୫୦୦୦ ହେକ୍ଟର ଜଙ୍ଗଲର ଆବଶ୍ୟକତା ରହିଛି । କିନ୍ତୁ ଏଠାରେ ଯେତିକି ଜଙ୍ଗଲ ରହିଛି ତାହା ସେମାନଙ୍କ ପାଇଁ ଯଥେଷ୍ଟ ନୁହେଁ । କାରଣ ଏଠାରେ ଥିବା ଜଙ୍ଗଲ ଜମିରେ ରାସ୍ତା ଓ ବଡ ବଡ ବିଲ୍ଡିଂର ନିର୍ମାଣ ଶେଷ ହୋଇଛି । ଗତବର୍ଷ ଏହି ବ୍ରିଜର ନିର୍ମାଣ ଶେଷ ହୋଇଥିଲା । କିନ୍ତୁ ଏବେ ଏଥିରେ ଗଛ ଲାଗିବା ପରେ ଏହାକୁ ସମ୍ପୂର୍ଣ୍ଣ ରୂପେ ମାଙ୍କଡଙ୍କ ପାଇଁ ଖୋଲାଯାଇଛି ।