ପୋଲ ଉପରେ ଜୀବନ, ପୋଲ ତଳେ ମୃତ୍ୟୁ ! ବିପଦପୂର୍ଣ୍ଣ ପୋଲକୁ ନେଇ ଭୟଭୀତ ଲୋକେ । କଟକ ମଙ୍ଗୁଳିଛକକୁ ସଂଯୋଗ କରୁଥିବା ବିରୂପା ପୋଲରେ ଭାଙ୍ଗି ଯାଇଛି ସୁରକ୍ଷାବାଡ । ଅଘଟଣ ଆଶଙ୍କାରେ ଲୋକେ ।

233

କନକ ବ୍ୟୁରୋ: ଭାଙ୍ଗି ଗଲାଣି ପୋଲର ସୁରକ୍ଷା ବାଡ଼ । ରାସ୍ତାରେ ଉପରେ ମୃତ୍ୟୁର ଗାଡ଼ । ପ୍ରତିଦିନ ୧୬ ନମ୍ବର ଜାତୀୟ ରାଜପଥ ଦେଇ ହଜାର ହଜାର ଯାନବାହନ ଚଳାଚଳ କରେ । କାରଣ ରାଜ୍ୟର ପ୍ରମୁଖ ସହର ବା ରାଜ୍ୟବାସୀଙ୍କ ଦୁଇଟି ଜୀବନ ରେଖା ହେଉଛି କଟକ ଆଉ ଭୁବନେଶ୍ୱର । କିଏ ଏଠାକୁ ଚାକିରି କରିବାକୁ ଆସେ ତ ପୁଣି କିଏ ବ୍ୟବସାୟ ଏବଂ ସରକାରୀ କାମରେ ଆସନ୍ତି । ହେଲେ ଯାତ୍ରୀଙ୍କ ଏହି ଯାତ୍ରା ବିପଦମୁକ୍ତ ନାଁ ବିପଦ ଯୁକ୍ତ ତାହା ତାହା କହିବା ଭାରି କଷ୍ଟ । କାରଣ ପୋଲର ବାଡ ଭାଙ୍ଗି ଯାଇଥିବାରୁ ଏବେ ମୃତ୍ୟୁ ହାତ ଠାରି ଡାକୁଛି । ଗାଡି ଚଳାଇବାରେ ଟିକେ ଏପଟେ ସେପଟ ହେଲେ ସିଧା ପୋଲ ତଳକୁ ଖସିବା ସାର ।

ତେବେ କଟକ ଜଗତପୁରରୁ ମଙ୍ଗୁଳିକୁ ସଂଯୋଗ କରୁଥିବା ବିରୂପା ପୋଲର ସ୍ଥିତି ଅତି ଦୟନୀୟ କହିଲେ ବିଲକୁଲ୍ ଭୁଲ ହେବ ନାହିଁ । ପୋଲ ଦିନକୁ ଦିନ ଦୁର୍ବଳ ହୋଇଯାଉଥିବା ବେଳେ ପୋଲର ସୁରକ୍ଷା ବାଡ ଭାଙ୍ଗି ଯାଇଛି । ପୋଲରେ ୧୫ରୁ ୨୦ ଫୁଟ ଲମ୍ବ ଯାଏଁ ସୁରକ୍ଷାବାଡ ଭାଙ୍ଗି ଯାଇଛି । କେତେବେଳେ ଯେ, କଣ ଘଟିବ ତାହା କହି ହେବ ନାହିଁ ।

୨୦ ନଭେମ୍ବର ୨୦୧୮ରେ ଜଗତପୁର ମହାନଦୀ ପୋଲର ସୁରକ୍ଷା ଭାଙ୍ଗି ତଳକୁ ଖସିପଡିଥିଲା ବସ । ଆଉ ସେଦିନର ସେହି ଘଟଣା ପରେ ଦୁର୍ଘଟଣା ସ୍ଥଳରେ ଲୁହା ରେଲିଂ ଲଗାଇ ଦାୟିତ୍ୱ ସାରିଦେଇଥିବା ଜାତୀୟ ରାଜପଥ କର୍ତୃପକ୍ଷ ବିରୂପା ସେତୁ ଉପରେ ନଜର ଦେଉନାହାଁନ୍ତି । ଏଥିପାଇଁ ରାସ୍ତା ମରାମତି ଦାୟିତ୍ୱରେ ଥିବା ଘରୋଇ ଠିକା ସଂସ୍ଥାକୁ ଦାୟୀ କରୁଛନ୍ତି ଜାତୀୟ ରାଜପଥ କର୍ତୃପକ୍ଷ । ସେପଟେ ରାଜପଥର ଦୂରାବସ୍ତା ନେଇ ଜାତୀୟ ରାଜପଥ କର୍ତୃପକ୍ଷ, ଆରଡିସି ଓ କଟକ ଜିଲ୍ଲାପାଳଙ୍କୁ ଜଣାଇଥିବା କହିଛନ୍ତି କଟକ-ଚୌଦ୍ୱାର ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ ।

ଶ୍ରୀ ଜଗନ୍ନାଥ ଏକ୍ସପ୍ରେସ ନାମକ ଘରୋଇ ଠିକା ସଂସ୍ଥା, ୨୬ ବର୍ଷ ଯାଏଁ କଟକ ଗୋପାଳପୁରରୁ କଟକ-ଗୋବିନ୍ଦପୁର ପର୍ଯ୍ୟନ୍ତ ୩୯ କିଲୋମିଟର ଜାତୀୟ ରାଜପଥର ରକ୍ଷଣାବେକ୍ଷଣ ଦାୟିତ୍ୱ ନେଇଛି । ଆଉ ଏହି ରାସ୍ତାରେ ରହିଛି ମଙ୍ଗୁଳି ଟୋଲ ଗେଟ୍ । ଯେଉଁଠୁ ପ୍ରାୟ ଲକ୍ଷାଧିକ ଟଙ୍କା ରୋଡ ଟ୍ୟାକ୍ସ ଆଦାୟ ହେଉଛି । ଏହି ଟଙ୍କାରେ ଜାତୀୟ ରାଜପଥ ମରାମତି କରାଯିବାର ନିୟମ ରହିଛି । ହେଲେ ରାସ୍ତା ମରାମତି କିଭଳି ହେଉଛି, ତାହା ଏହି ଦୃଶ୍ୟ ବୟାନ କରୁଛି ।