କନକ ବ୍ୟୁରୋ : କୋରାପୁଟ ଜିଲ୍ଲା ନାରାୟଣପାଟଣା ବ୍ଲକ୍ ଅନ୍ତର୍ଗତ ବାଲିପେଟା ପଞ୍ଚାୟତର ମୁସଲମୁଣ୍ଡା ଗାଁ ନିକଟରେ ଥିବା ପୋଲ ଭୁଶୁଡ଼ି ପଡ଼ିଛି। ଫଳରେ ମୁସଲମୁଣ୍ଡା ଗାଁ ସମେତ ଆଖପାଖ ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡ଼ିଛି।
ସୂଚନା ଥାଉକି, ନାରାୟଣପାଟଣା ଲକ୍ଷ୍ମୀପୁର ମୁଖ୍ୟ ରାସ୍ତାର ଯୋଗୀପାଲୁର ନିକଟ ଛକରୁ ମୁସଲମୁଣ୍ଡା ଗାଁ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ରାସ୍ତା ନିର୍ମାଣ କରାଯାଇଥିଲା। ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନରେ ଏହି ରାସ୍ତା ରହିଥିଲା ବେଳେ ଏନବିସିସି ସଂସ୍ଥା ପକ୍ଷରୁ ଏହି ରାସ୍ତା ନିର୍ମାଣ କରାଯାଇଥିଲା। ରାସ୍ତା ନିର୍ମାଣ ସମୟରେ ମୁସଲମୁଣ୍ଡା ଗାଁ ନିକଟରେ ପ୍ରାୟ ୬୦ ଫୁଟ ଲମ୍ବାର ପୋଲ ନିର୍ମାଣ କରାଯାଇଥିଲା।
ତେବେ ଗତ ଲଗାଣ ବର୍ଷାରେ ଏହି ପୋଲ ଭୁଶୁଡ଼ି ପଡ଼ିଥିବା ଦେଖିବାକୁ ମିଳିଛି। ପୋଲର ଆପ୍ରୋଚ ରାସ୍ତା ଧୋଇ ହୋଇଯାଇଥିଲା ବେଳେ ପୋଲ ଉପରେ ଛାତ ଗୁଡ଼ିକ ମଧ୍ୟ ଭୁଶୁଡ଼ି ପଡ଼ିଥିବା ଦେଖିବାକୁ ମିଳିଛି। ଫଳରେ ମୁସଲମୁଣ୍ଡା, ପାନାବାଡ଼ି ଏବଂ ଆଖପାଖ ଗ୍ରାମକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡ଼ିଛି। ସଉଦା ପତ୍ର କିଣିବା କିମ୍ବା ଅନ୍ୟ କୌଣସି ଜରୁରୀ କାମରେ ବି ବାହାରକୁ ଯାଇପାରୁନଥିବା ଗ୍ରାମବାସୀ କହିଛନ୍ତି। ଏନେଇ ଗ୍ରାମ୍ୟ ଉନ୍ନୟନ ବିଭାଗ କନିଷ୍ଠ ଯନ୍ତ୍ରୀ ସଂଜୟ କୁମାର ସିଙ୍କୁ ପଚାରି ବୁଝିବାରୁ ଏହି ରାସ୍ତା କାମ ଏନବିସିସି କରିଥିବାରୁ ତାଙ୍କ ପାଖରେ ଅଧିକ ତଥ୍ୟ ନଥିବା କହିଛନ୍ତି। ତେବେ ବିଭାଗୀୟ ଉଚ୍ଚ ଅଧିକାରୀ ଏବଂ ଜିଲ୍ଲା ପ୍ରଶାସନ ଏଦିଗରେ ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରି ନଦୀ ଆରପଟେ ଥିବା ଗ୍ରାମବାସୀଙ୍କୁ ଯୋଗାଯୋଗ ସୁବିଧା କରାଇ ଦେବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/09/IMG-20210908-WA0431-750x430-1.jpg)