କନକ ବ୍ୟୁରୋ : ଅନୁଗୁଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟକୁ ଗତକାଲି ବିଳମ୍ବିତ ରାତି ଠାରୁ ଯାତାୟାାତ ବନ୍ଦ ରହିଛି। ପମ୍ପାସର ନିକଟରେ ଥିବା ଏକ ପୋଲ ଭୁଶୁଡ଼ିବା ଯୋଗୁଁ ଏଭଳି ପରିସ୍ଥିତି ଉପୁଜିଛି। ମିଳିଥିବା ସୂଚନା ଅନୁଯାୟୀ ସାତକୋଶିଆ ଅଭୟାରଣ୍ୟକୁ ଅନୁଗୁଳ ବ୍ଳକ କରତପଟା ଠାରୁ ପମ୍ପାସର ବନାଞ୍ଚଳ ଯିବା ରାସ୍ତାରେ ଥିବା ଦୁର୍ଗା ମନ୍ଦିର ନିକଟରେ ଏକ ପୋଲ ରହିଛି। ତେବେ ଦୁଇଦିନିଆ ଲଗାଣ ବର୍ଷା ଯୋଗୁଁ ପୋଲଟି ଗତକାଲି ବିଳମ୍ବିତ ରାତିରେ ଭୁଶୁଡ଼ି ପଡିଥିଲା। ଫଳରେ ଗତକାଲି ରାତିଠାରୁ ଏପର୍ଯ୍ୟନ୍ତ ସାତକୋଶିଆ ଅଭୟାରଣ୍ୟକୁ ଯାତାୟାରତ ବାଧାପ୍ରାପ୍ତ ହୋଇଛି। ତେବେ ସେଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ପୋଲ ମରାମତି ପାଇଁ ବିଭାଗୀୟ ଏସଡିଓ ସହ ଠିକାଦାର ମାନେ ପହଞ୍ଚିଛନ୍ତି।
ସେହିପରି ବନ୍ତଳା-ଅନୁଗୁଳ ରାସ୍ତାରେ ଲଗାଣ ବର୍ଷାରେ ଗତକାଲି ରାତିରେ ଦବିଯାଇଛି। ଫଳରେ ସେଠାରେ ଦୁଇଟି ସ୍ଥାନରେ ଗଭୀର ଗର୍ତ୍ତ ସୃଷ୍ଟି ହୋଇଛି। ଗତକାଲି ରାତିରେ ବନ୍ତଳା କଲେଜ ରୋଡ଼ ରାସ୍ତାଟି ଦବି ଯାଇଛି। ଫଳରେ ସେଠାରେ ପ୍ରାୟ ୧୦ ଫୁଟ ଓସାର ଓ ପ୍ରାୟ ୪ ଫୁଟ ଗଭୀର ଗର୍ତ୍ତ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି। ସେଠାରେ ବ୍ୟାରିକେଟ କରି ପ୍ରାୟ ୧୦ରୁ ଊର୍ଦ୍ଧ୍ବ ପଞ୍ଚାୟତର ଲୋକମାନେ ସାବଧାନର ସହ ଅନୁଗୁଳ ସହର ଅଭିମୁଖେ ଯାତାୟତ କରୁଥିବା ଜଣାପଡିଛି।
Follow Us