ଶ୍ୱଶୁର ଘରେ ଆଗରେ ଯୁବତୀଙ୍କ ଧାରଣା ଘଟଣା : ୭ଦିନ ଏକାଠି ରହିବେ ସ୍ୱାମୀ-ସ୍ତ୍ରୀ; ଏସଡିଜେଏମ କୋର୍ଟ ଦେଲେ ନିର୍ଦ୍ଦେଶ

305

କନକ ବ୍ୟୁରୋ : ବ୍ରହ୍ମପୁରର ବ୍ରହ୍ମାନଗରରେ ଶ୍ୱଶୁର ଘର ଆଗରେ ଯୁବତୀଙ୍କ ୧୧ ଦିନ ଧରି ଧାରଣା ନେଇ ଏସଡିଜେଏମ କୋର୍ଟ ରାୟ ଶୁଣାଇଛନ୍ତି । ଧାରଣା ଦେଇଥିବା ତପସ୍ୱିନୀ ଓ ତାଙ୍କ ସ୍ୱାମୀ ସୁମିତ ୭ଦିନ ପାଇଁ ଏକାଠି ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । କୋର୍ଟ କହିଛନ୍ତି, ଏହି ସମୟ ମଧ୍ୟରେ ସେମାନେ ପରିବାର ଲୋକଙ୍କୁ ଭେଟିପାରିବେ ନାହିଁ । ୭ଦିନ ପରେ ଉଭୟେ କୋର୍ଟରେ ହାଜର ହେବେ । ଶୁଣାଣୀ ସମୟରେ ଉଭୟ ତପସ୍ୱିନୀ ଓ ସୁମିତ କୋର୍ଟରେ ଉପସ୍ଥିତ ଥିଲେ । କୋର୍ଟ ଉଭୟ ପକ୍ଷଙ୍କୁ ମାମଲାର ଆପୋଷ ସମାଧାନ ପାଇଁ ପରାମର୍ଶ ଦେଇଥିଲେ । ଏହା ପରେ ତପସ୍ୱିନୀ ଧାରଣା ଉଠିଯାଇଛନ୍ତି । ତେବେ, ଜଣେ ସୁରକ୍ଷା ଅଧିକାରୀଙ୍କ ତଦାରଖରେ ଉଭୟ ରହିବେ ବୋଲି କୋର୍ଟଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

ସ୍ବାମୀ ସୁମିତ ସାହୁ ବାଲିସିରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ଭାବେ କାମ କରୁଛନ୍ତି । ଏଣୁ ଆସିକାରେ ତାଙ୍କୁ ଏକ ସୁରକ୍ଷିତ ସ୍ଥାନରେ ରଖିବା ପାଇଁ ପୁଲିସକୁ ଏସ୍‌ଡିଜେଏମ୍‌ ନିର୍ଦ୍ଦେଶ ଜାରି କରିଛନ୍ତି । ଏଥିପାଇଁ ଆସିକା ଥାନା ଅଧିକାରୀ ଏକ ଭଡ଼ାଘର ଦେଖିବେ । ୭ଦିନ ଏକାଠି ରହିବା ମଧ୍ୟରେ ଉଭୟ ପୁଅ କି ଝିଅର ପରିବାର ସେମାନଙ୍କୁ ଦେଖା କରିପାରିବେ ନାହିଁ କି ଯୋଗାଯୋଗ କରିବ ପାରିବେନାହିଁ ବୋଲି ତପସ୍ବିନୀଙ୍କ ଓକିଲ ପ୍ରଦୀପ ବେହେରା ସୂଚନା ଦେଇଛନ୍ତି । ପରବର୍ତ୍ତୀ ଶୁଣାଣି ତାରିଖ ଧାର୍ଯ୍ୟ ହେବାପରେ ପୁଲିସ ଉଭୟଙ୍କୁ ପୁଣିଥରେ କୋର୍ଟରେ ହାଜର କରିବ । ଉଭୟ ସ୍ବାମୀ-ସ୍ତ୍ରୀ ନିଜ ନିଜର ପକ୍ଷ ରଖିବା ପରେ କୋର୍ଟ ତାଙ୍କର ଚୂଡ଼ାନ୍ତ ରାୟ ଦେବେ ବୋଲି ସୂଚନା ମିଳିଛି । ଏଥିପାଇଁ ଜଣେ ପ୍ରୋଟେକ୍ସନ୍‌ ଅଫିସର୍‌ ବା ସୁରକ୍ଷା ଅଧିକାରୀଙ୍କୁ ନିଯୁକ୍ତି କରାଯିବ ।

ଉଲ୍ଲେଖଯୋଗ୍ୟ ଯେ ଛତ୍ରପୁରର ତପସ୍ବିନୀ ଓ ବ୍ରହ୍ମପୁରର ଜଣେ ଯୁବ ଡାକ୍ତର ସୁମିତଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ଉଭୟେ ଗତବର୍ଷ କୋର୍ଟରେ ବିବାହ କରିବା ସହ ଏକାଠି ରହିଥିଲେ। ଗତ କିଛିମାସ ହେବ ସ୍ବାମୀ, ଶାଶୂ ଓ ଶ୍ବଶୁର ମିଶି ତାଙ୍କୁ ନିର୍ଯାତନା ଦେଇଥିବା ନେଇ ତପସ୍ବିନୀ ବ୍ରହ୍ମପୁର ମହିଳା ଥାନାରେ ଅଭିଯୋଗ କରିଥିଲେ । ଏହାପରେ ଡାକ୍ତରଙ୍କ ପରିବାର ଲୋକେ ମାମଲା ଉଠାଇବା ପାଇଁ ବୋହୂଙ୍କୁ ମନାଇବା ସହ ବାହଘର କରାଇବାକୁ ପ୍ରତିଶ୍ରୁତି ଦେଇଥିଲେ । ଗତ ୨୨ତାରିଖରେ ବାହାଘର ଲଗ୍ନ ଧାର୍ଯ୍ୟ ହୋଇଥିଲା । କିନ୍ତୁ ଶ୍ବଶୁର ଘର ଲୋକ କୌଣସି ଆୟୋଜନ କରି ନଥିବାରୁ ତପସ୍ବିନୀ ବଧୂ ବେଶରେ ସଜେଇ ହୋଇ ସମାଜସେବୀ ପ୍ରମିଳା ତ୍ରିପାଠୀଙ୍କ ସହାୟତାରେ ଶ୍ବଶୁର ଘର ଆଗରେ ଧାରଣା ଜାରି ରଖିଥିଲେ ।

ବିଭିନ୍ନ ସଙ୍ଗଠନ ତରଫରୁ ମଧ୍ୟ ତାଙ୍କୁ ସମର୍ଥନ ଦିଆଯାଇଛି । ନ୍ୟାୟ ନମିଳିବାରୁ ଶେଷରେ ତପସ୍ବିନୀ କୋର୍ଟରେ ଆଶ୍ରୟ ନେଇଥିଲେ। ସ୍ବାମୀଙ୍କ ସହିତ ରହିବା ପାଇଁ ନିର୍ଦ୍ଦେଶ ଦେବାକୁ ସେ ପିଟିସନ୍‌ରେ ଆବେଦନ କରିଥିଲେ । ଏହାର ଶୁଣାଣି ପାଇଁ ଉଭୟ ପକ୍ଷ କୋର୍ଟରେ ହାଜର ହୋଇଥିଲେ । ଏସ୍‌ଡିଜେଏମ୍‌ ଏହି ପିଟିସନ୍‌ ଉପରେ ଶୁଣାଣି କରି ସଂଧ୍ୟାରେ ତାଙ୍କର ରାୟ ଶୁଣାଇଛନ୍ତି ।