ବର ଆସିଲେ ସାଇକେଲରେ ! ପରିବେଶ ସୁରକ୍ଷା ପାଇଁ ଯୁବକ କଲେ ନିଆରା ବିବାହ ।

60

ନା ଥିଲା ବାଜା, ରୋଷଣୀ ନା ଥିଲା କୌଣସି ବାଣ, ତୋରଣ । ଏହି ବରଯାତ୍ରୀ ଥିଲା ଟିକେ ନିଆରା, ଟିକେ ଅଲଗା । ବର ସମେତ ସମସ୍ତ ବରଯାତ୍ରୀ ଏବଂ ସମ୍ପର୍କୀୟ ସାଇକେଲରେ ଆସିଥିଲେ । ତେବେ ଏସବୁର ଲକ୍ଷ୍ୟ ଥିଲା ଗୋଟିଏ, ସର୍ବସାଧାରଣଙ୍କୁ ପରିବେଶ ସୁରକ୍ଷାର ବାର୍ତ୍ତା ଦେବା । ସେପଟେ ବରଯାତ୍ରୀଙ୍କ ସ୍ୱାଗତ ମଧ୍ୟ ନିଆରା ଢଙ୍ଗରେ କରାଯାଇଥିଲା । ସମସ୍ତ ବରଯାତ୍ରୀଙ୍କୁ ରୁଦ୍ରାକ୍ଷ ମାଳ ଦିଆଯାଇଥିଲା ।

ଉତ୍ତରପ୍ରଦେଶର ପ୍ରତାପଗଡ ଜିଲ୍ଲାରେ ଦାନପୁର ଗାଁରେ ପ୍ରକାଶ ତିୱାରି ବାସ କରନ୍ତି । ଅନେକ ସାମାଜିକ କାର୍ଯ୍ୟ ସହ ମଧ୍ୟ ସେ ଜଡିତ ଅଛନ୍ତି । ସେ ତାଙ୍କ ପୁଅ ପ୍ରଦୀପ କୁମାରଙ୍କ ବାହାଘର ଘରଠାରୁ ତିନି କିଲୋମିଟର ଦୂର ରବିନ୍ଦ୍ର ନାଥ ମିଶ୍ରଙ୍କ ଝିଅ ମୁଦ୍ରିତାଙ୍କ ସହ ଠିକ କରିଥିଲେ । । ଏହା ପରେ ସେ ବରଯାତ୍ରୀରେ ପରିବେଶ ସଚେତନତା ନେଇ ସମାଜକୁ କିଛି ବାର୍ତ୍ତା ଦେବା ପାଇଁ ସ୍ଥିର କରିଥିଲେ । ଏବଂ ସେଥିପାଇଁ ସେ କନ୍ୟାଘରକୁ ମଧ୍ୟ ଏ ବାବଦରେ ସୂଚନା ଦେଇଥିଲେ । ତେବେ ଶୁକ୍ରବାର ସନ୍ଧ୍ୟାରେ ବର ସାଜିଥିଲେ ପ୍ରଦୀପ । ଏବଂ ମୁଦ୍ରିତାଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହେବା ପାଇଁ ସାଇକେଲରେ ପ୍ୟାଡେଲ ମାରି ଆଗେଇ ଯାଇଥିଲେ ।

ସେପଟେ କନ୍ୟାପକ୍ଷ ମଧ୍ୟ ବଡ ଧୁମଧାମରେ ବରଯାତ୍ରୀଙ୍କର ସ୍ୱାଗତ କରିଥିଲେ । ସମସ୍ତ ବରଯାତ୍ରୀଙ୍କୁ ରୁଦ୍ରାକ୍ଷ ମାଳା, ପୁଷ୍ପ ଏବଂ ହଳଦିଆ ରଙ୍ଗର ଅଙ୍ଗବସ୍ତ୍ର ଦିଆଯାଇଥିଲା । ତେବେ ବ୍ୟାଣ୍ଡ ବାଲା ମଧ୍ୟ ସାଇକେଲରେ ଯାଇଥିଲେ । ଉଭୟ ବର କିମ୍ବା କନ୍ୟା ଘର ପକ୍ଷରୁ କୌଣସି ବାଜା ତୋରଣ କିମ୍ବା ଆଡମ୍ବରର ବ୍ୟବସ୍ଥା କରାଯାଇନଥିଲା । ସମସ୍ତ ବରଯାତ୍ରୀଙ୍କୁ ତଳେ ବସାଇ ତାଳପତ୍ରରେ ନିର୍ମିତ ହୋଇଥିବା ଆସନ ଉପରେ ଖାଇବାକୁ ଦିଆଯାଇଥିଲା ।

ଏମବିଏ କରିଥିବା ପ୍ରଦୀପ ଚାହୁଁଛନ୍ତି ଯେ, ଅନ୍ୟ ଯୁବକମାନେ ମଧ୍ୟ ଏମିତି କାର୍ଯ୍ୟ କରନ୍ତୁ । ଯେପରିକି ସମାଜ ପରିବେଶକୁ ରକ୍ଷା କରିବା ପାଇଁ ସଚେତନ ହେବେ । ଧିରେ ଧିରେ ସମାଜ ଏଭଳି ସଚେତନ ହେଲେ ନିଶ୍ଚିତ ଭାବରେ ପରିବେଶକୁ ପ୍ରଦୂଷଣରୁ ରକ୍ଷା କରାଯାଇପାରିବ ।