କନକ ବ୍ୟୁରୋ : କରୋନା ମହାମାରୀ କାହାକୁ ବର୍ବାଦ କରିଦେଇଛି ତ କାହାକୁ ରାସ୍ତା ଉପରକୁ ନେଇ ଆସିଛି । ହେଲେ ରାଜସ୍ଥାନରେ ଏମିତି ଏକ ଘଟଣା ଘଟିଛି ଯେଉଁଥିରେ କରୋନା ମହାମାରୀର କାୟା ଫିକା ପଡିଯାଇଛି । କରୋନା ମହାମାରୀ ଅଟକାଇ ପାରିନାହିଁ ବାହାଘର । କରୋନା ପଜିଟିଭ ଥାଇ ବି ପିପିଇ କିଟ ପିନ୍ଧି ବାହାହେଲେ ବର । ଏଭଳି ଘଟଣା ଦେଖିବାକୁ ମିଳିଛି ରାଜସ୍ଥାନର ଅଲବର ଜିଲ୍ଲାରେ ।

Advertisment

ଅଲବର ଜିଲ୍ଲା କୁତିନା ଗାଁର ରାମେଶ୍ୱର ଦୟାଲ ପ୍ରଜାପତଙ୍କ ଝିଅ ଦିପିକାଙ୍କ ବିବାହ କମଲ ସିଂ ପ୍ରଜାପତଙ୍କ ପୁଅ ତହସିଲ ମୁଣ୍ଡାବରଙ୍କ ସହ ହେବାକୁ ସ୍ଥିର ହୋଇଥିଲା । ବାହାଘର ଦିନ ସମସ୍ତେ ଖୁସିରେ ଥାନ୍ତି । ବର ମଧ୍ୟ ରୋଶଣି କରି କନ୍ୟା ଘରକୁ ଯିବାକୁ ବାହାରିଛି । ହେଲେ ଏହି ସମୟ ମଧ୍ୟରେ ବର କରୋନା ପଜିଟିଭ ରିପୋର୍ଟ ଆସି ପହଞ୍ଚିଲା । ଏହି ଘଟଣା ସତେ ଯେମିତି ଏକ ଖୁସିର ମାହୋଲରେ ଅନ୍ଧକାରର କଳା ବାଦଲ ହୋଇ ମାଡିଆସିଲା । ଏହାକୁ ନେଇ ସମସ୍ତେ ଚିନ୍ତାରେ ପଡିଗଲେ ।

ଏହି ଘଟଣା ପରେ ପ୍ରଶାସନ ବର-କନିଆଁଙ୍କ ଘର ଲୋକଙ୍କୁ କୋଭିଡ ଗାଇଡଲାଇନ ପାଳିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହାସହ ବର ସହ ୫ ଜଣଙ୍କୁ ଯିବାକୁ ଅନୁମତି ମିଳିଥିଲା । ଆଉ ବର କନିଆଁକୁ ପିପିଇ କିଟ ପିନ୍ଧିବାକୁ କୁହାଯାଇଥିଲା ।
ଶେଷରେ ପ୍ରଶାସନର ଗାଇଡଲାଇନ ମାନି ବାହାଘର ଆରମ୍ଭ ହେଲା । ପିପିଇ କିଟ୍ ପିନ୍ଧି କନିଆଁ ଘରକୁ ଆସିଲା ବର । ବ୍ରାହ୍ମଣଙ୍କ ସହ ଅନ୍ୟ ବନ୍ଧୁବାନ୍ଧବ ମଧ୍ୟ ପିପିଇ କିଟ ପିନ୍ଧିଥିଲେ । ଆଉ କରୋନା ମହାମାରୀର କାୟାକୁ ଏଡାଇ କନିଆଁ ମଥାରେ ସିନ୍ଦୂର ଦେଇ ତାକୁ ସାତ ଜନ୍ମର ସାଥୀ କରିଥିଲେ ବର ।

ଶେଷରେ କୋଭିଡ ଗାଇଡଲାଇନ ମଧ୍ୟରେ ସରିଥିଲା ବାହାଘର । ଆଉ ବାହାଘର ଶେଷ ହେବା ପରେ ବରକୁ କ୍ୱାରେଣ୍ଟାଇନ ସେଣ୍ଟରକୁ ପଠାଯାଇଥିଲା । ଏଠାରେ କରୋନା ଭଳି ଭୟଙ୍କର ମହାମାରୀ ଏହି ସାତ ଜନ୍ମର ସମ୍ପର୍କ ମଝିରେ ଫାଟ ସୃଷ୍ଟି କରିବାରେ ବିଫଳ ହୋଇଛି ।

ଏହି ଘଟଣା ନୂଆ ନୁହେଁ । ଗତ କିଛି ଦିନ ତଳେ ମଧ୍ୟ ସେହି ରାଜସ୍ଥାନରେ ଏଭଳି ଏକ ଘଟଣା ଘଟିଥିଲା । ରାଜସ୍ଥାନର ବାରାରେ ବାହାଘର ପୂର୍ବଦିନ କନିଆଁ କରୋନା ପଜିଟିଭ ଚିହ୍ନଟ ହୋଇଥିଲା । ଏହାପରେ ଉଭୟ ବର-କନିଆଁ ପିପିଇ କିଟ ପିନ୍ଧି ବାହା ହେଉଥିବା ନଜର ଆସିଥିଲେ ।