ବରକୁ ବରଣମାଳା ପିନ୍ଧାଇବା ବେଳେ ମଣ୍ଡପ ଉପରେ ଟଳିପଡିଲେ କନ୍ୟା, ହୃଦଘାତରେ ଚାଲିଗଲା ଶିବାଙ୍ଗୀଙ୍କ ଜୀବନ ।

1,438

କନକ ବ୍ୟୁରୋ: ଏମିତି ବି ଆସେ ମୃତ୍ୟୁ, ଯାହା କେହି କେବେ ସ୍ୱପ୍ନରେ ସୁଧା ଭାବିନଥାଏ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଉତ୍ତରପ୍ରଦେଶ ଲକ୍ଷେ୍ନøର ଭଦୱାନା ଗାଁରେ । ମଣ୍ଡପ ଉପରେ ବରକୁ ବରଣମାଳା ପିନ୍ଧାଉଥିବାବେଳେ ଟଳିପଡିଲେ କନ୍ୟା, ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲେ ବି ହୃଦଘାତରେ ତାଙ୍କର ମୃତ୍ୟୁ ହୋଇସାରିଥିବା ଡାକ୍ତର ଘୋଷଣା କରିଥିଲେ ।

ଭଦୱାନା ଗାଁର ରାଜପାଲଙ୍କ ଝିଅ ଶିବାଙ୍ଗୀଙ୍କ ବାହାଘର ପାଇଁ ସମସ୍ତେ ଖୁସି ଥିଲେ । ବରଯାତ୍ରୀ ଆସି ଖାଇବା ପିଇବା କରିସାରିବା ପରେ ମଣ୍ଡପ ପାଖକୁ ବର, କନ୍ୟାଙ୍କ ବରଣମାଳା ରୀତିକୁ ଦେଖିବାକୁ ମଣ୍ଡପ ପାଖରେ ଏକାଠି ହୋଇଥିଲେ । ସମସ୍ତଙ୍କ ମୁହଁରେ ହସ ଥିଲା । କିନ୍ତୁ ଏ ହସ ନିମିଷକେ ଲୁହରେ ବଦଳିଗଲା । ବର ବିବେକ ଶିବାଙ୍ଗୀଙ୍କୁ ବରଣମାଳା ପିନ୍ଧାଇସାରିଥିଲେ । ହେଲେ ଶିବାଙ୍ଗୀ ବିବେକଙ୍କୁ ବରଣମାଳା ପିନ୍ଧାଇବା ବେଳକୁ ମଣ୍ଡପ ଉପରେ ପଡିଯାଇଥିଲେ ଏବଂ ବେହୋସ୍ ହୋଇଯାଇଥିଲେ । ବାସ୍ ଏତିକିରେ ଘଟଣାସ୍ଥଳରେ ହଇଚଇ ସୃଷ୍ଟି ହୋଇଯାଇଥିଲା ।

ତୁରନ୍ତ ଶିବାଙ୍ଗୀଙ୍କୁ ଡାକ୍ତରଖାନା ନିଆଯାଇଥିଲେ ବି ତାଙ୍କୁ ବଞ୍ଚାଯାଇପାରିନଥିଲା । ହୃଦଘାତ ଯୋଗୁଁ ତାଙ୍କର ମୃତ୍ୟୁ ହୋଇସାରିଛି ବୋଲି ଡାକ୍ତର କହିଥିଲେ । ଏହାପରେ ଖୁସିର ପରିବେଶ କାନ୍ଦବୋବାଳିରେ ଫାଟିପଡିଥିଲା ।