ଧୂମଧାମରେ ଚାଲିଥିଲା ବାହାଘର…ମଥାରେ ଲାଗିସାରିଥିଲା ସିନ୍ଦୁର, ପଡ଼ିଥିଲା ହାତଗଣ୍ଠି । କିନ୍ତୁ ସାତଫେରା ନେବା ପୂର୍ବରୁ ଚାଲିଗଲା କନ୍ୟାର ଜୀବନ, ଶାଳୀକୁ ବାହା ହେଲା ବର ।

957

କନକ ବ୍ୟୁରୋ : ଧୂମଧାମରେ ଚାଲିଥିଲା ବାହାଘର…ମଥାରେ ଲାଗିସାରିଥିଲା ସିନ୍ଦୁର । ସାତଫେରା ପୂର୍ବରୁ ଚାଲିଗଲା କନ୍ୟାର ଜୀବନ । ଶାଳୀକୁ ବାହା ହେଲା ବର । ମଥାରେ ସିନ୍ଦୁର ଲାଗିସାରିଥିଲା । ହାତଗଣ୍ଠି ବି ପଡିସାରିଥିଲା । ବରମାଳା ପକାଇ ଦୁହେଁ ଦୁହିଁଙ୍କୁ ନିଜର କରିସାରିଥିଲେ । ସରିବାକୁ ବସିଥିଲା ବାହାଘରର ସବୁ ରୀତିନୀତି । କିନ୍ତୁ ଅଗ୍ନିକୁ ସାକ୍ଷୀ ରଖି ସାତ ଜନମର ସାଥୀ ହେବା ପୂର୍ବରୁ ବେଦୀ ଉପରେ ଆଖି ବୁଜିଦେଲା କନିଆ । ଉତରପ୍ରଦେଶ ଇଟାୱାରୁ ଆସିଛି ଏଭଳି ଏକ ଅଭାବନୀୟ ଘଟଣା । ବେଦୀ ଉପରେ କନିଆର ଜୀବନ ଚାଲିଯିବା ପରେ ଶେଷରେ ଶାଳୀକୁ ବାହାହୋଇଛନ୍ତି ବର ।

ମେ ୨୫ ତାରିଖ, ସମୟ ପାଖାପାଖି ୮.୩୦ଟା ହେବ । ହସଖୁସିରେ ଫାଟିପଡୁଥିଲା ପୂରା ଅଂଚଳ । ସୁରଭୀଙ୍କ ସହ ଚାଲିଥିଲା ମଞ୍ଜେସଙ୍କ ବିବାହ । ହେଲେ ହଠାତ ମାଡିଆସିଲା ଦୁଃଖର କଳାବାଦଲ । ବଡ ଧୂମଧାମରେ ବାହାଘର ଚାଲିଥିବା ବେଳେ, ସାତ ଫେରା ନେବା ଆଗରୁ ହଠାତ ବେଦୀ ଉପରେ ବେହୋସ ହୋଇଗଲେ ସୁରଭୀ । ଝିଅ ଅସୁସ୍ଥ ହୋଇପଡିବାରୁ ତାଙ୍କୁ ସଙ୍ଗେ ସଙ୍ଗେ ନିକଟସ୍ଥ ହସ୍ପିଟାଲକୁ ନେଇଯାଇଥିଲେ ପରିବାରଲୋକେ । ଏବଂ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁଯାୟୀ, ହୃଦଘାତରେ ଚାଲିଯାଇଥିଲା ସୁରଭୀଙ୍କ ଜୀବନ । ଆଉ ଏହି ଖବର ଦୁଇ ପରିବାରଙ୍କୁ ସ୍ତବ୍ଧ କରିଦେଇଥିଲା । ଅଧାରେ ବାହାଘର ଅଟକିଥିବା ବେଳେ, ଖେଳିଯାଇଥିଲା ଶୋକର ଛାୟା । ଆଉ ଏହା ପରେ ଯାହା ଘଟିଥିଲା, ତାହା ଅତ୍ୟନ୍ତ ରୋଚକ ଥିଲା ।

ଉଭୟ ବର ଘର ଏବଂ କନ୍ୟା ଘରର ସହମତିରେ ଏକ ବଡ ନିଷ୍ପତି ନିଆଯାଇଥିଲା । ଆଉ ପୂରୀ ହୋଇଥିଲା ଅଧାରେ ଅଟକିଯାଇଥିବା ବାହାଘର । ବେଦୀରେ କିନ୍ତୁ ସୁରଭୀ ନଥିଲେ, ମଞ୍ଜେସଙ୍କ ହାତ ଧରିଥିଲେ ସୁରଭୀଙ୍କ ସାନ ଭଉଣୀ । ଦୁଇ ପରିବାର ଲୋକଙ୍କ ସହମତିରେ, ସୁରଭୀଙ୍କ ସାନ ଭଉଣୀଙ୍କୁ ସାତ ଜନମର ସାଥୀ କରିନେଇଛନ୍ତି ମଞ୍ଜେସ ।

ତେବେ ବାହାଘର ସମୟରେ ସୁରଭୀଙ୍କ ଶବକୁ ସେହି ଘରେ ହିଁ ରଖାଯାଇଥିଲା । ଆଉ ବାହାଘରର ସବୁ ରୀତିନୀତି ଶେଷ ହେବା ପରେ, ସୁରଭୀଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା । ମାତ୍ର କିଛିଟା ସମୟ ଭିତରେ, ଅନେକ କିଛି କାହାଣୀ ଘଟିଯାଇଥିଲା । ଆଉ ଶେଷରେ ନିଜ ଶାଳୀଙ୍କ ହାତ ଧରିଥିଲେ ବର ।