ବ୍ୟବସ୍ଥା ଦେଲା ଯନ୍ତ୍ରଣା । ଭୁଲିଗଲା ପ୍ରଶାସନ । ଅର୍ନ୍ତରାଷ୍ଟ୍ରୀୟ ଫୁଟବଲ ଖେଳାଳୀରୁ ଇଟାଭାଟିର ଶ୍ରମିକ ପାଲଟିଗଲେ ସଙ୍ଗୀତା କୁମାରୀ ।

190

କନକ ବ୍ୟୁରୋ : ଫୁଟବଲ୍ ଗ୍ରାଉଣ୍ଡରେ ଦମଦର ସଟ୍ । ପାଦରେ ଦାମି ଜୋତା, ଦେହରେ ଭାରତୀୟ ମହିଳା ଫୁଟବଲ୍ ଟିମର ଜର୍ଷି । ଆଖିରେ ଅନେକ ସ୍ୱପ୍ନ । ହେଲେ ସବୁକିଛି କ୍ଷଣିକ ମାତ୍ର ଥିଲା । ଦେଶ ପାଇଁ ବିଦେଶରେ ଫୁଟବଲଖେଳି ଦେଶର ନାମ ଉଜାଗର କରିଥିବା ସଂଗୀତା କୁମାରୀଙ୍କୁ ଯେ ଦିନେ ପେଟ ପାଟଣା ପାଇଁ ଇଟାଭାଟିରେ ଶ୍ରମିକ ଭାବେ କାମ କରିବାକୁ ପଡିବ ସେ କେବେ ସ୍ୱପ୍ନରେ ସୁଦ୍ଧା ଭାବି ନଥିଲେ । କିନ୍ତୁ ତାହା ହିଁ ସତ୍ୟ ।

ଆମେ କହୁଛୁ ଝାଡଖଣ୍ଡର ଅର୍ନ୍ତରାଷ୍ଟ୍ରୀୟ ମହିଳା ଫୁଟବଲ ଖେଳାଳୀ ସଂଗୀତା କୁମାରୀଙ୍କ କଥା । ବାସ୍ତବରେ ସଂଗୀତାଙ୍କ ଘର ଧାନବାଦର ବାଘମାରା ବାସମୁଡୀରେ । ସେ ଏବେ ଇଟାଭାଟିରେ କାମ କରି ପରିବାର ପାଇଁ ୨ ଓଳି ରୁଟି ଯୋଗାଡ କରୁଛନ୍ତି । କରୋନା ସମୟରେ ସଂଗୀତାଙ୍କ ବଡଭାଇଙ୍କୁ କିଛି କାମ ମିଳୁ ନଥିବାରୁ ଏବେ ପୁରା ପରିବାରର ବୋଝ ସଂଗୀତାଙ୍କ ମୁଣ୍ଡରେ ।

୨୦୧୮-୧୯ ରେ ସଂଗୀତା ୧୭ ବର୍ଷରୁ କମ୍ ଭାରତୀୟ ମହିଳା ଫୁଟବଲ ଟିମରେ ସ୍ଥାନ ପାଇଥିଲେ । ସେ ଭୁଟାନ ଓ ଥାଇଲାଣ୍ଡରେ ଦେଶ ତରଫରୁ ଖେଳି ଦେଶ ପାଇଁ ମେଡାଲ ଆଣିବା ସହ ନିଜେ ବି ବ୍ରୋଞ୍ଜ ମେଡାଲ ଜିତିଥିଲେ । ହେଲେ ସମୟ ବଦଳିଗଲା, ଆଉ ତାଙ୍କୁ ଦଳରେ ସୁଯୋଗ ମିଳିଲା ନାହିଁ । ଶେଷରେ ଗାଁକୁ ଫେରି ପରିବାର ପ୍ରତିପୋଷଣ ପାଇଁ ସାଜିଗଲେ ଦୈନିକ ମଜୁରୀଆ ।

ତାଙ୍କର ଦୂରାବସ୍ଥା ନେଇ ସେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଜଣାଇବା ପରେ ମୁଖ୍ୟମନ୍ତ୍ରୀ ଟ୍ୱିଟ ଯୋଗେ ସଂଗୀତାଙ୍କୁ ସରକାରୀ ସହାୟତା ଓ ସରକାରୀ ଚାକିରୀ ଦେବାକୁ ଆଶ୍ୱାସନା ଦେଇଥିଲେ । ହେଲେ ବୋଧେ ମନ୍ତ୍ରୀ ତାଙ୍କ ପ୍ରତିଶୃତି ଭୁଲି ଯାଇଛନ୍ତି ।

ସଂଗୀତାଙ୍କ ବାପା କହନ୍ତି କି ତାଙ୍କ ଝିଅ ଜଣେ ଭଲ ଫୁଟବଲ ଖେଳାଳୀ । ସେ ରାଜ୍ୟ ଠାରୁ ଦେଶ ପର୍ଯ୍ୟନ୍ତ ଖେଳି ଦେଶର ନା ଉଜ୍ୱଳ କରିଛନ୍ତି । ହେଲେ ଏବେ ସେ ଅନ୍ଧକାର ଭିତରେ ଥିବା ବେଳେ ସରକାର ତାକୁ ଭୁଲି ଯାଇଛନ୍ତି ।
ଏସବୁ ଭିତରେ ସଂଗୀତା ହାର ମାନି ନାହାନ୍ତି । ଦିନ ମାନ ଇଟାଭାଟିରେ ଅକ୍ଳାନ୍ତ ପରିଶ୍ରମ ପରେ ବି ସେ ପ୍ରାକ୍ଟିସ କରିବାକୁ ଓହ୍ଲାଇ ପଡୁଛନ୍ତି ଫୁଟବଲ ଗ୍ରାଉଣ୍ଡକୁ । ଏବେ ବି ଆଖିରେ ବଞ୍ଚିଛି କିଛି ସ୍ୱପ୍ନ , ସରକାର ଶୁଣିବେ ଦୁଖ, ଆଉ ସୁଖ ଓ ସମ୍ମାନର ସହ ଜୀବନ ଅତିବାହିତ କରିବେ ସଂଗୀତା ।