ମୁହଁ ଖୋଲିଲେ ଭାରତୀୟ ବୋଲିଂ କୋଚ୍ । ଆଇପିଏଲ ଓ ଟି-୨୦ ବିଶ୍ୱକପ ମଧ୍ୟରେ ସମୟ ବ୍ୟବଧାନ ଅଧିକ ଥିଲେ ଖେଳାଳୀଙ୍କୁ ଫାଇଦା ମିଳିଥାନ୍ତା ।

210

କନକ ବ୍ୟୁରୋ : ଟି-୨୦ ବିଶ୍ୱକପରେ ଟିମ୍ ଇଣ୍ଡିଆର ସେମିଫାଇନାଲ ଭାଗ୍ୟ ଆଫଗାନିସ୍ତାନର ବିଜୟ ଉପରେ ନିର୍ଭର କରୁଛି । ଭାରତ ପ୍ରଥମ ୨ଟି ମ୍ୟାଚରେ ପରାଜିତ ହେବା ପରେ ଲଗାତାର ୨ଟି ମ୍ୟାଚରେ ବିଜୟୀ ହୋଇଛି । କିନ୍ତୁ ଭାରତ ପାଇଁ ଏଯାବତ ସେମିଫାଇନାଲ ଟିକେଟ ସୁନିଶ୍ଚିତ ହୋଇନାହିଁ । ତେବେ ଏହା ଭିତରେ ଟିମ୍ ଇଣ୍ଡିଆର ବୋଲିଂ କୋଚ୍ ଭରତ ଅରୁଣ ଭାରତୀୟ ଦଳର ପ୍ରଦର୍ଶନକୁ ନେଇ ବଡ ବୟାନ ଦେଇଛନ୍ତି । ଭରତ ଅରୁଣ କହିଛନ୍ତି, ଯଦି ଆଇପିଏଲ ଓ ଟି-୨୦ ବିଶ୍ୱକପ ମଧ୍ୟରେ କିଛି ଦିନର ବ୍ରେକ ରହିଥାନ୍ତା ତେବେ ଏହା ଟିମ୍ ପାଇଁ ବେଶ ଭଲ ହୋଇଥାନ୍ତା ।

ନାମ୍ବିଆ ବିପକ୍ଷ ମ୍ୟାଚ୍ ପୂର୍ବରୁ ସାମ୍ବାଦିକ ସମ୍ମିଳନୀରେ ଭରତ ଅରୁଣ କହିଛନ୍ତି, ଲଗାତାର ୬ ମାସ ଧରି ଖେଳିବା ଏକ ବଡ ଚ୍ୟାଲେଞ୍ଜ । ଅନେକ ଖେଳାଳୀ ଦୀର୍ଘ ଦିନ ହେବ ଘରକୁ ଯାଇନାହାନ୍ତି । ଅଧିକାଂଶ ଖେଳାଳୀ ୬ ମାସ ହେବ ବାୟୋ ବବଲରେ ରହି ଆସୁଛନ୍ତି, ଯାହା ଅନେକଙ୍କ ଖେଳାଳୀଙ୍କ ପାଇଁ ଏତେଟା ସହଜ ନୁହେଁ । ତେଣୁ ଆଇପିଏଲ ଓ ଟି-୨୦ ବିଶ୍ୱକପ ମଧ୍ୟରେ କିଛି ଦିନର ବ୍ୟବଧାନ ରହିଥିଲେ ଏହା ଖେଳାଳୀଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହୋଇଥାନ୍ତା ।

ଭରତ ଅରୁଣ କହିଛନ୍ତି, ପ୍ରଥମରୁ ହିଁ ପାକିସ୍ତାନ ଓ ନ୍ୟୁଜିଲାଣ୍ଡ ବିପକ୍ଷରେ ମ୍ୟାଚ ହାରିବା ପରେ ସ୍କଟଲାଣ୍ଡ ଓ ଆଫଗାନିସ୍ତାନ ବିପକ୍ଷରେ ବଡ ବିଜୟ ହାସଲ କରିଛୁ । ଏହି ବିଜୟ ଭାରତ ପାଇଁ ସେମିଫାଇନାଲ ସୁଯୋଗ ସୃଷ୍ଟି କରିଛି ସତ କିନ୍ତୁ ବହୁତ ବିଳମ୍ବରେ । ଟି-୨୦ ବିଶ୍ୱକପ ପରେ ଭରତ ଅରୁଣଙ୍କର କାର୍ଯ୍ୟକାଳ ଶେଷ ହେବ । ମିଳିଥିବା ସୂଚନା ମୁତାବକ ଭରତ ଅରୁଣ ଖୁବଶୀଘ୍ର ଆଇପିଏଲର ଅହମ୍ମଦାବାଦ ଟିମ୍ ସହ ଯୋଡି ହେବେ । ଏପରିକି ଟି-୨୦ ବିଶ୍ୱକପ ପରେ ରବି ଶାସ୍ତ୍ରୀ ମଧ୍ୟ ଅହମ୍ମଦାବାଦ ଟିମରେ ଯୋଗଦେବେ ବୋଲି କୁହାଯାଉଛି ।