ଯନ୍ତ୍ରଣାରେ ଛଟପଟ ଘରର ରୋଜଗାରିଆ ପୁଅ । ସାହାଯ୍ୟ ପାଇଁ ସ୍ତ୍ରୀ,ମା’ଙ୍କ ବିକଳ ନିବେଦନ ।

166

କନକ ବ୍ୟୁରୋ: ଘରର ଜଣେ ବୋଲି ରୋଜଗାରିଆ ପୁଅ । ମୂଲ ଲାଗି ଯାହା ଦି ପଇସା ମିଳେ ସେଥିରେ କଷ୍ଟେମଷ୍ଟେ ଚଳୁଥିଲା ୬ ପ୍ରାଣୀ କୁଟୁମ୍ବ । ବୁଢି ମା’, ପତ୍ନୀ, ଦୁଇ ପିଲାଙ୍କୁ ଦୁଃଖେକଷ୍ଟେ ଚଳାଉଥିଲେ । ହେଲେ ଦଇବ ସହିଲାନି । ହଠାତ୍ ମାଡି ବସିଲା ରୋଗ । ଏବେ ଘରେ ଦୟନୀୟ ଅବସ୍ଥା । ଦିନେ ଚୁଲି ଜଳିଲେ ଦିନେ ଉପାସ । ପୁଅ କଥା ଭାବି ଗୁମୁରୀ କାନ୍ଦୁଛନ୍ତି ବୁଢି ମା’ ଆଉ ସ୍ତ୍ରୀ ।ଏ ହେଉଛି କେନ୍ଦ୍ରାପଡା ଗରଦପୁର ବ୍ଲକ ବିରିଜଙ୍ଗା ଗାଁର ଅମୂଲ୍ୟ ମଲ୍ଲିକଙ୍କ ଦୁଃଖଭରା କାହାଣୀ ।

ଦାରିଦ୍ର୍ୟ ସାଙ୍ଗକୁ ରୋଗର ଦାଉ । ଅସହ୍ୟ ଯନ୍ତ୍ରଣାରେ ଛଟପଟ ଅମୂଲ୍ୟଙ୍କ ଜୀବନ । ଜମି ବୋଲି ଗୁଣ୍ଠେ ନାହିଁ । ତଥାପି ପର ଘରେ ମୂଲ ଲାଗି ଚଳାଉନେଉଥିଲେ ଅଭାବି ସାଂସାର । ଅଭାବ ଭିତରେ ବି ଘର ଲୋକଙ୍କ ମୁହଁରେ ଥିଲା ହସ । ହେଲେ ହଠାତ୍ ସବୁକିଛି ଓଲଟପାଲଟ ହୋଇଗଲା । ଦିନେ ଅମୂଲ୍ୟଙ୍କ ପେଟରେ ଯନ୍ତ୍ରଣା ସହ ଗୋଡ ଫୁଲିଗଲା । ପାଖ ଡାକ୍ତରଙ୍କ ଠାରୁ ବାରମ୍ବାର ଔଷଧ ଖାଇଲେ ବି କିଛି ଲାଭ ହେଲାନାହିଁ । ଶେଷରେ ବଡ ମେଡିକାଲ ଆସିଲେ । ସେଠାରେ ଡାକ୍ତର ଯାହା କହିଲେ ସେଥିରେ ଅମୂଲ୍ୟ ଓ ତାଙ୍କ ଘର ଲୋକଙ୍କ ପାଦ ତଳୁ ଯେମିତି ମାଟି ଖସିଗଲା । ଅମୂଲ୍ୟଙ୍କୁ ଗୋଟିଏ ନୁହେଁ ଏକାବେଳକେ ମାଡିବସିଥିଲା ତିନି ତିନୋଟି ରୋଗ । ଦୁଇ କିଡନୀ ଖରାପ ହେବା ସହ, ଲିଭର ଓ ହାର୍ଟ ସମସ୍ୟା ମଧ୍ୟ ଦେଖାଗଲା । ଗୋଟିଏ ବୋଲି ପୁଅକୁ ଭଲ କରିବାକୁ ମାଗିଯାଚି ଯେତିକି ଚିକିତ୍ସା କଲେ ଆଉ ଏବେ ଆଉ ମା’ ପ୍ରମିଳାଙ୍କର ସାହସ ପାଉନି । କାଲି ଯାହା ପୁଅକୁ ଦେଖି ଆଖିରୁ ଲୁହ ଗଡାଇଚାଲିଛନ୍ତି ଆଉ କାନ୍ଦ କାନ୍ଦି ସରକାରଙ୍କୁ ସାହାଯ୍ୟର ଭିକ ମାଗୁଛନ୍ତି ।

 ଅମୂଲ୍ୟଙ୍କ ଦୁଃଖ ସହିନପାରି ଗାଁ ଲୋକେ କିଛି ଟଙ୍କା ଆଦାୟ କରି ତାଙ୍କର ଚିକିତ୍ସା କଲେ ବି ତାହା ସମୁଦ୍ରକୁ ଶଂଖେ ଥିଲା । ଏବେ ସବୁଆଡୁ ନିରାଶ ହେବା ପରେ ସରକାରୀ ସାହାଯ୍ୟ ଟିକକ ପାଇଁ ଆଶା ବାନ୍ଧି ବସିଛନ୍ତି ଅମୂଲ୍ୟ ଓ ତାଙ୍କ ପରିବାର । ଏପରି ଅବସ୍ଥାରେ ଅମୂଲ୍ୟଙ୍କୁ ସାହାଯ୍ୟର ହାତ ବଢାଇଛନ୍ତି ସ୍ଥାନୀୟ କିନ୍ନର ସଂଘ । ତାଙ୍କ ଔଷଧ ଖର୍ଚ୍ଚ ବାବଦରେ କିଛି ଅର୍ଥ ସହ ରୋଷେଇ ସାମଗ୍ରୀ ଦେଇଛନ୍ତି ।

ଏହି ଖବର ଜାଣିବା ପରେ ଯଦି ସ୍ଥାନୀୟ ପ୍ରଶାସନ ସାହାଯ୍ୟର ହାତ ବଢାନ୍ତେ ତାହାଲେ ହୁଏତ ଏହି ଦୁଃଖରୁ ପାରି ହୋଇପାରନ୍ତା ଅସହାୟ ଅମୂଲ୍ୟଙ୍କ ପରିବାର ।