ରୁଟି ଦେଇଛି ରୋଜଗାର । କଟକ ଖାନନଗର ଅଂଚଳର ୧୦ ଜଣ ମହିଳା ପ୍ରସ୍ତୁତ କରୁଛନ୍ତି ରୁଟି

257

କନକ ବ୍ୟୁରୋ : ମାର୍କେଟରେ ବରା, ପକୁଡ଼ି, ଫାଷ୍ଟ ଫୁଡ଼, ଦହିବରା ଭଳି ଅନେକ ଦୋକାନ ରହିଛି । କିନ୍ତୁ ଖୁବ୍ କମ୍ ସ୍ଥାନରେ ରୁଟି ତିଆରି ଏହାକୁ ବିକ୍ରି କରିବା ଦେଖିବାକୁ ମିଳିଥାଏ । ହାତ ତିଆରି ରୁଟି ଖାଇବାକୁ ପ୍ରାୟ ଅନେକ ଲୋକ ଭଲପାଆନ୍ତି । ହେଲେ ଏହା ସବୁ ସ୍ଥାନରେ ମିଳିନଥାଏ । ଆଉ ଏହି ରୁଟି ବ୍ୟବସାୟ କରି କିଛି ରୋଜଗାର କରିବାର ଆଶା ନେଇ ଏଥିରେ ସଫଳ ହୋଇଛନ୍ତି କଟକ ଖାନ୍ ନଗର ଅଂଚଳ ଦେବୀସାହିର ଏସଏଚଜି ମହିଳା । ସ୍ୱୟଂ ସହାୟକ ଗୋଷ୍ଠି ମାଧ୍ୟମରେ ନିଜେ ରୋଜଗାରକ୍ଷମ ହୋଇ ପରିବାରର ଆର୍ଥିକ ସ୍ଥିତିକୁ ବଦଳାଇପାରିଛନ୍ତି ଓମ୍ ସାଇରାମ୍ ଗୋଷ୍ଠୀର ସଭାପତି ସରୋଜିନୀ ସାହୁ ।

ଦିନକୁ ପାଖାପାଖି ୧୫ଶହ ରୁଟି ତିଆରି କରୁଛନ୍ତି ଏହି ଗ୍ରୁପର ମହିଳା ମାନେ । ଘର କାମ ସାରିବା ପରେ ଦିନ ୨ଟାରୁ ଆରମ୍ଭ ହୋଇଥାଏ ରୁଟି ପ୍ରସ୍ତୁତି । ମହିଳା ମାନେ ତିଆରି କରୁଥିବା ଏହି ରୁଟି ପାଇଁ କଟକ ସମେତ ବାହାରୁ ଆସୁଛି ଅର୍ଡର । ଏପରିକି ବାହାଘର ଓ ବ୍ରତଘର ଭୋଜିରେ ମହିଳା ମାନଙ୍କୁ ରୁଟି ତିଆରି ପାଇଁ ଅର୍ଡର ମିଳୁଛି । ହୋଟେଲ, ଢ଼ାବା, ହଷ୍ଟେଲ ଏବଂ କ୍ୟାଂଟିନ୍ ଚଳାଉଥିବା ଲୋକମାନେ ତାଙ୍କ ଠାରୁ ରୁଟି କିଣି ନେଉଛନ୍ତି । ଦିନକୁ ଦିନ ରୁଟର ମୂଲ୍ୟ ବଢ଼ୁଥିବା ବେଳେ ଗୋଟାକୁ ୨ଟଙ୍କା ୫୦ ପଇସାରେ ରୁଟି ବିକ୍ରି କରି ସ୍ୱାବଲମ୍ବୀ ହୋଇପାରିଛନ୍ତି ଏହି ଗ୍ରୂପର ସଦସ୍ୟା ।

ପରିବାରର ଆର୍ଥିକ ଅବସ୍ଥାକୁ ଦେଖି ପ୍ରଥମେ ସରୋଜିନୀ ଓ ତାଙ୍କ ଭଉଣୀ ରୁଟି ତିଆରି ଆରମ୍ଭ କରିଥିଲେ । ଭଲ ବ୍ୟବସାୟ ହେବାରୁ କିଛି ମହିଳାଙ୍କୁ ନେଇ ୨୦୧୩ରେ ଗଠନ କରିଥିଲେ ସ୍ୱୟଂ ସହାୟକ ଗୋଷ୍ଠୀ । ମିଶନ ଶକ୍ତି ଓ ଓରମାସ୍ ସହାୟତାରେ ବ୍ୟାଙ୍କରୁ ୧ଲକ୍ଷ ଟଙ୍କା ରୁଣ ନେଇ ବ୍ୟବସାୟ ବଢ଼ାଇଥିଲେ ସରୋଜିନୀ । ମାର୍କେଟରେ ତାଙ୍କ ରୁଟିର ଚାହିଦା ବଢ଼ିବାରୁ ଏବେ ୧୦ ଜଣ ମହିଳାଙ୍କୁ ନେଇ ରୁଟି ବ୍ୟବସାୟ କରି ସଫଳ ହୋଇଛନ୍ତି । ଯାହା ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛି ।