କୋଭାକ୍ସିନ୍ ଟିକା କିଣା ବିକାକୁ ନେଇ ବାଜ୍ରିଲ ଓ ଭାରତ ବାଓଟେକ୍ ମଧ୍ୟରେ ବିବାଦ । ଟିକା ପାଇଁ ବ୍ରାଜିଲ ଟଙ୍କା ଦେଇ ନଥିବା କହିଲା ଭାରତୀୟ କମ୍ପାନୀ । 

164

କନକ ବ୍ୟୁରୋ : କରୋନା ମହାମାରୀରେ ସର୍ବାଧିକ ପ୍ରଭାବିତ ହୋଇଥିବା ତାଲିକାରେ ତୃତୀୟ ସ୍ଥାନରେ ଥିବା ବ୍ରାଜିଲରେ ଏବେ କୋଭାକ୍ସିନର କ୍ରୟକୁ ନେଇ ସମସ୍ୟା ଦେଖାଦେଇଛି । ଫଳରେ ବ୍ରାଜିଲ ସରକାର ଭାରତ ବାୟୋଟେକ୍ ସହ କରିଥିବା ୩୨୪ ମିଲିଅନ ଡଲାରର ଚୁକ୍ତିକୁ କିଛି ସମୟ ପାଇଁ ସ୍ଥଗିତ ରଖିଛନ୍ତି ।

ବ୍ରାଜିଲ ବନାମ ଭାରତ ବାୟୋଟେକ୍ । କରୋନା ଟିକା କିଣା ବିକାକୁ ନେଇ ଦ୍ୱନ୍ଦ । ଭାରତର ସ୍ୱଦେଶୀ କରୋନା ଭାକ୍ସିନ୍ କୋଭାକ୍ସିନ୍ କିଣା ବିକାକୁ ନେଇ ଭାରତ ବାୟୋଟେକ ଓ ବ୍ରାଜିଲ ମଧ୍ୟରେ ବିବାଦ ଦେଖାଦେଇଛି । କୋଭାକ୍ସିନ୍ କିଣିବା ପାଇଁ ଭାରତ ବାୟୋଟେକ୍ ସହ ବ୍ରାଜିଲ ୩୨୪ ମିଲିଅନ ଡଲାରର ଚୁକ୍ତି କରିଥିଲା । ଜୁନ୍ ୨୪, ୨୦୨୧ ଠାରୁ ବ୍ରାଜିଲରେ କୋଭାକ୍ସିନର ଜରୁରୀକାଳିନ ପ୍ରୟୋଗ ପାଇଁ ଅନୁମତି ମଧ୍ୟ ମିଳିଥିଲା । ହେଲେ ଜୁନ୍ ୨୯ ପର୍ଯ୍ୟନ୍ତ କମ୍ପାନୀକୁ ବ୍ରାଜିଲ ସରକାରଙ୍କ ଠାରୁ କୌଣସି ଅଗ୍ରିମ ଟଙ୍କା ମିଳିଲା ନାହିଁ । ଫଳରେ ବ୍ରାଜିଲକୁ କରୋନା ଟିକାର ସପ୍ଲାଇ କରାଯାଇ ନାହିଁ ।

ବ୍ରାଜିଲ, ଭାରତ ବାଓଟେକ୍ ଠାରୁ ମୋଟ୍ ୨ କୋଟିର କୋଭାକ୍ସିନ୍ ଡୋଜ୍ କିଣିବାର ଥିଲା । ମାତ୍ର ଏହି ଚୁକ୍ତିକୁ ନେଇ ବ୍ରାଜିଲରେ ଅନେକ ପ୍ରଶ୍ନ ଛିଡା ହେଲା । ଏମିତି କି ବ୍ରାଜିଲ ରାଷ୍ଟ୍ରପତି ଜାୟର ବୋଲସୋନେରୋଙ୍କ ବିରୋଧରେ ଭ୍ରଷ୍ଟାଚାରର ଅଭିଯୋଗ ଲାଗିଲା ।

ବ୍ରାଜିଲରେ କୋଭାକ୍ସିନ୍ ଡୋଜର ଦାମକୁ ନେଇ ବିରୋଧୀ ପ୍ରଶ୍ନ ଉଠାଇଲେ । କୋଭାକ୍ସିନ୍ କିଣିବା ବାହାନାରେ ରାଷ୍ଟ୍ରପତି ଜାୟର ବୋଲସୋନେରୋ ଟଙ୍କା ହେରଫେର କରିଥିବା ଅଭିଯୋଗ ଆଣିଲେ । ସରକାରଙ୍କ ତରଫରୁ ଏନେଇ ଯେତେ ସଫେଇ ଦିଆଗଲେ ବି ବିରୋଧି ମାନିଲେ ନାହିଁ । ଫଳରେ ବ୍ରାଜିଲ ସରକାର ଭାରତ ବାଓଟେକ ବିରୋଧରେ ଅଭିଯୋଗ ଆଣିଲେ ଯେ, କମ୍ପାନୀ ଅଧିକ ଦାମରେ ଟିକା ବିକ୍ରି କରୁଛି ।

ବ୍ରାଜିଲରେ କୋଭାକ୍ସିନ୍ ବିବାଦ ସୁପ୍ରିମକୋର୍ଟରେ ଯାଇ ପହଁଚିଛି ଆଉ ରାଷ୍ଟ୍ରପତି ଜାୟର ବୋଲସୋନେରୋଙ୍କ ବିରୋଧରେ ଯାଂଚ ମଧ୍ୟ ଆରମ୍ଭ ହୋଇ ଯାଇଛି । ଯେଉଁ ପର୍ଯ୍ୟନ୍ତ ଯାଂଚର ପରିଣାମ ନ ଆସୁଛି, ସେ ପର୍ଯ୍ୟନ୍ତ ଭାରତ ବାଓଟେକ୍ ସହ ଡିଲକୁ ସ୍ଥଗିତ ରଖାଯାଇଛି ।

ଭାରତ ବାଓଟେକଙ୍କ କର୍ତୃପକ୍ଷଙ୍କ କହିବା କଥା ଭାରତ ବାହାରେ କୋଭାକ୍ସିନର ପ୍ରତ୍ୟେକ ଡୋଜର ଦାମ୍ ୧୫ରୁ ୨୦ ଡଲାର । ବ୍ରାଜିଲକୁ ମଧ୍ୟ ପ୍ରତି ଡୋଜ୍ ପିଛା ୧୫ ଡଲାର ଦେବାର ଥିଲା । ତେବେ ବ୍ରାଜିଲ ବ୍ୟତୀତ, ଫିଲିଫାଇନ୍ସ, ଇରାନ, ମେକ୍ସିକୋ ସମେତ ୧୬ଟି ଦେଶରେ ଜରୁରୀକାଳୀନ ପ୍ରୟୋଗ ପାଇଁ ମଂଜୁରୀ ମିଳିଛି । ଏହାଛଡା ଅନ୍ୟ ୫୦ଟି ଦେଶରେ କୋଭାକ୍ସିନର ପ୍ରୟୋଗ ପାଇଁ ମଂଜୁରୀ ମିଳିବା ନେଇ ଆଲୋଚନା ଜାରି ରହିଛି ।