ହୁତୁ ହୁତୁ ହୋଇ ଜଳିଗଲା ବ୍ରାଜିଲର ଜାତୀୟ ସଂଗ୍ରହାଳୟ । ଭୟଙ୍କର ନିଆଁରେ ଜଳିପୋଡି ପାଉଁଶ ହୋଇଗଲା ୨୦୦ ବର୍ଷର ସଂଗ୍ରହ

19

କନକ ବ୍ୟୁରୋ: ହୁତୁ ହୁତୁ ହୋଇ ଜଳିଗଲା ବ୍ରାଜିଲର ଜାତୀୟ ସଂଗ୍ରହାଳୟ । ୨୦୦ ବର୍ଷର ସଂଗ୍ରହ ପୋଡି ପାଉଁଶ ହୋଇଯାଇଛି । ବ୍ରାଜିଲର ସର୍ବପୁରାତନ ଏବଂ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଐତିହାସିକ ଓ ବୈଜ୍ଞାନିକ ସଂଗ୍ରହାଳୟରେ ସୋମବାର ଭୟବହ ଅଗ୍ନିକାଣ୍ଡ ଘଟି ଧ୍ୱଂସ ସ୍ତୁପରେ ପରିଣତ ହୋଇଛି । ରିଓ-ଡି-ଜେନେରୋରେ ଥିବା ଏହି ପୁରାତନ ସଂଗ୍ରହାଳୟ ସନ୍ଧ୍ୟା ୭ଟା ୩୦ରେ ବନ୍ଦ୍ ହେବା ପରେ ଅଗ୍ନିକାଣ୍ଡ ଘଟିଥିଲା । ମାତ୍ର କିଛି ସମୟ ମଧ୍ୟରେ ନିଆଁ ଚାରି ଆଡକୁ ବ୍ୟାପି ଯାଇଥିଲା । ୭ଟି ଭିନ୍ନ ଭିନ୍ନ ଷ୍ଟେସନର ପ୍ରାୟ ୮୦ଅଗ୍ନିନିର୍ବାପକ ଦଳ ନିଆଁ ଲିଭାଇବା କାର୍ଯ୍ୟରେ ନିୟୋଜିତ ହୋଇଥିଲେ ।

ହେଲେ ନିଆଁ ଲିଭାଇବା କଷ୍ଟକର ହୋଇପଡିଥିଲା । ଅଗ୍ନିକାଣ୍ଡରେ କୌଣସି ମୃତାହତ ହୋଇନଥିଲେ ମଧ୍ୟ ବ୍ରାଜିଲର ବିଜ୍ଞାନ, ଇତିହାସ ଏବଂ ସଂସ୍କୃତିର ଯେଉଁ କ୍ଷତି ହୋଇଛି ତାହା ଅକଳନୀୟ କ୍ଷତି ବୋଲି ସଂଗ୍ରହାଳୟର ଦୁଇ ଜଣ ଉପନିର୍ଦ୍ଦେଶକ କହିଛନ୍ତି । ଲାଟିନ୍ ଆମେରିକାର ଏହା ସବୁଠୁ ବୃହତମ ଐତିହାସିକ ସଂଗ୍ରହାଳୟ । ଅଗ୍ନିକାଣ୍ଡ ଯୋଗୁଁ ୧୦୦ବର୍ଷରୁ ଉର୍ଦ୍ଧ ପୁରୁଣା ସଂଗ୍ରହମାନ ନଷ୍ଟ ହୋଇଯାଇଛି ବୋଲି ସଂଗ୍ରହାଳୟର ଜଣେ ଉପନିର୍ଦ୍ଦେଶକ କହିଛନ୍ତି ।

ସେ କହିଛନ୍ତି ଦେଶର ୨୦୦ ବର୍ଷର ଐତିହ୍ୟ, ୨୦୦ ବର୍ଷର ବିଜ୍ଞାନ, ୨୦୦ ବର୍ଷର ସଂସ୍କୃତି ଏବଂ ଶିକ୍ଷା ନଷ୍ଟ ହୋଇଯାଇଛି । ବ୍ରାଜିଲ୍ ରାଷ୍ଟ୍ରପତି ମାଇକେଲ ଟେମର କହିଛନ୍ତି ଏହି ଦିନ ବ୍ରାଜିଲର ପାଇଁ ବଡ ଦୁଃଖର ଦିନ । ୨୦୦ ବର୍ଷର କାର୍ଯ୍ୟ ଗବେଷଣା, ଏବଂ ବିଜ୍ଞାନ ନଷ୍ଟ ହୋଇଯାଇଛି । ଏଭଳି କ୍ଷତି ଅକଳନୀୟ । ତେବେ ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇନାହିଁ ।