ବ୍ରାଜିଲ ଓ ଭାରତ ବାୟୋଟେକ୍ ମଧ୍ୟରେ ଘନେଇଲା ବିବାଦ : ୩୨୪ ନିୟୁତ ଡଲାର ଟିକା ଡିଲକୁ ନେଇ ବିବାଦ ନେଲା ଭିନ୍ନ ମୋଡ; ଚୁକ୍ତିରେ ଅନିୟମିତତା ଦର୍ଶାଇ ଚୁକ୍ତିକୁ ବାତିଲ କଲେ ବ୍ରାଜିଲ୍ ସରକାର

163

କନକ ବ୍ୟୁରୋ : ବ୍ରାଜିଲ ଓ ଭାରତ ବାୟୋଟେକ୍ ମଧ୍ୟରେ ବିବାଦ ଘନେଇବାରେ ଲାଗିଛି । ୩୨୪ ନିୟୁତ ଡଲାର ଟିକା ଡିଲକୁ ନେଇ ଆରମ୍ଭ ହୋଇଥିବା ବିବାଦ ଏବେ ଭିନ୍ନ ମୋଡ ନେଇଛି । ଚୁକ୍ତିରେ ଅନିୟମିତତା ହୋଇଥିବା ଦର୍ଶାଇ ଚୁକ୍ତିକୁ ବାତିଲ କରିଦେଇଛନ୍ତି ବ୍ରାଜିଲ ସରକାର । ଅନ୍ୟପଟେ ଭାରତ ବାୟୋଟେକ କହିଥିଲା ଯେ, ଟିକା ପାଇଁ କୌଣସି ଆଗୁଆ ଅର୍ଥରାଶି ଗ୍ରହଣ କରାଯାଇ ନାହିଁ ।

ଜୁନ୍ ୪ ତାରିଖରେ କୋଭାକ୍ସିନକୁ ଜରୁରିକାଳୀନ ବ୍ୟବହାର ପାଇଁ ବ୍ରାଜିଲ ଅନୁମତି ଦେଇଥିବା ଭାରତ ବାୟୋଟେକ୍ ପକ୍ଷରୁ ଦାବି କରାଯାଇଥିଲା । ହେଲେ ବ୍ରାଜିଲ କୁନ୍ତୁ ଭାରତ ବାୟୋଟେକର ଏହି ଦାବିକୁ ଖଣ୍ଡନ କରିଛି । ବ୍ରାଜିଲ ସ୍ୱାସ୍ଥ୍ୟ ମନ୍ତ୍ରାଳୟ କୋଭାକ୍ସିନ ଟିକାର ବ୍ୟବହାରକୁ ଅନୁମତି ଦେଇନଥିବା କହିଛି । ମନ୍ତ୍ରାଳୟ କହିଛି ଯେ, ଜୁନ୍ ୪ ତାରିଖରେ କେବଳ ୪୦ ଲକ୍ଷ ଡୋଜ୍ ଆମଦାନୀ ପାଇଁ ନୋଟିସ ହୋଇଥିଲା । କିନ୍ତୁ କୋଭାକ୍ସିନକୁ ବ୍ୟବହାର ପାଇଁ ଅନୁମତି ପ୍ରଦାନ କରାଯାଇନଥିବା ସ୍ପଷ୍ଟ କରିଛି ବ୍ରାଜିଲ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ।