ଆଦିବାସୀ ଝିଅର ଅଦମ୍ୟ ସାହସ: ଗୋଟିଏ ଭିଡିଓରେ ବଂଚାଇଦେଲେ ଅନେକ ଜୀବନ; ନିରକ୍ଷର ହୋଇଥିଲେ ବି ସୋସିଆଲ ମିଡିଆର ସାହାରା ନେଇ ୬ ହଜାର ଶ୍ରମିକଙ୍କୁ ନିଜ ଭିଟାମାଟିକୁ ଫେରାଇ ଆଣିଲେ ବଲାଙ୍ଗୀରର ମାନସୀ

560

କନକ ବ୍ୟୁରୋ: ସାହସ ଓ ଉପସ୍ଥିତି ବୃଦ୍ଧି ବଳରେ ୧୯ ବର୍ଷୀୟା ଓଡିଆ ଆଦିବାସୀ ଝିଅ ତାମିଲନାଡୁରେ ଇଟାଭାଟିରେ କାମ କରୁଥିବା ୬ ହଜାରରୁ ଅଧିକ ଶ୍ରମିକଙ୍କୁ ସେମାନଙ୍କ ଭିଟାମାଟିକୁ ଫେରାଇ ଆଣିପାରିଛି । ନିରକ୍ଷର ହୋଇଥିଲେ ସୁଦ୍ଧା ସୋସିଆଲ ମିଡିଆର ସାହାରା ନେଇ ଅସହାୟ ଶ୍ରମିକମାନଙ୍କୁ ସେମାନଙ୍କ ଘରକୁ ଫେରାଇ ଆଣିଛନ୍ତି । କେବଳ ଓଡିଶା ନୁହେଁ ବରଂ ଝିଅଟିର ଗୋଟିଏ ଉଦ୍ୟମ ଲାଗି ପେଟ ପାଟଣା ପାଇଁ ଭିଟାମାଟି ଛାଡି ବିହାର, ଝାଡଖଣ୍ଡ, ଉତରପ୍ରଦେଶକୁ ଯାଇ ଇଟାଭାଟିରେ କାମ କରୁଥିବା ଶ୍ରମିକମାନେ ମଧ୍ୟ ନିଜ ଘରକୁ ଫେରି ଆସିପାରିଛନ୍ତି ।

ବଲାଙ୍ଗୀରର ଅତିଦୁର୍ଗମରେ ଥିବା ଏକ ଅନୁନ୍ନତ ଗାଁର ଅଳ୍ପ ପାଠୁଆ ସୁନା ଝିଅ ମାନସୀ ବରୀହା । ମାଆ, ବାପା ଏବଂ ଗୋଟିଏ ସାନ ଭଉଣୀକୁ ନେଇ ବେଶ୍ ହସ ଖୁସିରେ ଚଳୁ ଥିଲେ ଏମାନେ । ହେଲେ ମାଆଙ୍କ ଦେହ ହଠାତ୍ ଖରାପ ହୋଇଯିବା କାରଣରୁ ସତେ ଯେମିତି ସେମାନଙ୍କ ପରିବାରରେ ଦୁଃଖର କଳା ବାଦଲ ଘୋଟିଯାଇଥିଲା । ମାଆଙ୍କ ଚିକିତ୍ସା ପାଇଁ ଯାହା ଯେଉଁଠି ଥିଲା ତାକୁ ବନ୍ଧା ପକାଇ ବାପା ଟଙ୍କା ଆଣିଥିଲେ ହେଲେ କିଛି ଲାଭ ହୋଇନଥିଲା ଦୀର୍ଘ ଦିନ ଧରି ଶଯ୍ୟାରେ ପଡି ରହିବା ପରେ ଶେଷରେ ସେ ଆଖିବୁଜିଦେଲେ । ଏପଟେ ୨୮ ହଜାର ଟଙ୍କା ପାଇଁ  ବନ୍ଧା ପଡିଥିବା ଜମିବାଡିକୁ ମୁକୁଲାଇବା ପାଇଁ ବାପା ସହ ମାନସୀ ଦାଦନ ଖଟିବାକୁ ବାଧ୍ୟ ହୋଇଥିଲେ । ତାମିଲନାଡୁର ଏକ ଇଟାମାଟିରେ କାମ ଆରମ୍ଭ କରିଥିଲେ । କିନ୍ତୁ କରୋନା ପାଇଁ ତାଲାବନ୍ଦ ଘୋଷଣା ହେବା ପରେ ମାଲିକକୁ ଘରକୁ ଫେରିଯିବା ପାଇଁ ନେହୁରା ହୋଇଥିଲେ ମାନସୀଙ୍କ ସମେତ ଇଟାଭାଟିରେ କାମ କରୁଥିବା ବାକି ଶ୍ରମିକ । କିନ୍ତୁ ଘରକୁ ଛାଡିବା ପରିବର୍ତ୍ତେ ସେମାନଙ୍କୁ ଅତି ନିର୍ମମ ଓ ଅମାନୁସିକ ଭାବେ ନିର୍ଯାତନା ଦେଇଥିଲା ନିର୍ଦୟ ଭାଟିମାଲିକ । ଏପରିକି ଗୁଣ୍ଡା ଲଗାଇ ସେମାନଙ୍କୁ ମାରପିଟ୍ ମଧ୍ୟ କରିଥିଲା ।

ଏପଟେ ଚତୁରତାର ଶହ ମାନସୀ ଏହି ହୃଦୟ ବିଦାରକ ଘଟଣା ସବୁକୁ ନିଜ ମୋବାଇଲରେ ରେକର୍ଡ କରିନେଇଥିଲେ ଆଉ ଉପସ୍ଥିତ ବୃଦ୍ଧି ଖଟାଇ ସେଠାରୁ ଖସି ପଳାଇ ଆସିଥିଲେ । ଏବଂ ନିଜ ଫୋନରେ ରେକର୍ଡ କରିଥିବା ଦାଦନ ଶ୍ରମିକଙ୍କ ଯନ୍ତ୍ରଣାର ଅଡିଓ ଓ ଭିଡିଓ ସୋସିଆଲ ମିଡିଆରେ ଛାଡି ସାହାଯ୍ୟ ଭିକ୍ଷା କରିଥିଲେ । ଅନ୍ୟପଟେ, ମାନସୀଙ୍କ ଏହି ହୃଦୟ ବିଦାରକ ଭିଡିଓଟି ଏକ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପାଇ ଜିଲ୍ଲା ପ୍ରଶାସନ ସହ ଯୋଗାଯୋଗ କରିଥିଲେ ଏବଂ  ଶ୍ରମିକଙ୍କୁ ଉଦ୍ଧାର କରିବା ସହ ମାଲିକକୁ ଗିରଫ କରାଇଥିଲେ । କଥା ଏତିକିରେ ସରିନଥିଲା  ଏମାନଙ୍କ ପରେ ପରେ ସଂପୃକ୍ତ ଅଂଚଳରେ ଥିବା ବାକି ୩୦ଟି  ଇଟାଭାଟି ଉପରେ ମଧ୍ୟ ପୁଲିସ୍ ଚଢାଉ କରିଥିଲା ଏବଂ ଫସି ରହିଥିବା ଶ୍ରମିକଙ୍କୁ ଉଦ୍ଧାର କରିଥିଲା । ତେବେ ବିଶେଷ ପାଠପଢିନଥିଲେ ମଧ୍ୟ ମାନସୀ ପରି ଝିଅର ସାହସ ଯୋଗୁଁ ଆଜି ଏମାନେ ମୃତ୍ୟୁ ମୁହଁରେ ବର୍ତ୍ତିଯାଇଛନ୍ତି ।