ସାହସର ଅନ୍ୟ ନାଁ ସୁନି ! ମୋବାଇଲ୍ ନେଇ ଖସିଯାଉଥିଲା ଚୋର, ସାହସ ଦେଖାଇ କାବୁ କଲା କୁନି ଝିଅ ।

527

କନକ ବ୍ୟୁରୋ: ଦିନକୁ ଦିନ ଷ୍ଟେସନ୍ ନିକଟରେ ପକେଟ୍ ମାର୍ ଙ୍କ ଆତଙ୍କ ବଢ଼ୁଥିବାବେଳେ ସେମାନଙ୍କୁ ଧରିବା ପାଇଁ ପୋଲିସ୍ ପାଣି ପିଇ ଦେଉଛି । ଆଉ ଠିକ୍ ସେତିକି ବେଳେ ଜଣେ ନାବାଳିକାଙ୍କ ଅଦମ୍ୟ ସାହସର ଦୃଶ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । କାରଣ ସାହାସିକତା ଦେଖାଇ ଚୋକକୁ କାବୁ କରିଛନ୍ତି ଜଣେ ୧୫ ବର୍ଷୀୟ ନାବାଳିକା ।

ସୂଚନା ଅନୁସାରେ ବାଲେଶ୍ୱର ମାର୍କୋଣା ରେଳ ଷ୍ଟେସନରେ ହାଉଡା-ପୁରୀ ଧଉଳି ଏକ୍ସପ୍ରେସରେ ଜଣେ ରେଳଯାତ୍ରୀ ଅଜିତ ମହାନ୍ତି ଜଳଶ୍ୱେରରୁ ଭଦ୍ରକ ଯାଉଥିଲେ । ହେଲେ ତାଙ୍କ ପକେଟରେ ଥିବା ଏକ ମୋବାଇଲ ଉପରେ ଗୋଟିଏ ଚୋରର ନଜର ପଡ଼ିଥିଲା । ଆଉ ସୁଯୋଗ ମିଳିବାରୁ ଅଜିତଙ୍କ ପକେଟରୁ ମୋବାଇଲକୁ ଝାମ୍ପି ନେଇ ଟ୍ରେନରୁ ଡେଇଁ ପଳାଉଥିଲେ ଚୋର । ଠିକ୍ ଏହି ସମୟରେ ଚୋରକୁ ଏକ ବେଲ୍ଟ ଜରିଆରେ କାବୁ କଲେ ୧୫ ବର୍ଷର ନାବାଳିକା ସୁନି ସିଂ । ଏହାପରେ ସ୍ଥାନୀୟ ଯୁବକମାନେ ଚୋରକୁ ଧରି ମାଡ ମାରିବା ସହ ସିମୁଳିଆ ପୁଲିସକୁ ଖବର ଦେଇଥିଲେ ।

ସବୁଠାରୁ ବଡ଼କଥା ହେଲା, ବୟସରେ ସାନ ହୋଇଥିଲେ ମଧ୍ୟ ସାହସିକତାରେ ପରିପୂର୍ଣ୍ଣ ୧୫ ବର୍ଷିୟ ସୁନି ସିଂ । ତେବେ କିଭଳି ଜଣେ ପକେଟ୍ ମାରକୁ କଳେବଳେ କୌଶଳରେ କାବୁ କଲା ସେନେଇ ସୁନି ସିଂ କହନ୍ତି…“ଲୋକମାନେ ଚୋର ଚୋର ବୋଲି ଚିକ୍ରାର କରିବାରୁ ମୁଁ ସେ ପିଲାକୁ ବେଲ୍ଟ ଧରି ମାଡ଼ି ବସିଲି । ଆଉ ତା ପରେ ପାଟି କରିବାରୁ ଷ୍ଟେସନରେ ଥିବା ଲୋକେ ଆସି ତାକୁ ଧରି ପୋଲିସରେ ଦେଇଥିଲେ ।

ଅନ୍ୟପଟେ ରେଳ କଲୋନୀର ବୁଦ୍ଧିଆ ସିଂଙ୍କ ଝିଅ ସୁନି ସିଂଙ୍କ ସାହସିକତାକୁ ନେଇ ଚାରିଆଡ଼େ ଚର୍ଚ୍ଚା । ପକେଟ୍ ମାରକୁ ଅଦମ୍ୟ ସାହସ ଦେଖାଇ କାବୁ କରିବା ପରେ ପୁଲିସ ଘଟଣା ସ୍ଥଳରେ ପହଚିଂ ପକେଟ୍ ମାରକୁ ଥାନାକୁ ନେବା ସହ ନାବାଳିକାଙ୍କ ସାହାସିକତାକୁ ପ୍ରଶଂସା କରିଥିଲେ । ଏପରିକି ସ୍ଥାନୀୟ ଲୋକମାନେ ମଧ୍ୟ ସୁନି ସିଂଙ୍କ ଏଭଳି ସାହସିକତାକୁ ନେଇ ପ୍ରଶଂସା କରିଛନ୍ତି ।