କନକ ବ୍ୟୁରୋ : ଇସ୍ରାଏଲ ଓ ହମାସ ଚରମପନ୍ଥୀଙ୍କ ମଧ୍ୟରେ ଲାଗିଥିବା ଯୁଦ୍ଧ ଷଷ୍ଠ ଦିନରେ ପହଂଚିଛି । ଏହି କ୍ରମରେ ଏବେ ଉଭୟ ଇସ୍ରାଏଲ ପାଲେଷ୍ଟାଇନ ଉପରେ ଆକ୍ରମଣ ଜାରି ରଖିଛି ତ ଅନ୍ୟପଟେ ହମାସ ଚରମପନ୍ଥୀମାନେ ଇସ୍ରାଏଲ ଉପରେ ମଧ୍ୟ ଆକ୍ରମଣ ଜାରି ରଖିଛନ୍ତି । ଏହାରି ମଧ୍ୟରେ ଏକ ରୋଚକ ଖବର ସାମ୍ନାକୁ ଆସିଛି । ଦୁଇଜଣ ଭାରତୀୟ ମହିଳା ଇସ୍ରାଏଲ ସେନାରେ ଚାକିରି କରିଛନ୍ତି ଓ ସେମାନେ ଏହି ଯୁଦ୍ଧରେ ଭାଗ ନେଇଛନ୍ତି ।

Advertisment

ଗୁଜରାଟାରୁ ପ୍ରକାଶିତ ଏକ ରିପୋର୍ଟ ମୁତାବକ ରିୟା ଏବଂ ନିଶା ନାମକ ଦୁଇଜଣ ଭାରତୀୟ ମହିଳା ଏବେ ଇସ୍ରାଏଲ ତରଫରୁ ପାଲେଷ୍ଟାଇନ ସହ ଯୁଦ୍ଧ ଲଢୁଛନ୍ତି । ଏହି ଦୁଇ ମହିଳା ମୂଳତଃ ଗୁଜରାଟର ବାସିନ୍ଦା । ସେମାନଙ୍କ ଘର ଗୁଜୁରାଟ ଜୁନାଗଡର ମାନାଭାଦର କାଥୋଡି ଗ୍ରାମର ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି ।

ପ୍ରକାଶିତ ରିପୋର୍ଟ ମୁତାବକ ଏହି ଦୁଇ ମହିଳାଙ୍କ ପିତା ଜିଭାଭାଇ ମୁଲିଆସିଆ ଓ ସାବଦାସଭାଇ ମୁଲିଆସିଆ କିଛିବର୍ଷ ତଳୁ ଗୁଜରାଟରୁ ଯାଇ ଇସ୍ରାଏଲରେ ବାସ କରିବା ସହ ସେଠିକାର ନାଗରିକତା ହାସଲ କରିଛନ୍ତି ।
ଇସ୍ରାଏଲ ସରକାରଙ୍କ ନିୟମ ମୁତାବକ ସେଠିକାର ଅଧିକାଂଶ ନାଗରିକଙ୍କୁ ବାଧ୍ୟତାମୂଳକ ଭାବେ ସାମରିକ ସେବାରେ ଯୋଗଦେବାକୁ ପଡିଥାଏ । ଯାହା କି ପୁରୁଷଙ୍କ ପାଇଁ ଅଢେଇ ବର୍ଷ ଓ ମହିଳାଙ୍କ ପାଇଁ ଦୁଇ ବର୍ଷ ବାଧ୍ୟତାମୂଳକ । ଏହି କ୍ରମରେ ଉଭୟ ରିୟା ଓ ନିଶା ଏବେ ଇସ୍ରାଏଲ ସେନାରେ ସୈନିକ ଭାବେ କାର୍ଯ୍ୟ କରୁଛନ୍ତି । ଏହା ପୂର୍ବରୁ ଉଭୟଙ୍କ ପିତା ମଧ୍ୟ ଇସ୍ରାଏଲ ସେନାରେ କାର୍ଯ୍ୟ କରିସାରିଛନ୍ତି ।

ଏନେଇ ରିୟାଙ୍କ ପିତା ଜିଭାଭାଇ ମୁଲିଆସିଆ କହିଛନ୍ତି କି, ତାଙ୍କ ଝିଅ ଦୁଇବର୍ଷ ହେବ ଲେବାନନ, ସିରିଆ, ଜୋର୍ଡାନ ଏବଂ ଇଜିପ୍ଟ ସୀମାରେ ମୁତୟନ ଥିଲେ । ଏହାସହ ୨୦୨୧ ମସିହାରେ ଇସ୍ରାଏଲ ସେନା ଗାଜାର ହମାସ ଉପରେ ଯେତେବେଳେ ଆକ୍ରମଣ କରିଥିଲା ରିୟା ସେତେବେଳେ ଇସ୍ରାଏଲ ସେନାରେ ମୁତୟନ ହୋଇଥିଲେ ।