ସାରା ବିଶ୍ୱରେ ପରିଚିତ ହେବ ବେଲଗୁଣ୍ଠାର ପିତଳ ମାଛ: ଜିଆଇ ଟ୍ୟାଗ ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା

815

କନକ ବ୍ୟୁରୋ: ଓଡ଼ିଶାର କଳାକାରୁ କାର୍ଯ୍ୟ ଓ ହସ୍ତଶିଳ୍ପ ବିଶ୍ୱ ଦରବାରରେ ବେଶ ପ୍ରସିଦ୍ଧ । ସେଥି ମଧ୍ୟରୁ ଗଂଜାମ ଜିଲ୍ଲା ବେଲଗୁଣ୍ଠା ପିତଳ ମାଛ, ହସ୍ତଶିଳ୍ପର ଆଉ ଏକ ନିଆରା ପରିଚୟ । କୁହାଯାଏ ବ୍ରିଟିସ ଶାସନ ସମୟରେ ମହାରଣା ପରିବାର ତତ୍କାଳିନ ଇଂରେଜ ସାହେବଙ୍କୁ ହାତ ତିଆରି ପିତଳ ମାଛ ଉପହାର ଦେଇ ଚକିତି କରିଦେଇଥିଲେ । ସେହି ଦିନଠାରୁ ପିତଳର ଏହି ସୁକ୍ଷ୍ମ କାରିଗରୀ ନିଜର ଏକ ସ୍ୱତନ୍ତ୍ର ପରିଚୟ ଲାଭ କରିଛି ।

ଇଂରେଜ ଅମଳରୁ ଆଜି ଯାଏଁ ପିତଳ ମାଛ କଳାକୁ ବଂଚାଇ ରଖିଛନ୍ତି ଗଂଜାମ ବେଲଗୁଣ୍ଠାର କାରିଗର ପ୍ରକାଶ ଚନ୍ଦ୍ର ମହାରଣା । ପିଲାଟି ଦିନରୁ ବାପାଙ୍କ ଠାରୁ ଶିଖିଥିବା କଳାକୁ କୌଳିକ ବୃତି ଭାବେ ସଂପାଦନ କରି ଆସୁଛନ୍ତି । ପିତଳରେ ରୋହି, ମୀର ଓ ଚିଙ୍ଗୁଡ଼ି ମାଛ ସହ ଲକ୍ଷ୍ମୀଙ୍କ ମୂର୍ତୀ, ସାପ, ହଂସ, ଶଙ୍ଖ ତିଆରି କରି ରାଜ୍ୟରେ ପରିଚୟ ସୃଷ୍ଟି କରିପାରିଛନ୍ତି ପ୍ରକାଶ ।

ଏହି ହସ୍ତଶିଳ୍ପକୁ ବିଶ୍ୱ ଦରବାରରେ ସ୍ୱତନ୍ତ୍ର ମାନ୍ୟତା ପଦାନ ପାଇଁ ସରକାରୀ ସ୍ତରରେ ପଦକ୍ଷେପ ନିଆଯାଇଛି । ଭୌଗୋଳିକ ସଂକେତ ବା ଜିଆଇ ଟ୍ୟାଗ ମାନ୍ୟତା ପାଇଁ ରାଜ୍ୟ ହସ୍ତଶିଳ୍ପ ନିର୍ଦ୍ଦେଶକଙ୍କ ତରଫରୁ ଗଂଜାମ ଜିଳ୍ଲାପାଳଙ୍କୁ ଚିଠି ଲେଖାଯାଇଛି । ଏହି ପ୍ରକ୍ରିୟା ଯୋଗୁଁ ବେଲଗୁଣ୍ଠା ପିତଳ ମାଛକୁ ଜିଆଇ ଟ୍ୟାଗ୍ ମିଳିବା ନେଇ ଆଶା ସଂଚାର ହୋଇଛି । କିନ୍ତୁ କାରିଗରଙ୍କୁ ଏହାର ଉପଯୁକ୍ତ ପାରିଶ୍ରମିକ ମିଳିପାରୁନଥିବାରୁ ଅନେକ କୌଳିକ ବୃତିରୁ ମୁହଁ ଫେରାଇ ନେଉଥିବା କହିଛନ୍ତି । ଜିଆଇ ଟ୍ୟାଗ ପାଇଁ ପ୍ରୟାସ ଆରମ୍ଭ କରାଯାଇଥିବା ବେଳେ ଏହି ହସ୍ତଶିଳ୍ପର ସୁରକ୍ଷା ଓ ଉପଯୁକ୍ତ ବଜାର ବ୍ୟବସ୍ଥା କରିବାର ଆବଶ୍ୟକତା ରହିଛି ।