ଜୀବିକା ଦେଇଛି କଂସା ବାସନ । ବ୍ୟବସାୟୀଙ୍କ ଠାରୁ କଂଚା ମାଲ କିଣି ବାସନ ତିଆରି କରୁଛନ୍ତି ପିପିଲି ବଧୀ ଗାଁର ଲୋକେ

139

କନକ ବ୍ୟୁରୋ : କଂସା କାରିଗରଙ୍କ ଗାଁ ପୁରୀ ଜିଲ୍ଲା ପିପିଲି ବ୍ଳକର ବଧୀ ଗାଁ । ଏହି ଗାଁର ପ୍ରାୟ ଅଧିକଂଶ ଲୋକ କଂସା କାରିଗର । ପିଢ଼ି ପରେ ପିଢ଼ି ଏହି କାମ କରି ଆସୁଛନ୍ତି ଗ୍ରାମବାସୀ । ଢ଼ାଳ, କଂସା, ଥାଳି, ବେଲା, ଘଂଟ ତିଆରି କରି ପରିବାର ପ୍ରତିପୋଷଣ କରୁଛନ୍ତି । ବ୍ୟବସାୟୀଙ୍କ ଠାରୁ କଂଚା ମାଲ ଆଣି ଶାଳରେ କଂସା ବାସନ ତିଆରି କରୁଛନ୍ତି । ଏତେ ପରିଶ୍ରମ ପରେ ମଧ୍ୟ କାରିଗରଙ୍କୁ ତାଙ୍କ ପରିଶ୍ରମ ଅନୁସାରେ ପାରିଶ୍ରମିକ ମିଳୁନଥିବା ସେମାନେ ଅଭିଯୋଗ କରିଛନ୍ତି । ଦିନ ମଜୁରିଆ ଭାବେ ୫୦୦ ଟଙ୍କା ପାଉଥିବା ସେମାନେ କହିଛନ୍ତି । ବାରମ୍ବାର ଅଭିଯୋଗ ପରେ ମଧ୍ୟ କଂସାରି ପରିବାରକୁ ସରକାରଙ୍କ ପକ୍ଷରୁ ପ୍ରୋତ୍ସାହନ ମିଳୁନଥିବା ସେମାନେ ଅଭିଯୋଗ କରିଛନ୍ତି ।

କଂସା ପିତଳ କାରିଗରୀ ଗାଁ ଗହଳିର ଏକ ସୁନ୍ଦର କାରିଗରୀ । ବାହାଘର, ବ୍ରତଘର କିମ୍ବା ପୂଜା ପର୍ବାଣୀରେ ଆବଶ୍ୟକ ପଡ଼େ କଂସା ସାମଗ୍ରୀ । ଏହାର ଚାହିଦା ଧୀରେ ଧୀରେ କମୁଥିଲେ ମଧ୍ୟ ଏବେ ବି ଲୋକମାନେ ବ୍ୟବହାର କରୁଛନ୍ତି ।

କାହିଁ କେଉଁ କାଳରୁ କଂସା ପିତଳର ପ୍ରଚଳନ ରହିଛି । କଂସା ବାସନରେ ଖାଦ୍ୟ ଖାଇବା ସ୍ୱାସ୍ଥ୍ୟ ପାଇଁ ହିତକର ବୋଲି କୁହାଯାଏ । ପ୍ଲାଷ୍ଟିକ୍ ଓ ଷ୍ଟିଲ ଜିନିଷ ବଜାରକୁ ଆସିବା ପରେ କଂସା ପିତଳ ଜିନିଷର ବ୍ୟବହାର କମିଛି । ସରକାରଙ୍କ ପକ୍ଷରୁ ପ୍ରୋତ୍ସାହନ ମିଳିଲେ କାରିଗର ମାନଙ୍କର ଉନ୍ନତି ହେବା ସହ କୌଳିକ ବୃତି ବଂଚିରହିପାରନ୍ତା ବୋଲି କହିଛନ୍ତି କାରିଗର ।