ଉତ୍ତର ଓ ପଶ୍ଚିମ ଓଡ଼ିଶାରେ ୨ଟି ନୂଆ ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲ୍ ଖୋଲିବା ଯୋଜନା ରହିଛି: ଡକ୍ଟର ବିଜୟ କୁମାର ସାହୁ ବ୍ରାଣ୍ଡସ ଅଫ୍ ଓଡ଼ିଶା ପ୍ରାଇଡ୍ ଅଫ୍ ଇଣ୍ଡିଆ

114

କନକ ବ୍ୟୁରୋ: ମହାମାରୀ ସମୟରେ ଶିକ୍ଷାଦାନ ଜାରି ରଖିବାର ଆହ୍ବାନ ତଥା ଅନଲାଇନ ଓ ଶ୍ରେଣୀ ଗୃହ ଶିକ୍ଷାକୁ ନେଇ ଚାଲିଥିବା ବିତର୍କ ସମ୍ପର୍କରେ ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲର ପ୍ରତିଷ୍ଠାତା ଡକ୍ଟର ବିଜୟ କୁମାର ସାହୁ ଯାହା ଆଲୋଚନା କରିଛନ୍ତି ତାହାକୁ ଏଠାରେ ଉପସ୍ଥାପନ କରାଯାଇଛି…

ସାଇ କ୍ଲାଉଡ୍ ସ୍କୁଲ୍ କ’ଣ? ଛାତ୍ରଛାତ୍ରୀଙ୍କ ପାଇଁ ଏହା କିଭଳି ସହାୟକ ହୋଇଛି?

ଲକ୍ଡାଉନ୍ ଯୋଗୁଁ ସ୍କୁଲ ବନ୍ଦ ହୋଇଯିବା ପରେ ଛାତ୍ରଛାତ୍ରୀଙ୍କ ଘରେ ପାଠପଢ଼ା ପହଞ୍ଚାଇବା ଲାଗି କ୍ଲାଉଡ୍ ସ୍କୁଲର ବ୍ୟବସ୍ଥା କରାଯାଇଛି। ସମ୍ପୂର୍ଣ୍ଣ ଭର୍ଚୁଆଲ୍ ମାଧ୍ୟମରେ କେବଳ ପାଠପଢ଼ା ନୁହେଁ ସ୍କୁଲରେ ହେଉଥିବା ଅନ୍ୟାନ୍ୟ ଅଣ ଶିକ୍ଷା କାର୍ଯ୍ୟକଳାପକୁ ଛାତ୍ରଛାତ୍ରୀଙ୍କ ନିକଟରେ ପହଞ୍ଚିଛି। ଆମ ତିନି ସ୍କୁଲର ୫୫୦୦ରୁ ଅଧିକ ଛାତ୍ରଛାତ୍ରୀ ଏହା ଦ୍ବାରା ଉପକୃତ ହୋଇଛନ୍ତି।

ଜାତୀୟ ସ୍କୁଲ ରାଙ୍କିଙ୍ଗ୍‌ରେ ଆପଣଙ୍କ ସ୍କୁଲ ଶୀର୍ଷ ସ୍ଥାନ ପାଇବାର ଅନୁଭୂତି କିଭଳି ଥିଲା?

ପରୀକ୍ଷା ଫଳ, ସାମାଜିକ ଦାୟିତ୍ବବୋଧ ଭଳି ୧୪ଟି ମାନଦଣ୍ଡ ଆଧାରରେ ଏହି ରାଙ୍କିଙ୍ଗ ପ୍ରସ୍ତୁତ କରାଯାଇଥିଲା। ପୂର୍ବରୁ କେବଳ ଦିଲ୍ଲୀ, ମୁମ୍ବାଇ ଓ ବେଙ୍ଗାଲୁରୁ ଭଳି ସହରର ସ୍କୁଲ୍ ପ୍ରଥମ ସ୍ଥାନ ଅଧିକାର କରୁଥିଲେ। ପ୍ରଥମ ଥର ପାଇଁ ପୂର୍ବ ଭାରତର କୌଣସି ସ୍କୁଲ୍କୁ ଶୀର୍ଷ ସ୍ଥାନ ମିଳିବା ନିଶ୍ଚିତ ଗର୍ବର ବିଷୟ।

ଅନ୍ଲାଇନ୍ ପାଠପଢ଼ାର ଅଭ୍ୟୁଦୟ ଶ୍ରେଣୀ ଗୃହ ଶିକ୍ଷାର ଗୁରୁତ୍ବ ହ୍ରାସ କରିବ କି?

ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କୁ ପରସ୍ପର ଠାରୁ କେହି ଅଲଗା କରିପାରିବେ ନାହିଁ। ପ୍ରଯୁକ୍ତି ଦ୍ବାରା ଶିକ୍ଷାଦାନରେ କେବଳ ଉନ୍ନତି ଅଣାଯାଇପାରିବ। ମାତ୍ର ଛାତ୍ରଛାତ୍ରୀଙ୍କ ଜୀବନ ଗଠନରେ ଏକ ସ୍କୁଲ ଯେଉଁ ଭୂମିକା ନିର୍ବାହ କରେ ତାହା ଭର୍ଚୁଆଲ୍ ମାଧ୍ୟମରେ ହାସଲ କରିବା ସମ୍ଭବ ନୁହେଁ। ସ୍କୁଲରେ ପିଲାମାନେ ନିଜ ସାଙ୍ଗସାଥୀ, କନିଷ୍ଠ, ବରିଷ୍ଠଙ୍କ ଠାରୁ ଅନେକ କିଛି ଶିକ୍ଷା କରନ୍ତି। ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଠାରୁ ମୂଲ୍ୟବୋଧର ଶିକ୍ଷା ପାଇଥାନ୍ତି। ସ୍କୁଲ ଶିକ୍ଷା ଛାତ୍ରଛାତ୍ରୀଙ୍କ ସର୍ବାଙ୍ଗୀନ ଉନ୍ନତିରେ ସହାୟକ ହୋଇଥାଏ।

ଜଣେ ଉପଦେଷ୍ଟା ଭାବେ ଆଦର୍ଶ ବିଦ୍ୟାଳୟର ଭବିଷ୍ୟତକୁ କିଭଳି ଦେଖୁଛନ୍ତି?

ହାତିଓଟା ଓ ପଥରଛେପା ଆଦର୍ଶ ବିଦ୍ୟାଳୟ ଜାତୀୟ ସ୍କୁଲ  ରାଙ୍କିଙ୍ଗ୍‌ରେ ସ୍ଥାନ ପାଇଛି। ରାଜ୍ୟରେ ୨୧୪ଟି ଆଦର୍ଶ ବିଦ୍ୟାଳୟରେ ପାଠପଢ଼ା ଚାଲିଥିବା ବେଳେ ଏପ୍ରିଲ୍ ସୁଦ୍ଧା ଆଉ ୩୬ଟି ସ୍କୁଲ ଖୋଲାଯିବ। ପରବର୍ତୀ ଦୁଇ ବର୍ଷରେ ୬୪ଟି ନୂଆ ଆଦର୍ଶ ବିଦ୍ୟାଳୟ ଖୋଲାଯିବ। ଗତଥର ପରୀକ୍ଷାରେ ୩୦୦ ଛାତ୍ରଛାତ୍ରୀ ୯୦%ରୁ ଅଧିକ ନମ୍ବର ରଖି ପାସ୍ କରିଛନ୍ତି। ସେମାନଙ୍କୁ ଇଞ୍ଜିନିୟରିଂ, ମେଡିକାଲ୍ ଓ ପ୍ରତିରକ୍ଷା କ୍ଷେତ୍ର ପାଇଁ ମାଗଣା କୋଚିଂ ଦେବା ଲାଗି ୧୦ଟି ସେଣ୍ଟର୍ ଅଫ୍ ଏକ୍ସିଲେନ୍ସ ଖୋଲାଯାଇଛି। ଓଡ଼ିଶାର ଆଦର୍ଶ ବିଦ୍ୟାଳୟ ମଡେଲ୍କୁ ଦେଶର ଅନ୍ୟ ସବୁ ରାଜ୍ୟ ଗ୍ରହଣ କରିବେ ବୋଲି ମୋର ଦୃଢ଼ ବିଶ୍ବାସ ରହିଛି।

ନୂଆ ସ୍କୁଲ୍ ଖୋଲିବା ଯୋଜନା ଅଛି କି?

ଉତ୍ତର ଓ ପଶ୍ଚିମ ଓଡ଼ିଶାରେ ନୂଆ ସ୍କୁଲ୍ ଖୋଲିବାର ଯୋଜନା ରହିଛି। ଜମି ସନ୍ଧାନ ପ୍ରକ୍ରିୟା ଜାରି ରହିଛି। ରାଜ୍ୟ ବାହାରେ ମଧ୍ୟ ସ୍କୁଲ୍ ଖୋଲିବା ଯୋଜନା ଅଛି।

ସମ୍ବାଦର ବ୍ରାଣ୍ଡ୍ସ ଅଫ୍ ଓଡ଼ିଶା ପ୍ରାଇଡ୍ ଅଫ୍ ଇଣ୍ଡିଆ ଅଭିଯାନ ବିଷୟର ଆପଣଙ୍କ ମତ କ’ଣ?

ସମ୍ବାଦ ସବୁ ବେଳେ କିଛି ନୂଆ କରିଥାଏ। ଏହା ଏକ ବହୁତ ଭଲ ପରିକଳ୍ପନା। ଏହା ଅନ୍ୟମାନଙ୍କୁ ଉତ୍ସାହିତ କରିବ। ଓଡ଼ିଶାରେ ଉଦ୍ୟୋଗୀଙ୍କୁ ସହଜରେ ସ୍ବୀକୃତି ମିଳେ ନାହିଁ। ସେମାନଙ୍କୁ ସମ୍ମାନ ଦେବା ଓ ସ୍ବୀକୃତି ପ୍ରଦାନ କରିବା ଦ୍ବାରା କେବଳ ସେମାନେ ଉତ୍ସାହିତ ହେବ ନାହିଁ, ବରଂ ନୂଆ ପିଢ଼ି ମଧ୍ୟ ଉତ୍ସାହିତ ହେବେ। ସେମାନେ ନିଜେ ବ୍ରାଣ୍ଡ୍ ଅଫ୍ ଓଡ଼ିଶା ହେବା ଲାଗି ଉଦ୍ୟମ କରିବେ। ଏହି ଅଭିଯାନ ପାଇଁ ମୁଁ ସମ୍ବାଦକୁ ଧନ୍ୟବାଦ ଦେଉଛି।