ରାଜ୍ୟରେ ପର୍ବପର୍ବାଣୀ, ଉତ୍ସବ ସମୟରେ ଅଧିକ ଗହଣା ବିକ୍ରି ହୁଏ : ସଞ୍ଜୟ ହଂସ

70

ରାଜ୍ୟ ଗହଣା ବ୍ୟବସାୟ ଜଗତର ଚର୍ଚ୍ଚିତ ଚେହେରା ହେଉଛନ୍ତି ଲାଲଚନ୍ଦ ଜୁଏଲର୍ସ ପ୍ରାଇଭେଟ୍‌ ଲିମିଟେଡ୍‌ର ପ୍ରତିଷ୍ଠାତା ଅଧ୍ୟକ୍ଷ ସଞ୍ଜୟ ହଂସ। ଲକ୍‌ଡାଉନ୍ ପରବର୍ତୀ ସମୟରେ ଗହଣା ବଜାରରେ ହେଉଥିବା ସୁଧାର, ସୁନା ଦର ଓ ପ୍ଲାଟିନମ୍‌ର ଲୋକପ୍ରିୟତା ଆଦି ବିଷୟରେ ସେ ଯେଉଁ ଆଲୋଚନା କରିଛନ୍ତି ତାହାକୁ ଏଠାରେ ଉପସ୍ଥାପନ କରାଯାଇଛି ।

ଲକ୍‌ଡାଉନ୍ ପରେ ରାଜ୍ୟ ଗହଣା ଶିଳ୍ପର ସ୍ଥିତି କିଭଳି ରହିଛି ?

ଲକ୍‌ଡାଉନ୍‌ ସବୁ ପ୍ରକାର ବ୍ୟବସାୟ ଉପରେ ଗଭୀର ପ୍ରଭାବ ପକାଇଛି ଓ ଆମ ବ୍ୟବସାୟ ଏଥିରୁ ବାଦ ପଡ଼ିନାହିଁ। ମାତ୍ର ଗହଣା ବଜାରରେ ଏବେ ଧୀରେ ଧୀରେ ସୁଧାର ଆସୁଛି। ପ୍ରତିଟି ଅନ୍‌ଲକ୍‌ ପ୍ରକ୍ରିୟା ଶେଷ ହେବା ସହିତ ସ୍ବାଭାବିକତା ଫେରିଥିଲା। ଗ୍ରାହକମାନଙ୍କୁ ଅଶେଷ ଧନ୍ୟବାଦ ଯେ ମାସ୍କ ପିନ୍ଧି ଓ ସାମାଜିକ ଦୂରତ୍ବ ନିୟମକୁ ପାଳନ କରି ସେମାନେ ଗହଣା ଦୋକାନ ଆସୁଛନ୍ତି।

ଧନ୍‌ତେରସ୍‌ରୁ ଚାହିଦାରେ ଯେଉଁ ବୃଦ୍ଧି ଘଟିଛି ତାହା କେତେ ଦିନ ରହିବ?

ପ୍ରତିବର୍ଷ ଧନତେରସ୍‌ ସମୟରେ ସୁନା ବିକ୍ରି ବଢ଼ିଥାଏ। ବିବାହ ଋତୁ ପୂର୍ବରୁ ଏହି ପର୍ବ ଆସୁଥିବାରୁ ଗହଣା ବିକ୍ରି ବୃଦ୍ଧି ପାଏ। ତେଣୁ ଏଭଳି ଚାହିଦା କେବଳ ପର୍ବପର୍ବାଣୀ ଓ ଉତ୍ସବ ସମୟରେ ରହିବ। ଏହା ପରେ ଚାହିଦାରେ ସାମାନ୍ୟ ହ୍ରାସ ଘଟିଥାଏ। ଖରାଦି‌େନ ଗହଣା ବଜାର ମାନ୍ଦା ରହିଥାଏ।

କେଉଁ ବର୍ଗର ଗ୍ରାହକଙ୍କୁ ସୁନା ଦୋକାନୀ ଗୁରୁତ୍ବ ଦେବା ଉଚିତ?

ଅନେକ କହିପାରନ୍ତି ମହିଳା ବର୍ଗ। କିନ୍ତୁ ମୋ ମତରେ ‌ଗ୍ରାହକଙ୍କ ସେଭଳି କୌଣସି ନିର୍ଦିଷ୍ଟ ବର୍ଗ ନାହିଁ। ପୁରୁଷ ହୁଅନ୍ତୁ ଅଥବା‌ ମହିଳା, ଯୁବବର୍ଗ, ବୟସ୍କ, ଧନୀ, ଗରିବ, ମଧ୍ୟବିତ୍ତ, ପାରମ୍ପରିକ କିମ୍ବା ଆଧୁନିକ ସବୁ ପ୍ରକାର ଗ୍ରାହକଙ୍କ ଆବଶ୍ୟକତା ପୂରଣ କରାଯିବା ଦରକାର।

ସୁନା ଓ ହୀରା ବ୍ୟତୀତ ସୋ’ରୁମ୍‌ରେ ଅନ୍ୟ କେଉଁ ଗହଣା ଅଗ୍ରାଧିକାର ପାଇବାର ହକ୍‌ଦାର?

ନିଶ୍ଚିତ ପକ୍ଷେ ରୁପା। ଆମର ତାରକସୀ କାରିଗରମାନେ ଅତ୍ୟନ୍ତ ଚମତ୍କାର ଗହଣା ତିଆରି କରୁଛନ୍ତି। ଏହା କେବଳ ଓଡ଼ିଶା ନୁହେଁ ଜାତୀୟ ଏବଂ ଆନ୍ତର୍ଜାତିକ ସ୍ତରରେ ଅଗ୍ରାଧିକାର ପାଇବାକୁ ଯୋଗ୍ୟ। ଲାଲଚନ୍ଦ ଜୁଏଲର୍ସ ଏହି କାରିଗରମାନଙ୍କୁ ଗର୍ବର ସହିତ ସମର୍ଥନ କରୁଛି ଯେଉଁମାନେ ଏହି ଲକ୍‌ଡାଉନ୍ ସମୟରେ ଅନେକ ସମସ୍ୟା ସାମ୍ନା କରିଥିଲେ। ଏବେ ପ୍ଲାଟିନମ୍‌ରେ ମଧ୍ୟ ବିଶେଷ ସମ୍ଭାବନା ରହିଛି। ସହରାଞ୍ଚଳରେ ବାସ କରୁଥିବା ନୂଆପିଢ଼ି ଏହାକୁ ବେଶ ପସନ୍ଦ କରୁଛନ୍ତି।

ସମ୍ପ୍ରସାରଣ ପାଇଁ ଲାଲଚନ୍ଦର କ’ଣ ଯୋଜନା ରହିଛି?

ଆମେ ସର୍ବଦା ବଡ଼ ସ୍ବପ୍ନ ଦେଖିଥାଉ। ଗତବର୍ଷ ପଟିଆ ରଘୁନାଥପୁର ଠାରେ ଆମେ ପୂର୍ବ ଭାରତରେ ଆମର ସର୍ବବୃହତ ସୋ’ରୁମ୍ ଖୋଲିଥିଲୁ। ସାରା ଓଡ଼ିଶାର ପ୍ରମୁଖ ବାଣିଜ୍ୟିକ ସ୍ଥଳଗୁଡ଼ିକରେ ସୋ’ରୁମ୍ ସ୍ଥାପନ କରିବା ଲାଗି ଲାଲଚନ୍ଦର ବଡ଼ ଯୋଜନା ରହିଛି। ସାରା ରାଜ୍ୟର ଲୋକ ଆମ ଗହଣାକୁ ପସନ୍ଦ କରୁଛନ୍ତି। ଆମେ ଯଥା ସମ୍ଭବ ସେମାନଙ୍କ ନିକଟରେ ପହଞ୍ଚିବାକୁ ଚାହୁଛୁ।

ସୁନା ମୂଲ୍ୟ କେବେ ଗ୍ରାହକଙ୍କ ପକେଟ୍‌କୁ ସୁହାଇବା ଭଳି ସ୍ତରକୁ ଫେରିବ?

ସ୍ଥିତିରେ ସୁଧାର ହେବା ସହ ସ୍ବୟଂକ୍ରିୟ ଭାବେ ସୁନା ଦାମ୍‌ ଗ୍ରାହକମାନେ ଚାହୁଥିବା ସ୍ତରକୁ ଫେରିବ। ମହାମାରୀ, ଯୁଦ୍ଧ ଏବଂ ଅଭାବନୀୟ ପରିସ୍ଥିତିରେ ସୁନା ଦାମ୍ ବଢ଼ିଥାଏ। ଏହା ଏକ ସାଧାରଣ କଥା। କରୋନା ମହାମାରୀ ହେଉଛି ସାରା ବିଶ୍ବ ପାଇଁ ଏକ ବଡ଼ ଜରୁରୀକାଳୀନ ସ୍ଥିତି ଯେ ଶତାବ୍ଦୀ ମଧ୍ୟରେ ଦେଖିବାକୁ ମିଳିନଥିଲା। ଟିକା ପ୍ରସ୍ତୁତ ହୋଇଗଲାଣି। ତେଣୁ ଖୁବ୍‌ଶୀଘ୍ର ସ୍ବାଭାବିକ ସ୍ଥିତି ଫେରିବ ଏବଂ ସୁନା ଦରରେ ମଧ୍ୟ ସୁଧାର ହେବ।

ବ୍ରାଣ୍ଡସ୍‌ ଅଫ୍‌ ଓଡ଼ିଶା ପ୍ରାଇଡ୍‌ ଅଫ୍‌ ଇଣ୍ଡିଆ ବିଷୟରେ ଆପଣଙ୍କ ମତ କ’ଣ?

ଏହା ଏକ ଚମତ୍କାର ଏବଂ ଅତ୍ୟନ୍ତ ଆବଶ୍ୟକ ଅଭିଯାନ। ସାରା ଦୁନିଆ ଆମ ରାଜ୍ୟରେ ହେଉଥିବା ଭଲ କାମ ବିଷୟରେ ଜାଣିବା ଦରକାର। ଆମ ରାଜ୍ୟରେ ଥିବା ବିଶ୍ବସ୍ତରୀୟ ବ୍ରାଣ୍ଡ୍‌ଗୁଡ଼ିକ ବିଷୟରେ ସଚେତନତା ସୃଷ୍ଟି କରି ସମ୍ବାଦ ବାସ୍ତବରେ ପ୍ରଶଂସନୀୟ କାର୍ୟ୍ୟ କରୁଛି। ଏହି ବ୍ରାଣ୍ଡ୍‌ଗୁଡ଼ିକ ପାଇଁ ଦେଶ ଗର୍ବିତ ଅନୁଭବ କରିବ। ଓଡ଼ିଶାର ସମସ୍ତ ବ୍ୟବସାୟ ସମାଜ ତରଫରୁ ଏଥିପାଇଁ ମୁଁ ସମ୍ବାଦକୁ ଧନ୍ୟବାଦ ଦେଉଛି।