କରୋନା ପାଇଁ ଗ୍ରାମାଞ୍ଚଳର ଛାତ୍ରଛାତ୍ରୀ ଅଧିକ କ୍ଷତିଗ୍ରସ୍ତ : ଡଃ ଅଚ୍ୟୁତ ସାମନ୍ତଙ୍କ ବ୍ରାଣ୍ଡସ୍‌ ଅଫ୍‌ ଓଡ଼ିଶା ପ୍ରାଇଡ୍‌ ଅଫ୍ ଇଣ୍ଡିଆ

85

ବିଶ୍ବ ଶିକ୍ଷା ମାନଚିତ୍ରରେ ଓଡ଼ିଶାକୁ ଏକ ସ୍ବତନ୍ତ୍ର ସ୍ଥାନ ଦେବାରେ କିଟ୍ ଓ କିସ୍‌ର ପ୍ରତିଷ୍ଠାତା ଡଃ ଅଚ୍ୟୁତ ସାମନ୍ତଙ୍କ ପ୍ରମୁଖ ଭୂମିକା ରହିଛି। ଶିକ୍ଷା କ୍ଷେତ୍ର ପାଇଁ ତାଙ୍କର ରହିଥିବା ଲକ୍ଷ୍ୟ, ସମାଜସେବା ଓ ରାଜନୀତି ବିଷୟରେ ସେ ଯାହା କହିଛନ୍ତି ତାହାକୁ ଏଠାରେ ଉପସ୍ଥାପନ କରାଯାଇଛି…

ଶିକ୍ଷା କ୍ଷେତ୍ର ପାଇଁ ଆପଣ କ’ଣ ଲକ୍ଷ୍ୟ ରଖିଛନ୍ତି?
ଶିକ୍ଷା ହେଉଛି ଶିଶୁ ଓ ବ୍ୟକ୍ତିଙ୍କ ତୃତୀୟ ନୟନ ସଦୃଶ। ଯଦି ଶିକ୍ଷା ଭଳି ତୃତୀୟ ନୟନ ନଥିବ ତେବେ ଜଣେ ବ୍ୟକ୍ତି ଦୁଇଟି ଆଖିରେ ବିଶ୍ବକୁ ଦେଖିବା ସମ୍ଭବପର ହେବନାହିଁ। ଭବିଷ୍ୟତରେ ପ୍ରତିଟି ପିଲା ଯେଭଳି ସାକ୍ଷର ହେବା ସହ ଗୁଣାତ୍ମକ ଶିକ୍ଷା ପାଇପାରିବେ ଏବଂ ଶିକ୍ଷାର ପ୍ରଚାର ଓ ପ୍ରସାର ହେବ ତାହା ହିଁ ମୋର ଲକ୍ଷ୍ୟ।
କିଟ୍‌ ଓ କିସ୍‌କୁ ବିଶ୍ବ ମାନଚିତ୍ରରେ ସ୍ଥାନିତ କରିବା ପରେ ଆପଣଙ୍କ ପରବର୍ତୀ ଯୋଜନା କ’ଣ ରହିଛି?
ଏହି ଦୁଇ ଅନୁଷ୍ଠାନ ଯେଭଳି ଅଧିକ ଆଦୃତ ଓ ଗୁଣାତ୍ମକ ହୋଇପାରିବ ସେଥିପାଇଁ ମୁଁ ଚେଷ୍ଟା କରୁଛି ଏବଂ କ୍ରୀଡ଼ାକୁ ମଧ୍ୟ ସମାନ ଗୁରୁତ୍ବ ଦେଇ କ୍ରୀଡ଼ାର ବିକାଶ ଦିଗରେ କାର୍ଯ୍ୟ କରୁଛି। ଆଗକୁ ଅଧିକ ସମର୍ପିତ ଭାବେ ନିଜକୁ ସମାଜ ସେବାରେ ନିୟୋଜିତ କରି ରଖିବି।
ଆପଣଙ୍କ ମତରେ ଛାତ୍ରଛାତ୍ରୀମାନେ କୋଭିଡ୍-୧୯ ମହାମାରୀ ଦ୍ବାରା କିଭଳି ପ୍ରଭାବିତ ହୋଇଛନ୍ତି?
ସମଗ୍ର ବିଶ୍ବର ଛାତ୍ରଛାତ୍ରୀମାନେ ପୂର୍ବରୁ ଏଭଳି କେବେ ପ୍ରଭାବିତ ହୋଇ ନଥିଲେ। ସେମାନଙ୍କ ଶିକ୍ଷାଲାଭ, ଜୀବନଯାପନ ପ୍ରଣାଳୀ ଓ ଅନ୍ୟ ସବୁ କାର୍ଯ୍ୟ ଏଭଳି ଭାବେ ପ୍ରଭାବିତ ହୋଇଛି, ଯାହା ଅକଳ୍ପନୀୟ। ଗରିବ ଛାତ୍ରଛାତ୍ରୀମାନେ ବିଶେଷ କ୍ଷତିଗ୍ରସ୍ତ ହୋଇଛନ୍ତି। ଓଡ଼ିଶା ଏକ ଗ୍ରାମ ବହୁଳ ରାଜ୍ୟ ହୋଇଥିବାରୁ ‌ଗ୍ରାମାଞ୍ଚଳରେ ବାସ କରୁଥିବା ଛାତ୍ରଛାତ୍ରୀମାନେ କରୋନା ମହାମାରୀ ଦ୍ବାରା ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି। ଅନେକ ପିଲା ମାନସିକ ବିଶାଦଗ୍ରସ୍ତ ହୋଇପଡ଼ିଥିବା ଦେଖିବାକୁ ମିଳିଛି। ସେମାନଙ୍କୁ କିଭଳି ଉଦ୍ଧାର କରାଯିବ ତାହା ହିଁ ମୋର ବଡ଼ ଚିନ୍ତା।
ଶିକ୍ଷା ଓ ଉଦ୍ୟମିତା ଭିତ‌ରେ କ’ଣ ସମ୍ପର୍କ ରହିଛି?
ଶିକ୍ଷା ହେଉଛି ସବୁ କିଛି। ଶିକ୍ଷାଗତ ଯୋଗ୍ୟତା ନଥିଲେ ମଧ୍ୟ ଜଣେ ଉଦ୍ୟୋଗୀ ହୋଇପାରିବେ। ଭାରତ ତଥା ବିଶ୍ବର ଅନେକ ବ୍ୟକ୍ତି ବିନା ଶିକ୍ଷାଗତ ଯୋଗ୍ୟତାରେ ଉତ୍ତମ ଉଦ୍ୟୋଗୀ ହୋଇପାରିଛନ୍ତି। କିନ୍ତୁ ଶିକ୍ଷାଗତ ଯୋଗ୍ୟତା ଥିଲେ ଔଦ୍ୟୋଗିତ ଚିନ୍ତାଧାରା ଏବଂ ଉଦ୍ୟୋଗୀ ହେବାର ରାସ୍ତା ଆହୁରି ସୁଗମ ହୋଇଥାଏ ବୋଲି ମୁଁ ଭାବୁଛି।
ଭବିଷ୍ୟତରେ କିସ୍‌ର ସମ୍ପ୍ରସାରଣ ପାଇଁ କ’ଣ ଯୋଜନା ରହିଛି?
ଆଗାମୀ ବର୍ଷେ ଦୁଇବର୍ଷ ଭିତରେ ରାଜ୍ୟର ୨୦ଟି ଜନଜାତି ଅଧ୍ୟୁଷିତ ଜିଲ୍ଲାରେ କିସ୍‌ର ଶାଖା ଖୋଲିବ। କନ୍ଧମାଳ ଓ ବୌଦ୍ଧରେ ମଧ୍ୟ ଶାଖା ଖୋଲିବ। କିସ୍‌ ବିଶ୍ବବିଦ୍ୟାଳୟ କିଭଳି ଦେଶର ଅନ୍ୟତମ ଶ୍ରେଷ୍ଠ ବିଶ୍ବବିଦ୍ୟାଳୟ ହେବ ସେଥିପାଇଁ ଆମେ ଚେଷ୍ଟାରତ। କ୍ରୀଡ଼ା କ୍ଷେତ୍ରରେ ଯେଭଳି କିସ୍‌ର ପିଲାମାନେ ସଫଳ ହେବେ ଏବଂ ଅଲିମ୍ପିକ୍‌ରେ ଅଂଶଗ୍ରହଣ କରିବେ ତାହା ହେଉଛି ଆମର ପ୍ରଥମ ଲକ୍ଷ୍ୟ?
ସମାଜ ସେବା ପାଇଁ ଅଧିକ ଲୋକଙ୍କ ପାଖରେ ପହଞ୍ଚିବାରେ ପ୍ରତ୍ୟକ୍ଷ ରାଜନୀତି ସହା‌ୟକ ହୋଇଛି ବୋଲି ଆପଣ ଭାବୁଛନ୍ତି କି?
ମୁଁ ଭାବୁଛି ଶିକ୍ଷା ଓ ସମାଜ ସେବା ଜରିଆରେ ଆମେ ଅନେକ ଲୋକଙ୍କ ନିକଟତର ହୋଇପାରିଛୁ। ତେବେ ସମାଜ ଓ ଲୋକଙ୍କ ନିକଟରେ ପହଞ୍ଚିବା ଏବଂ ଲୋକମାନଙ୍କ ସେବା କରିବା ପାଇଁ ରାଜନୀତି ହେଉଛି ଏକ ବଳିଷ୍ଠ ପ୍ଲାଟଫର୍ମ। ରାଜନୀତି ଜରିଆରେ ବଡ଼ ଆକାରରେ ଓ ଭଲ ଭାବେ ଲୋକଙ୍କ ସେବା କରିପାରିବି ବୋଲି ମୁଁ ଭାବୁଛି।
ବିଶ୍ବ ରାଙ୍କିଙ୍ଗ୍‌ରେ ସ୍ଥାନ ପାଇବା‌ରେ ଭାରତୀୟ ଶିକ୍ଷାନୁଷ୍ଠାନ କାହିଁକି ବିଫଳ ହେଉଛନ୍ତି?
ଭାରତର ଶିକ୍ଷା ବିଶ୍ବ ରାଙ୍କିଙ୍ଗ୍‌ରେ ସ୍ଥାନ ପାଇବା କିମ୍ବା ନପାଇବା, ସେଥିରେ ଅସମ୍ମାନ ହେବା ଭଳି କିଛି ନାହିଁ। ୟୁରୋପ, ଅଷ୍ଟ୍ରେଲିଆ‌, କାନାଡା ଓ ଆମେରିକାର ଶିକ୍ଷାନୁଷ୍ଠାନଗୁଡ଼ିକ ୭୦୦, ୮୦୦ କିମ୍ବା ୧୨୦୦ ବର୍ଷ ପୁରୁଣା। ଆମ ଦେଶର ସର୍ବପୁରାତନ ଶିକ୍ଷାନୁଷ୍ଠାନ ଯଥା ମାଡ୍ରାସ ବିଶ୍ବବିଦ୍ୟାଳୟ, ବମ୍ବେ ବିଶ୍ବବିଦ୍ୟାଳୟ ଓ କଲିକତା ବିଶ୍ବବିଦ୍ୟାଳୟ ୧୫୦ କିମ୍ବା ୧୬୫ ବର୍ଷ ପୁରୁଣା। ସେଥିପାଇଁ ବିଶ୍ବ ରାଙ୍କିଙ୍ଗ୍‌ରେ ସ୍ଥାନ ପାଇବା କଷ୍ଟକର ହୋଇପଡ଼ୁଛି। ଜଗତ୍‌କରଣ ପରେ କେନ୍ଦ୍ର ଓ ରାଜ୍ୟ ସରକାର ଏବଂ ଶିକ୍ଷାନୁଷ୍ଠାନଗୁଡ଼ିକ ତତ୍ପରତା ଦେଖାଇଛନ୍ତି। ଧୀରେ ଧୀରେ ଆମ ଦେଶର ଶିକ୍ଷାନୁଷ୍ଠାନଗୁଡ଼ିକ ବିଶ୍ବ ରାଙ୍କିଙ୍ଗ୍‌କୁ ଯାଉଛନ୍ତି ଏବଂ ଆଗାମୀ ଦିନରେ ସେମାନେ ଆସ୍ଥାନ ଜମାଇପାରିବେ, ଏଥିରେ କୌଣସି ସନ୍ଦେହ ନାହିଁ।
‘ସମ୍ବାଦ’ର ବ୍ରାଣ୍ଡସ୍‌ ଅଫ୍‌ ଓଡ଼ିଶା ପ୍ରାଇଡ୍‌ ଅଫ୍ ଇଣ୍ଡିଆ ଅଭିଯାନ ବିଷୟରେ ଆପଣଙ୍କ ମତ କ’ଣ?
ଏହା ହେଉଛି ସମ୍ବାଦ ଗ୍ରୁପ୍‌ର ଏକ ଉତ୍ତମ ପ୍ରୟାସ। ଏହା ଦ୍ବାରା ବ୍ୟକ୍ତିବିଶେଷ ଓ ଅନୁଷ୍ଠାନଗୁଡ଼ିକ ଉତ୍ସାହିତ ଓ ଅନୁପ୍ରାଣିତ ହେଉଛନ୍ତି। ଏହା ଦ୍ବାରା ସେମାନଙ୍କ ଭଲ ହେବା ସହ ରାଜ୍ୟର ଭଲ ମଧ୍ୟ ହେଉଛି। ଏହା ଏକ ସ୍ବାଗତଯୋଗ୍ୟ ପଦକ୍ଷେପ। ଏଥିପାଇଁ ମୁଁ ଶୁଭେଚ୍ଛା ଜଣାଉଛି। ଆଗାମୀ ଦିନରେ ଏହି ଅଭିଯାନ ଆହୁରି କିପରି ଭଲ ହୋଇପାରିବ ସେଥିପାଇଁ ଆପଣମାନଙ୍କ ପ୍ରଚେଷ୍ଟା ଜାରି ରହିବ ବୋଲି ମୁଁ ଆଶା କରୁଛି।